ଓଡିଶା

ପୁର ପଲ୍ଲୀରେ ବନ୍ଦାଣ ପର୍ବ, ବଳଦକୁ ନେଇ ଅଣ୍ଡା ମଡ଼ା ଗଲା

କେନ୍ଦୁଝର ସଦର,୩୧/୧୦ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପୁରପଲ୍ଲୀରେ ଗୁରୁବାର ଏବଂ ଶୁକ୍ରବାର ଦୁଇ ଦିନ ଧରି ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ପ୍ରଥମ ଦିନ ଅବସରରେ ଗାଁ ଗଣ୍ଡାରେ ପାରମ୍ପରିକ ପୂଜା ଅର୍ଚ୍ଚନା ଦେଖିବାକୁ ମିଳିଛି। ଏହି ପର୍ବ ବିଶେଷ କରି ମହାନ୍ତ ଏବଂ ଓରାମ ସମ୍ପ୍ରଦାୟର ଲୋକମାନେ ଖୁବ ଆଡମ୍ବର ସହିତ ପାଳନ କରିଥାନ୍ତି ।

ବିଧିର ବିଧାନ ପାଇଁ ଏହି ସମ୍ପ୍ରଦାୟର ଲୋକମାନେ ନିଜ ବଳଦ ଦ୍ୱାରା ଗୋଠାଣିରେ ଅଣ୍ଡା ମଡ଼ା କାର୍ଯ୍ୟକ୍ରମ କରିଛନ୍ତି ।

ଗାଈ ଗୋଠାଣୀରେ ଦେହୁରୀ ଯଥା ବିଧି ଅନୁଯାୟୀ ପୂଜା ଅର୍ଚ୍ଚନା କରିବା ପରେ ଗୋଠାଣିର ପୂଜା ସ୍ଥାନରେ ପୂଜା କରାଯାଇଥିବା ଅଣ୍ଡାକୁ ସ୍ଥାପନ କରି ବଳଦ ଗୁଡିକୁ ସେହି ସ୍ଥାନକୁ ନିଆଯାଇ ଅଣ୍ଡା ମଡ଼ା ଯାଇଥିଲା । ଏଥିରେ ଯେଉଁ ବଳଦ ଅଣ୍ଡାଟିକୁ ମାଡିଥାଏ ସେହି ବଳଦକୁ ଶ୍ରୀ ବଳଦ କୁହାଯାଏ। ଅଣ୍ଡା ମାଡିଥିବା ବଳଦ ମାଲିକଙ୍କ ଘରେ ଲଷ୍ମୀ ପ୍ରବେଶ ହୋଇଛି ବୋଲି ସମ୍ପ୍ରଦାୟର ଲୋକମାନେ ମାଂସ ଭାତ ଆଦି ଆସର କରିଛନ୍ତି । ଏହି ପର୍ବ ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ଘରେ ଘରେ ଲୋକମାନେ ତାଙ୍କରି କୃଷି ଉପରକରଣକୁ ପୂଜା କରିବା ସହ ଗାଈ ବଳଦକୁ ବନ୍ଦାପନା କରିଛନ୍ତି ।

ଘର ଦୁଆର ଲିପା ପୋଛା କରିବା ସହ ସୁନ୍ଦର ଭାବେ ଝୁଟି ଚିତା ପକାଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ପଦ୍ମପୁର, ଗୋବର୍ଦ୍ଧନ, ପର୍ଜନପୁର, ନୂଆଗାଁ, ଶଙ୍କିରୀ, ନେଲୁଙ୍ଗ, ଡିମ୍ବ, ଶିରିଶିପାଳ, ବରଦାପାଳ, ମହାଦେଇଯୋଡ଼ା, କାଉରିକଳା, ହାଣ୍ଡିଭଙ୍ଗା, କାଠବାରି, ବାଉରିପଦା, ନରଣପୁର ଆଦି ବିଭିନ୍ନ ପଞ୍ଚାୟତର ଗ୍ରାମ ଗୁଡିକରେ ମହାନ୍ତ ଏବଂ ଓରାମ ସମ୍ପ୍ରଦାୟର ଲୋକମାନେ ଏହି ପର୍ବ ପାଳନ କରିଥିବା ଦେଖିବାକୁ ମିଳିଛି।

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button