ଅଙ୍ଗଦାନ କରି ଅଲେଖଙ୍କୁ ମିଳିଲା ରାଷ୍ଟ୍ରୀୟ ସମ୍ମାନ, ମୃତ୍ୟୁ ପରେ ରହିବେ ଅମର
ଅଲେଖଙ୍କୁ ଝୁରୁଛି ଗାଁ ଝୁରୁଛି ଅଞ୍ଚଳ। ଅଲେଖଙ୍କ ମୃତ୍ୟୁରେ ପୂରା ଗାଁ ସ୍ତବ୍ଧ, ସମସ୍ତଙ୍କ ଆଖିରେ ଝରୁଛି ଲୁହ । ଜୀବିତ ଥିବାବେଳେ ସେ ଅଞ୍ଚଳ ପାଇଁ ଯାହା କରିଯାଇଛନ୍ତି ତାହା ସବୁଦିନ ପାଇଁ ଅଞ୍ଚଳବାସୀଙ୍କ ମନରୁ ଲିଭିବନି । ଅଲେଖଙ୍କ ମୃତ୍ୟୁ ପରେ ବି ସେ ସବୁଦିନ ପାଇଁ ଅମର ହୋଇ ରହିବେ । କେବଳ ଅଞ୍ଚଳ ନୁହେଁ ସାରା ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଗୌରବ ।
ମୃତ୍ୟୁ ପରେ ବି ଅଲେଖ ନିଜ ଅଙ୍ଗଦାନ କରି ଆଜି ଅଞ୍ଚଳପାଇଁ ସାଉଁଟୁଛନ୍ତି ପ୍ରଶଂସା ।
ତେବେ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଦେବଗିରି ପାହାଡ଼ ପାଦ ଦେଶରେ ଥିବା ନିପଟ ମଫସଲ ଅଞ୍ଚଳର ଛୋଟ ଗାଁ ଦରଖୋଳି । ଏହି ଗାଁରେ ରହୁଥିଲେ ଅଲେଖ ପରିଡ଼ା । ଅଲେଖ ନିଜ ମହତ କାର୍ଯ୍ୟ ପାଇଁ କେବଳ ଜିଲ୍ଲା ନୁହେଁ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତାଙ୍କର ମହତ କାର୍ଯ୍ୟ ପାଇଁ ଚାରିଆଡ଼େ ଚର୍ଚ୍ଚା ଲାଗିରହିଛି ।
ଜଣେ ଶାନ୍ତ ସରଳ ସ୍ୱଭାବର ମଣିଷ ସେ । ଅଲେଖ ପରିଡା ଗାଁର ୱାର୍ଡ ସଭ୍ୟ ଭାବେ ଜିତି ଗାଁର ସବୁ ଲୋକଙ୍କର ଅତି ପ୍ରିୟ ହୋଇ ପାରିଥିଲେ । ହଠାତ ଘରେ ଥିବା ବେଳେ ସେ ଅଚେତ ହୋଇ ପଡି ଯାଇଥିଲେ । ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ସଙ୍ଗେ ସଙ୍ଗେ ସୋର ପରେ ବାଲେଶ୍ୱର ନେଇଥିଲେ । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ନେଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଅଲେଖ ଅଙ୍ଗଦାନ ପାଇଁ ଏଗ୍ରିମେଣ୍ଟ କରିଥିବା ବେଳେ ପରିବାର ଲୋକଙ୍କ ସହମତିରେ ଉକ୍ତ ମେଡିକାଲରେ ଅଙ୍ଗଦାନ କରି ଲିଭର ଓ କିଡନୀକୁ ଦାନ କରିଛନ୍ତି । ତାଙ୍କ ଅଙ୍ଗ ଦାନ ଫଳରେ ଅନ୍ୟ ଜଣଙ୍କ ଜୀବନ ବଞ୍ଚିଛି ।
ଗାଁରେ ମୃତ ଶରୀର ପହଁଚିବା ପରେ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମାପନ ହୋଇଥିଲା । ତାଙ୍କ ମୃତ ଦେହ ଗାଁରେ ପହଁଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମର ଶରୀରକୁ ଶୋକାକୁଳ ପରିବେଶ ମଧ୍ୟରେ ଆଣିଥିଲେ । ଅଲେଖ ନିଜ ଅଙ୍ଗଦାନ କରି ଅଞ୍ଚଳବାସୀଙ୍କ ପାଇଁ ଆଣିଛନ୍ତି ଗର୍ବ ଏବଂ ଗୌରବ ।