ଓଡିଶା

ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଗତ

କେନ୍ଦୁଝରଗଡ଼଼: କେନ୍ଦୁଝର ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଜ୍ୟୋର୍ତିମୟ ନାଏକଙ୍କ ବିରୋଧରେ ସୋମବାର କେନ୍ଦୁଝର ଉପଜିଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି। ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟକଳାପ ସାଙ୍ଗକୁ ଦୀର୍ଘ ଅଢ଼େଇ ବର୍ଷ ପରେ ମଧ୍ୟ ପଞ୍ଚାୟତମାନଙ୍କରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିବା ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ନହେବା ପ୍ରତିବାଦରେ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି।

ଏପରିକି ପଞ୍ଚାୟତ ସମିତିକୁ ଆସୁଥିବା ଉନ୍ନୟନ ପାଣ୍ଠିର କିଭଳି ସୁବିନିଯୋଗ କରାଯିବ ସେ ନେଇ ଅଧ୍ୟକ୍ଷା ସମିତିର ସଭ୍ୟ ସଭ୍ୟାମାନଙ୍କ ସହ ଆଲୋଚନା ନକରି ଠିକାଦାର ମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ମନଇଛା କାର୍ଯ୍ୟାଦେଶ ବାଣ୍ଟୁଥିବା ସହ ପିସି କାରବାରରେ ସମ୍ପୃକ୍ତ ଥିବାରୁ ତାଙ୍କ ବିରୋଧରେ ଏହି ଅନାସ୍ଥା ଆଗତ କରାଯାଇଥିବା ଆବେଦନରେ ଉଲ୍ଲେଖ କରାଯାଇଛି।

ଶିରିଷପାଳ ସମିତିସଭ୍ୟା ତଥା ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷା ସଶ୍ମୀତାରାଣୀ ସିଂହ ଓ ପଳାଶପଙ୍ଗା ସମିତିସଭ୍ୟ ସଞ୍ଜୟ କୁମାର ନାଏକଙ୍କ ନେତୃତ୍ୱରେ ସଦର ବ୍ଲକର ମୋଟ ୨୫ ପଞ୍ଚାୟତ ମଧ୍ୟରୁ ୧୬ଜଣ ସମିତିସଭ୍ୟ ଓ ୧୧ଜଣ ସରପଞ୍ଚଙ୍କୁ ମିଶାଇ ମୋଟ ୨୭ଜଣ ନିର୍ବାଚିତ ପ୍ରତିନିଧିଙ୍କ ଦସ୍ତଖତ ସମ୍ବଳିତ ଅନାସ୍ଥା ପ୍ରସ୍ତାବ ଦାଖଲ କରିଥିବା ଜଣାପଡ଼ିଛି।

ସମିତିସଭ୍ୟ ଓ ସରପଞ୍ଚଙ୍କୁ ମିଶାଇ ମୋଟ ୨୭ଜଣ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଦସ୍ତଖତ ଥାଇ ଆଗତ କରିଥିବା ଅନାସ୍ଥାର ପ୍ରଥମେ ଦସ୍ତଖତକୁ ଯାଞ୍ଚ କରାଯିବା ପରେ ଆଇନାନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦୁଝର ଉପଜିଲାପାଳ ଉମାଶଙ୍କର ଦଳାଇଙ୍କୁ ପଚାରିବାରୁ ସେ ଏହା କହିଛନ୍ତି।

ସୂଚନାଯୋଗ୍ୟ ଯେ, ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ନାଏକ ଓ ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ବେହେରା ଉଭୟ ବିଜେଡି ସମର୍ଥନରେ ବିଜୟୀ ହୋଇ କ୍ଷମତାସୀନ ହୋଇଥିବା ବେଳେ ଗତ ସାଧାରଣ ନିର୍ବାଚନରେ ବିଜେପି ସରକାର ଗଠନ ସହ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ ଅନାସ୍ଥା ସମ୍ମୁଖୀନ ହୋଇ ଗାଦିଚ୍ୟୁତ ଆଶଙ୍କା ଥିବାରୁ ଉଭୟ ନେତା ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।

ଏପରିକି ଏହି ଦୁଇ ନେତା ବିଜେପିରେ ସାମିଲ ହେବାପରେ ନିଜ ଗାଦି ସୁରକ୍ଷିତ ନେଇ ନିଶ୍ଚିତ ଥିବାବେଳେ ସୋମବାର ପ୍ରଥମେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଗତ ଏବେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣକୁ ଅଧିକ ଉଷ୍ମ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button