ଓଡିଶା

ଝାରପଡ଼ା ଜେଲ୍‌ରେ ପୁଲିସର ଚଢ଼ଉ: କଏଦୀଙ୍କ ପାଖରେ ପୁଳାପୁଳା ନିଶାଦ୍ରବ୍ୟ – bajravana

[ad_1]

ଭୁବନେଶ୍ବର: କେଉଁ ସେଲ୍‌ରୁ ପୁଳାପୁଳା ଗଞ୍ଜେଇ ତ କେଉଁ ସେଲ୍‌ରୁ ବିଡ଼ି ବଣ୍ଡଲ। ଖାଲି ସେତିକି ନୁହେଁ, ଗଞ୍ଜେଇ ସିଗାରେଟ୍‌, ଚିଲମ ପୁଣି ବ୍ରାଉନ୍‌ସୁଗାର। ତାହାପୁଣି କେଉଁ କଏଦୀର ମୁଢ଼ି ଡବାରୁ ବାହାରୁଛି ତ କାହାର ଫଳବ୍ୟାଗରୁ। ଗାଧୁଆଘରଠୁ ଆରମ୍ଭ କରି ବାହାର ଅଗଣାର ପର୍ଯ୍ୟନ୍ତ, ଯେଉଁଠି ହାତ ବୁଲାଇଲେ ପୁଳାପୁଳା ନିଶାଦ୍ରବ୍ୟ। ଯେମିତି ସାରା ପରିସର କୌଣସି ନିଶା ‌ମାଫିଆର ଗୋଦାମଘର! ବୁଧବାର ସକାଳୁ ସକାଳୁ ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ବରେ କମିସନରେଟ୍‌ ପୁଲିସର ସ୍ବତନ୍ତ୍ର ଟିମ୍‌ ଝାରପଡ଼ା ଜେଲ୍‌ରେ ଅତର୍କିତ ଚଢ଼ଉ ବେଳେ ଏମିତି ଦୃଶ୍ୟ ସମସ୍ତଙ୍କୁ ଚମକାଇ ଦେବା ସହିତ ସେଠାକାର ସୁରକ୍ଷା ନେଇ କର୍ତ୍ତୃପକ୍ଷଙ୍କ ଘୋର ଅବହେଳା ପଦାରେ ପଡ଼ି ଯାଇଛି।

ଏହି ଜେଲ୍‌ରେ ବାରମ୍ବାର କଏଦୀଙ୍କ ଗୋଷ୍ଠୀ ସଂଘ‌ର୍ଷ ସହିତ ନିଶାଦ୍ରବ୍ୟର ଖୋଲା ପ୍ରଚଳନ କଥା ପଦାକୁ ଆସିବା ପରେ ଆଜି ସକାଳ ପ୍ରାୟ ୬ଟା ସମୟରେ ଖୋଦ୍‌ ଡିସିପି ଶ୍ରୀ ସିଂହ, ୧୧ ଥାନା ଅଧିକାରୀ, ୨୦ ଏସ୍‌ଆଇ, ଏଏସ୍‌ଆଇ, ଦୁଇ ପ୍ଲାଟୁନ୍‌ ଫୋର୍ସ ଅଚାନକ ଜେଲ୍‌ ପରିସରରେ ପହଞ୍ଚିଥିଲେ। କମିସନରେଟ୍‌ ପୁଲିସର ଟିମ୍‌କୁ ଦେଖି ଜେଲ୍‌ କର୍ତ୍ତୃପକ୍ଷ ପ୍ରଥମେ ଦ୍ବନ୍ଦ୍ବରେ ପଡ଼ି ଯାଇଥିଲେ। ସେଲ୍‌ରେ ଚଢ଼ଉ କରିବା ସହ ପୁଲିସ ଦଳ କଏଦୀଙ୍କ ସେଲ୍‌ରୁ ତ ନିଶା ଦ୍ରବ୍ୟ ଜବତ କରିଥିଲା, ସେଲ୍‌ ବାହାରେ ମଧ୍ୟ କଏଦୀମାନେ ମାଟିତଳେ ନିଶାଦ୍ରବ୍ୟ ପୋତି ଥିବାର, ଏପରିକି ଗଛରେ ପୁଡ଼ିଆ କରି ଟାଙ୍ଗିବାର ମଧ୍ୟ ଧରିଥିଲା। ଏହି ଜେଲ୍‌ରେ ଚାଲିଥିବା ଅବାଧ ନିଶା କାରବାର ଓ ସେଥିଯୋଗୁ ହେଉଥିବା ଗଣ୍ଡଗୋଳକୁ ଜେଲ୍‌ କର୍ତ୍ତୃପକ୍ଷ ଚାପି ଦେବାକୁ ସବୁବେଳେ ପ୍ରୟାସ କରି ଆସିଛନ୍ତି। କିନ୍ତୁ ଆଜି ସ୍ବୟଂ ପୁଲିସର ଚଢ଼ଉରେ ଧରା ପଡ଼ିଥିବା ସତ୍ୟକୁ ଅସ୍ବୀକାର କରିବାର କିଛି ଉପାୟ ନାହିଁ। ତେଣୁ ସବୁଠୁ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଅଛି ବୋଲି କୁହାଯାଉଥିବା ଝାରପଡ଼ା ସ୍ବତନ୍ତ୍ର କାରାଗାର ଏଭଳି ସ୍ଥିତିକୁ ନେଇ ଜେଲ୍‌ ବିଭାଗ ଠାରୁ ଆରମ୍ଭ କରି କମିସନରେଟ୍‌ ପୁଲିସ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି। ଜେଲ୍‌ର ସେଲ୍‌ରେ କିଭଳି କଏଦୀ ଗ୍ୟାଙ୍ଗୱାର ଘଟୁଛି, କିଭଳି ନିଶାଦ୍ରବ୍ୟ କାରବାରକୁ କର୍ତ୍ତୃପକ୍ଷ ଜାଣି ପାରୁ ନାହାନ୍ତି, ତାହା ସମସ୍ତଙ୍କୁ ଆଚମ୍ବିତ କରିଛି। ଜେଲ୍‌ରେ ସ୍କାନର୍‌ ଲାଗିଛି। ବିନା ସ୍କାନ୍‌ରେ କୌଣସି ଜିନିଷ ଭିତରକୁ ପଶିବା ସମ୍ଭବ ନୁହେଁ। ଖୋଦ୍‌ ଜେଲ୍‌ ସୁପରିଟେ‌ଣ୍ଡେଣ୍ଟଙ୍କ ଅଫିସ୍‌ ମଧ୍ୟ ଜେଲ୍‌ ମୁଖ୍ୟଦ୍ବାରରେ ରହିଛି। ଏସବୁ ସତ୍ତ୍ବେ ‌କିଭଳି ଜେଲ୍‌ ଭିତରକୁ ନିଶାଦ୍ରବ୍ୟ, ମୋବାଇଲ୍‌, ଏପରିକି ମାରଣାସ୍ତ୍ର ପଶୁଛି, ତାହା ଜାଣି ସମସ୍ତଙ୍କ ମୁଣ୍ଡ ଘୂରି ଯାଉଛି।

