ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କଲେ ନବୀନ, ଏକାମ୍ରରୁ ହେଲେ ପ୍ରଥମ ସଭ୍ୟ
ଭୁବନେଶ୍ଵର, ୦୯/୧୦ : ବିଜେଡିରେ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ସେ ଏକାମ୍ର ନିର୍ବଚନ ମଣ୍ଡଳୀରୁ ବିଜେଡିର ପ୍ରଥମ ସଭ୍ୟ ହୋଇଛନ୍ତି। ଏହା ସହ ନିଜ ସଦସ୍ୟ ପଦକୁ ନବୀକରଣ କରିଛନ୍ତି। ଏହି ଅବସରରେ ନବୀନ ଅଭିଭାଷଣ ରଖିଛନ୍ତି।
ନବୀନ କହିଛନ୍ତି ଯେ, ସଦସ୍ୟତା ସଂଗ୍ରହ ରାଜନୈତିକ ଦଳକୁ ମଜବୁତ କରେ।
ଲୋକଙ୍କ ଘରକୁ ଯାଇ ବିଜେଡିର ଆଦର୍ଶ ଓ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାନ୍ତୁ। ଏହା ସହ ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କୁ ସାମିଲ ହେବାକୁ ସେ ଅପିଲ୍ କରିଛନ୍ତି। ନବୀନ କହିଛନ୍ତି ଯେ, ସେବା ଓ ସ୍ଵାଭିମାନର ସଂଗ୍ରାମ ଆମ ନୀତି ଆଦର୍ଶ। ଆମ ସରକାର ସମୟରେ ବହୁତ ଭଲ କାମ ହୋଇଛି। ଆମ ସରକାରର ଯୋଜନା ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ। ଭୋଟ ବ୍ୟାଙ୍କ ସୃଷ୍ଟି କରିବା ଆମର ଲକ୍ଷ୍ୟ ନଥିଲା। ଓଡିଶାବାସୀଙ୍କ ସେବା ଆମର ଲକ୍ଷ୍ୟ। ବିଜୁ ବାବୁଙ୍କ ସ୍ଵପ୍ନ। ଆମ ଭୋଟ ପ୍ରତିଶତ ଅଧିକ। ବିଜେଡି ଓଡିଶାବାସୀଙ୍କ ହୃଦୟରେ ଅଛି। ଆମେ ମିସ୍ କଲ୍ ମାରି ସଦସ୍ୟତା ସଂଗ୍ରହ କରୁନୁ, ତାଠୁ ଉର୍ଦ୍ଧ୍ଵରେ ଆମେ।
ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଦିନ ୧୧ଟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଫିଜିକାଲି ଏବଂ ଡିଜିଟାଲି ସଭ୍ୟ ସଂଗ୍ରହ କରାଯାଇଛି। ସବୁ ଜିଲ୍ଲାରୁ କର୍ମକର୍ତ୍ତାମାନେ ଭର୍ଚୁଆଲ୍ ମୋଡରେ ଉପସ୍ଥିତ ରହିଛନ୍ତି।
ଆଞ୍ଚଳିକ ଦଳ ଭାବରେ ବିଜେଡି ସବୁବେଳେ ସଭ୍ୟ ସଂଗ୍ରହକୁ ଗୁରୁତ୍ଵ ଦେଇ ଆସିଛି। ଛାତ୍ର ଏବଂ ଯୁବକଙ୍କୁ ବିଜେଡି ଫୋକସ୍ରେ ରଖିଛି। ତେବେ ପୂଜା ପରେ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ଵରାନ୍ଵିତ କରାଯିବ। ଅକ୍ଟୋବର ୯ରୁ ଡିସେମ୍ବର ୯ ପର୍ଯ୍ୟନ୍ତ ବିଜେଡିର ସଭ୍ୟ ସଂଗ୍ରହ ହେବ । ପୂର୍ବରୁ ବିଜେଡି ସହ ୧ କୋଟି ପ୍ରାଥମିକ ସଦସ୍ୟ ଏବଂ ୩ ଲକ୍ଷ ୪୦ ଲକ୍ଷ ୪୦ ହଜାର ସକ୍ରିୟ ସଦସ୍ୟ ଯୋଡି ହୋଇଥିଲେ। ଏଥର ଦଳ ୧ କୋଟି ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି।