ଦେଶ ବିଦେଶ

କୋର୍ଟରେ ୩ ବର୍ଷର କୁନି ଝିଅ: କହିଲା, ନିଶ୍ବାସ ନେଇ ହେଉନି, ଆମେ ବଞ୍ଚିବୁ କେମିତି.

ଲାହୋର: ଭାରତରେ ଦିଲ୍ଲୀ ଓ ପଞ୍ଜାବ ସ୍ଥିତି ଭଳି ପାକିସ୍ଥାନରେ ମଧ୍ୟ ଅସହ୍ୟ ହେଉଛି ବାୟୁ ପ୍ରଦୂଷଣ । ବାୟୁର ମାନ ଦିନକୁ ଦିନ ଅତ୍ୟନ୍ତ ଖରାପ ହୋଇଯାଇଥିବା ବେଳେ ଏବେ ଏହାକୁ ନେଇ ଅତିଷ୍ଠ ହୋଇପଡିଲେଣି ସାଧାରଣ ଲୋକ । ବାୟୁ ପ୍ରଦୂଷଣ ଏବେ ନିଶ୍ବାସପ୍ରଶ୍ବାସ ନେବାରେ ବାଧା ସୃଷ୍ଟି କରୁଛି । ଯେଉଁ କାରଣରୁ ଏବେ ପାକିସ୍ତାନ ଲାହୋରରେ ପ୍ରଦୂଷଣ ବାୟୁର ଭୟଙ୍କର ସ୍ଥିତି ଜାରି ରହିଛି ।

ସେଠିକା ବାୟୁର ସ୍ଥିତି ଏବେ ଚିନ୍ତା ବଢାଇଥିବା ବେଳେ ପାକିସ୍ତାନ ପଞ୍ଜାବ ପ୍ରଦେଶର ଏକ ୩ ବର୍ଷର କୁନି ଝିଅ ସରକାରଙ୍କ ବିରୋଧରେ କୋର୍ଟରେ ଫେରାଦ ହୋଇଛି । ବାୟୁ ପ୍ରଦୂଷଣ ରୋକିବାରେ କିପରି ସେଠିକାର ପଞ୍ଜାବ ସରକାର ବିଫଳ ହୋଇଛନ୍ତି ତାହାକୁ ନେଇ କୋର୍ଟରେ ମାମଲା ଦାୟର କରିଛି କୁନି ଝିଅ ।

ତେବେ ଗୁରୁବାର ସକାଳେ ଲାହୋରର ଏକ୍ୟୁଆଇ ବିଶ୍ବରେ ସର୍ବାଧିକ ୮୦୦ ଟପିଥିଲା । ବିଭିନ୍ନ ପର୍ବପର୍ବାଣୀରେ ଏହା ୧୦୦୦ ଛୁଉଁଛି । ଯାହା ସେଠିକା ବାସିନ୍ଦାଙ୍କ ପାଇଁ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ଏହାର ପ୍ରଭାବରେ ସେଠିକା ହସ୍ପିଟାଲ କେବଳ ଶ୍ବାସଜନିତ ରୋଗୀରେ ଭର୍ତ୍ତି ହୋଇଯାଇଛି । ଲୋକମାନେ ଘରୁ ବାହାରିବା ବି ମୁସ୍କିଲ ହୋଇପଡିଛି । ଏମିତିକି ସେଠିକା ପ୍ରଶାସନ ବି ବାହାରକୁ ବାହାରିଲେ ମାସ୍କ ପିନ୍ଧି ଯାଆନ୍ତୁ ବୋଲି ନିର୍ଦ୍ଦେଶ ଜାରି କରିଛି । ଏଥିସହିତ ସମସ୍ତ ଶିକ୍ଷାନୁଷ୍ଠାନକୁ ଆସନ୍ତା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି ।

ଯେଉଁଥିରେ ଅତିଷ୍ଠ ହୋଇ ଜଣେ ୩ ବର୍ଷର ଝିଅ ଅମଲ ସେଖରା, ଲାହୋର କୋର୍ଟର ଦ୍ବାରସ୍ଥ ହୋଇଛି । ସେଠିକା ପଞ୍ଜାବ ସରକାରଙ୍କ ବିରୋଧରେ ମାମଲା ଦାୟର କରିଛି ଯେ, ସେଠିକା ସରକାର ବାୟୁ ପ୍ରଦୂଷଣ ରୋକିବାରେ ଫେଲ୍ ମାରିଛନ୍ତି । ଝିଅଟି କୋର୍ଟଙ୍କୁ ଆବେଦନ କରିଛି ଯେ, ଛୋଟ ପିଲା ଏବଂ ବୃଦ୍ଧ ବାୟୁ ପ୍ରଦୂଷଣରେ ଅଧିକ ପ୍ରଭାବିତ ହେଉଛନ୍ତି । ଯେଉଁକାରଣୁ ସେମାନଙ୍କୁ ନିଶ୍ବାସ ନେବାରେ କଷ୍ଟ ହେଉଛି । କୋର୍ଟ ତାଙ୍କୁ, ତାଙ୍କ ସାଙ୍ଗମାନଙ୍କୁ ଏବଂ ଆଗାମୀ ପିଢିକୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି । ,ଏଥିସହିତ ଧାରା ୯୯-ଏ ଅନୁଯାୟୀ, ସରକାର ନାଗରିକଙ୍କୁ ଏକ ସ୍ବଚ୍ଛ ଏବଂ ସୁସ୍ଥ ପରିବେଶ ଯୋଗାଇବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି କୁନି ଝିଅଟି ତାର ପିଟିସନରେ ଦର୍ଶାଇଛି । କିନ୍ତୁ ପଞ୍ଜାବ ସରକାର ପାକିସ୍ତାନର ସମ୍ବିଧାନ ଦ୍ୱାରା ନିଶ୍ଚିତ ହୋଇଥିବା ମୌଳିକ ଅଧିକାରର ସୁରକ୍ଷା କରିବାରେ ବିଫଳ ହୋଇଛନ୍ତି ।

ସେପଟେ ସେଠିକା ପଞ୍ଜାବ ସରକାର ବାୟୁର ସ୍ଥିତି ଏଭଳି ଆଉ ୧୦ ଦିନ ରହିବ ବୋଲି ସତର୍କ କରାଇଛନ୍ତି । ଯେଉଁକାରଣରୁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିବ ଏଥିସହିତ ଲୋକଙ୍କୁ ମାସ୍କ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ସରକାର । ତେବେ କେବଳ ପାକିସ୍ତାନର ଲାହୋର ଅଞ୍ଚଳ ନୁହେଁ ଏଥିସହିତ ସେଠିକା ମୁଲତନ, ଗୁଜରନଓ୍ବାଲା ସହରଗୁଡିକରେ ମଧ୍ୟ ବାୟଚର ସ୍ଥିତି ଅତି ନିମ୍ନମାନର ।

Related Articles

Leave a Reply

Your email address will not be published. Required fields are marked *

Back to top button