କର୍ମଚାରୀଙ୍କ ସମ୍ପୃକ୍ତି ବିନା ଲମ୍ବା ସମୟଧରି ଏହା ଚାଲିବା ଅସମ୍ଭବ। ବାରମ୍ବାର ଏଭଳି ଘଟିବା ଜେଲ୍‌ କର୍ତ୍ତୃପକ୍ଷଙ୍କୁ ସନ୍ଦେହର ଘେରକୁ ଅନେକ ଆଗରୁ ଆଣି ସାରିଛି। କାରଣ ପୂର୍ବରୁ ଘଟିଥିବା ଘଟଣାଗୁଡ଼ିକରେ ସେଭଳି କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ତେଣୁ ଡିସିପି କେତେଜଣ ଜେଲ୍‌ କର୍ମଚାରୀଙ୍କୁ ଜେରା ମଧ୍ୟ କରିଛନ୍ତି। ସେମାନଙ୍କ ଠାରୁ ଅନେକ ତଥ୍ୟ ମିଳିଛି ବୋଲି କୁହାଯାଉଛି। ଖାଲି କର୍ମଚାରୀ ନୁହନ୍ତି, ଯେଉଁମାନଙ୍କ ନିକଟରୁ ନିଶାଦ୍ରବ୍ୟ ମିଳିଛି ସେମାନଙ୍କୁ ମଧ୍ୟ ଜେରା କରାଯାଇ ତଥ୍ୟ ସଂଗ୍ରହ କରାଯାଇଛି। ସେମାନେ କେଉଁଠୁ ନିଶାଦ୍ରବ୍ୟ ଆଣୁଛନ୍ତି, କିଏ ଯୋଗାଉଛି, ଜେଲ୍‌ ଭିତରକୁ କେମିତି ଆସୁଛି, ଏଥିରେ କେଉଁମାନେ ସହଯୋଗ କରୁଛନ୍ତି, କିଏ କେତେ ଟଙ୍କା ନେଉଛନ୍ତି, ଜେରାରୁ ଏ ବାବଦ‌ରେ ତଥ୍ୟ ମିଳିଛି। କମିସନରେଟ୍‌ ପୁଲିସ ପକ୍ଷରୁ ଏହାର ଏକ ରିପୋର୍ଟ ଜେଲ୍‌ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଦିଆଯାଇଛି। ଅନ୍ୟପଟେ ବାହାରେ ଥାଇ ଯେଉଁମାନେ ଜେଲ୍‌‌କୁ ନିଶାଦ୍ରବ୍ୟ ଯୋଗାଉଛନ୍ତି, ସେମାନଙ୍କୁ ଖୁବ୍‌ଶୀଘ୍ର ଠାବ କରାଯିବ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି। ସେହିପରି ଜେଲ୍‌ରେ ବିଶୃଙ୍ଖଳା ଘଟାଉଥିବା କଏଦୀଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ପଠାଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗକୁ ଚଢ଼ଉକୁ ଜୋରଦାର କରାଯିବ ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି।

ଝାରପଡ଼ା ଗ୍ୟାଙ୍ଗଵାର୍, ତଦନ୍ତ ନିର୍ଦ୍ଦେଶ ଦେ‌େଲ ଜେଲ୍ ଡିଜି

ଭୁବନେଶ୍ବର: ଝାରପଡ଼ା ଜେଲରେ ଗ୍ୟାଙ୍ଗଵାର ଘଟଣା ଜେଲ୍ ବିଭାଗର ଆଭ୍ୟନ୍ତରୀଣ ଶୃଙ୍ଖଳାକୁ ରାଜରାସ୍ତାକୁ ଟାଣିଆଣିଛି। ନିର୍ବାଚନ ବର୍ଷରେ ରାଜ୍ୟ ସରକାରଙ୍କ ପାଇଁ ଏହା ଅଡ଼ୁଆ ସୃଷ୍ଟି କଲାଣି। ସରକାରୀସ୍ତରରେ ଏ ନେଇ ତନାଘନା ଆରମ୍ଭ ହୋଇଛି। ନିର୍ଦିଷ୍ଟ କେଉଁ କାରଣରୁ ଜେଲ୍‌ ବାରମ୍ବାର ଭୁଲ୍ କାରଣକୁ ନେଇ ଚର୍ଚ୍ଚାକୁ ଆସୁଛି, ସରକାରୀଶୀର୍ଷସ୍ତରରେ ଚିନ୍ତନ ଆରମ୍ଭ ହେଲାଣି। ଏପଟେ ଝାରପଡ଼ା ଜେଲ୍‌ରୁ ନିଶା ସାମଗ୍ରୀ ମିଳିବା, ଗ୍ୟାଙ୍ଗୱାର୍‌ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍‌ ଡିଜି ଅମ୍ରିତ ମୋହନ ପ୍ରସାଦ। କଟକ ଜେଲ୍‌ ଡିଆଇଜି ଓ ବ୍ରହ୍ମପୁର ଜେଲ୍‌ର ବରିଷ୍ଠ ଅଧୀକ୍ଷକ ଘଟଣାର ଯୁଗ୍ମ ତଦନ୍ତ କରିବେ। ଉଭୟଙ୍କୁ ଝାରପଡ଼ା ଜେଲ୍‌ କେଳେଙ୍କାରୀର ବିଶଦ ରିପୋର୍ଟ ମଗାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।ବିଶେଷକରି ଜେଲ୍‌ ଭିତରକୁ କିଭଳି ନିଶା ଆସିଲା, ଏତେ ବଡ଼ ସୁରକ୍ଷାକୁ ଭେଦ କରି ନିଶା ସାମଗ୍ରୀ, ମୋବାଇଲ୍‌ କିଭଳି ଜେଲ୍‌ ଭିତରକୁ ଯାଉଛି ସେ ନେଇ ତଦନ୍ତ କରିବାକୁ କୁହାଯାଉଛି। କେବଳ ସେତିକି ନୁହେଁ, ନିଶା ନେଟୱର୍କ ପଛରେ ଗଡ଼୍‌ଫାଦର କିଏ ସେ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ଲାଗି ଉଭୟ ଅଧିକାରୀଙ୍କୁ କୁହାଯାଇଛି। ସେହିପରି ଅଧେ ଅଧେ ନ୍ୟାୟରେ ନିଶାକୁ ନେଇ କମିସନ ଚାଲିଛି କି? ଏସବୁ ନେଇ ଉଭୟ ଅଧିକାରୀ ରିପୋର୍ଟ ଦେବେ।

