ବଡ଼ଭାଇ ତାଗିଦ୍ କରିବାରୁ ଖାଇବାରେ ବିଷ ଦେଇଦେଲା ସାନ, ମୃତ୍ୟୁ ପୂର୍ବରୁ ସାନଭାଇ ନାଁରେ ଏତଲା ନ ଦେବାକୁ ଅନୁରୋଧ.
ଭୁବନେଶ୍ୱର: ‘ଭାଇରେ! କାହିଁକି ଏମିତି ମୋ ସାଙ୍ଗରେ କଲୁ? କ’ଣ କ୍ଷତି କରିଥିଲି ତୋର? ବେଳେବେଳେ ଟିକିଏ ତାଗିଦ୍ କରିଦିଏ। ବଡ଼ ଭାଇଟା ସେତିକି କରନ୍ତାନି କି ? ତା’ ବୋଲି ମୋତେ ବିଷ ଦେଇଦେଲୁ। ମୋ’ ଛାତି, ପେଟରେ ଭାରି କଷ୍ଟ ହେଉଛି। ତୁ କେମିତି ବିଷ ଦେଲୁ, ଭାବି ପାରୁ ନାହିଁ। ଅନ୍ୟ କିଏ ହେଇଥିଲେ ଏତେ କଷ୍ଟ ହୁଅନ୍ତାନି।
ଯୋଉ ଭାଇକୁ ମୁଁ ଏତେ ଭଲ ପାଉଛି, ସିଏ ମତେ ବିଷଦେଲା ବୋଲି ମୋର ବିଶ୍ୱାସ ହେଉନି। ତୋ’ ହାତ ଗୋଡ଼ ଧରୁଛି। କୋଉ ବିଷ ଦେଇଛୁ ଟିକେ କହରେ। ଡାକ୍ତରଙ୍କୁ ଟିକେ କହିବି, ମୋତେ ଟ୍ରିଟ୍ମେଣ୍ଟ କରିବେ। ଭାରି କଷ୍ଟ ହେଉଛିରେ….”
ଏହା କୋଉ ସିନେମା କିମ୍ବା ଧାରାବାହିକର ସଂଳାପ ନୁହେଁ। ମରିବା ପୂର୍ବରୁ ଜଣେ ବଡ଼ ଭାଇ ନିଜ ସାନ ଭାଇକୁ କରିଥିବା ଶେଷ ଫୋନ୍ କଲ୍ର କିଛି ଅଂଶ। ୧୦ ମିନିଟ ୧୩ ସେକେଣ୍ଡର ଏହି ଅଡିଓ କଲ୍ ଶୁଣିଲେ ଜଣେ ଯେତେ କଠୋର ହୃଦୟର ମଣିଷ ହେଲେ ବି କ୍ଷଣକ ପାଇଁ ଦୋହଲିଯିବ ତା’ର ଆତ୍ମା, କାନ୍ଦି ଉଠିବ ତା’ର ହୃଦୟ। ନିଜ ଅଜାଣତରେ ଆଖିରୁ ଝରି ଆସିବ ଦୁଇ ଟୋପା ଲୁହ। ମା’ ପେଟର ଭାଇ କିପରି ଆଉ ଗୋଟେ ଭାଇକୁ ମାରିବା ପାଇଁ ପିଶାଚ ସାଜିପାରେ, ଏହା ତାହାର ଉଦାହରଣ। ନିଶ ଉଠି ନ ଥିବା ଅଳ୍ପ ବୟସର କିଶୋରଟି କିପରି ବଡ଼ ଭାଇକୁ ମାରିବାକୁ ଷଡ଼ଯନ୍ତ୍ର କରିପାରେ, ତା’ର ଅଜାଣତରେ ବିଷ ଦେଇପାରେ ଏହା ତାହାର ଉଦାହରଣ। ଅନ୍ୟପକ୍ଷରେ ଜୀବନ ବଞ୍ଚାଇବା ପାଇଁ ସାନ ଭାଇକୁ ଫୋନ୍ କରି ବଡ଼ ଭାଇର ନେହୁରା ଯେକୌଣସି ଲୋକକୁ କିଛି କ୍ଷଣ ପାଇଁ ସ୍ତବ୍ଧ, ବାକ୍ଶୂନ୍ୟ, ବିଚଳିତ କରି ଦେଇପାରେ।
ଘଟଣାଟି ହେଉଛି ଏମିତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ୧୨ ନମ୍ୱର ୱାର୍ଡ ଗୁଣ୍ଡିଚା କଲୋନୀରେ ପତ୍ନୀ, ୩ ପୁଅ ଓ ଗୋଟିଏ ଝିଅ ସହ ବାସ କରନ୍ତି ପ୍ରଦୀପ କୁମାର ଦାସ। ବଡ଼ ପୁଅ ଦେବବ୍ରତ ଓ ମଝିଆ ପୁଅ ସତ୍ୟବ୍ରତ ମିଶି ଘରପାଖରୁ ଆଠ କିଲୋମିଟର ଦୁରରେ ଏକ କୁକୁଡ଼ା ଫାର୍ମ କରିଛନ୍ତି ଏବଂ ଦୁଇଭାଇ ସେଠାରେ ରାତିରେ ରୁହନ୍ତି। ଗତ ଅଗଷ୍ଟ ମାସରୁ ଦେବବ୍ରତର ଦେହ ଭଲ ରହୁନଥିବାରୁ କଟକ ବଡ ମେଡିକାଲରେ ଦେଖାଇ ଘରକୁ ଫେରିଥିଲା। ଗତ ସେପ୍ଟେମ୍ୱର ମାସ ୧୮ ତାରିଖ ରାତି ୩ଟାରେ ଦେବବ୍ରତ ବାପାଙ୍କୁ ଫୋନ କରି କହିଲା ମଝିଆ ଭାଇ ସତ୍ୟବ୍ରତ ମୋତେ ମାରିବାକୁ ଉଦ୍ୟମ କରୁଛି। ମୋତେ ଘର ବାହାରପଟରୁ ଚାବି ଦେଇ ମୋ ଖାଦ୍ୟରେ ଫର୍ମାଲିନ୍ ଓ ପୋଟାସିୟମ୍ ପକାଇ ଦେଇ ପଳାଇଛି। ମୁଁ ଚାବି ଭାଙ୍ଗି ଘସିପୁରା ମେଡିକାଲ ଆସିଛି। ଖବର ପାଇ ସଙ୍ଗେ ସଙ୍ଗେ ପ୍ରଦୀପ ମେଡିକାଲରେ ପହଞ୍ଚିଥିଲେ। ଦେବବ୍ରତ ଘସିପୁରା ମେଡିକାଲରେ ୩ ଦିନ ଚିକିତ୍ସା ହେବା ମଧ୍ୟରେ ଆସ୍ତେ ଆସ୍ତେ ତା’ର ଆଖିକୁ ଦେଖାଗଲାନାହିଁ। ପୁଅର ଅବସ୍ଥା ଖରାପ ହେଉଥିବାବେଳେ ପ୍ରଦୀପ ଦେବବ୍ରତକୁ କଟକ ବଡ଼ ମେଡିକାଲକୁ ନେଇଥିଲେ। ଯେଉଁ ୧୦ ମିନିଟ୍ ୧୩ ସେକେଣ୍ଟର ଅଡିଓ ଏବେ ଭାଇରାଲ୍ ହେଉଛି, ତାହା ଦେବବ୍ରତ ନିଜର ମୃତ୍ୟୁ ପୂର୍ବରୁ କଟକ ବଡ଼ ଡାକ୍ତରଖାନାରୁ ସତ୍ୟବ୍ରତକୁ କଲ୍ କରିଥିବା ସୂଚନା ମିଳିଛି।
ସାନଭାଇର ପୈଶାଚିକ କାମ ଜାଣିବା ପରେବି ଦେବବ୍ରତ ତା’ ବିରୋଧରେ ପୁଲିସରେ ଏତଲା ଦେବ ନାହିଁ ବୋଲି କହୁଛି। ବାରମ୍ବାର କେଉଁ ବିଷ କେଉଁ ଖାଦ୍ୟରେ କେତେଥର ମିଶେଇଛି ବୋଲି ଦେବବ୍ରତ ପ୍ରଶ୍ନ କରୁଛି। ଅଡିଓ କଲ୍ରେ ମୋଟ ୩ ଥର ଖାଦ୍ୟରେ ବିଷ ଦେଇଥିବା ନେଇ ସାନଭାଇ ସତ୍ୟବ୍ରତ ସ୍ୱୀକାର ମଧ୍ୟ କରିଛି। ତେବେ ଅଡିଓ କଲ୍ର ଶେଷ କେତେକ ଅଂଶ ଯେକୌଣସି ମଣିଷକୁ ବିଚଳିତ କରି ଦେଇପାରେ। ଶେଷ ଶଯ୍ୟାରେ ଥାଇବି ଦେବବ୍ରତ ଯେପରି ନିଜର ବଡ଼ଭାଇ ଭୂମିକା ତୁଲାଇଛନ୍ତି, ତାହା ସମସ୍ତଙ୍କୁ ବାକ୍ରୁଦ୍ଧ କରି ଦେଇଛି। ‘ମତେ ମାରି ଦେଇ କ’ଣ ଲାଭ ପାଇବୁ? ସମସ୍ତେ କହୁଛନ୍ତି, ତୋ ବିରୋଧରେ କେସ୍ କରିବା ପାଇଁ । କିନ୍ତୁ ତୁ ମୋ ମାଆ ପେଟର ଭାଇ ବୋଲି କେସ୍ କରୁନାହିଁ। ମୁଁ ତୋର କିଛି କ୍ଷତି କରିବାକୁ ଏବେ ବି ଚାହୁଁନାହିଁ। ମତେ ବହୁତ କଷ୍ଟ ହେଉଛିରେ….’ ବୋଲି କହିଛନ୍ତି ଦେବବ୍ରତ।
ମିଳିଥିବା ସୂଚନା ଅନୁଯାୟୀ, କଟକରେ ପ୍ରାୟ ୧୦ ଦିନ ଚିକିତ୍ସା ପରେ ଗତ ୩ ତାରିଖରେ ଦେବବ୍ରତଙ୍କର ଦେହାନ୍ତ ହୋଇଛି। ତାଙ୍କ ମୃତ ଦେହକୁ ଘରକୁ ନ ଆଣି ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରିଛନ୍ତି ବାପା ପ୍ରଦୀପ। ସାନପୁଅ କାହିଁକି ଏମିତି କାମ କଲା, ସେନେଇ ବାପା ପ୍ରଦୀପ କିଛି ବି କହିପାରୁ ନାହାନ୍ତି। ତେବେ ସତରେ ଭାଇଟିଏ କ’ଣ ଭାଇ ସାଙ୍ଗରେ ଏମିତି କରିପାରେ? ନିହିତ ସ୍ୱାର୍ଥ ପାଇଁ ବଡ଼ ଭାଇର ସ୍ନେହ, ପ୍ରେମ, ମମତାକୁ ପଛକରି ତାକୁ ବିଷଦେଇ ମାରିପାରେ ? ଏହାହିଁ ଆଜି ଅନେକଙ୍କୁ ଆନ୍ଦୋଳିତ କରୁଛି।