ଜେଲ୍ ଡିଆଇଜି ଓ ବ୍ରହ୍ମପୁର ଜେଲ୍ ବରିଷ୍ଠ ଅଧୀକ୍ଷକ ମିଳିତ ତଦନ୍ତ କରିବେ
ଜେଲ୍ କର୍ମଚାରୀଙ୍କ ସଂପୃକ୍ତି ଠୁ ନିଶା ମାଫିଆଙ୍କ ପର୍ଯ୍ୟନ୍ତ ଖୋଳତାଡ଼ ହେବ
ତାଲିକା ପ୍ରସ୍ତୁତି ଆରମ୍ଭ, ଗାଦିମାଡ଼ି ବସିଥିବା କର୍ମଚାରୀ ବିଦା ହେବେ
ନିଶା କାରବାର ପଛରେ ଥିବା ଗଡ଼ଫାଦରଙ୍କୁ ଚିହ୍ନଟ ଲାଗି ନିର୍ଦ୍ଦେଶ

ଗତ କିଛି ଦିନ ଧରି ଝାରପଡ଼ା ଜେଲ୍‌ରେ ଘଟୁଥିବା ଘଟଣା କିନ୍ତୁ ଉଭୟ ଜେଲ୍‌ ଅଧୀକ୍ଷକ, ଜେଲର ଏବଂ ଅନ୍ୟ କର୍ମଚାରୀଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣିଆଣିଲେଣି। ଅଳ୍ପ କିଛି କର୍ମଚାରୀଙ୍କ ଭୁଲ୍ ପାଇଁ ପୂରା ବ୍ୟବସ୍ଥାକୁ ସନ୍ଦେହ ଆଖିରେ ଦେଖାଯାଉଛି। ଜେଲ୍‌ ଶୃଙ୍ଖଳାକୁ ଭାଙ୍ଗୁଥିବା ଏହି ଅଧିକାରୀଙ୍କୁ ଚିହ୍ନଟ କରିବା ଲାଗି ମଧ୍ୟ ଜେଲ୍‌ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ଅଧିକାରୀ ଯେତେ ଶୀଘ୍ର ରିପୋର୍ଟ ଦେବେ, ସେତେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜେଲ୍ ଡିଜି ଶ୍ରୀ ପ୍ରସାଦ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି, ଝାରପଡ଼ା ଜେଲ୍‌ଟି ଗୋଟିଏ ଜନଗହଳିପୂର୍ଣ୍ଣ ଅଞ୍ଚଳ ଭିତରେ ରହିଛି। ଏହାର ଫାଇଦା ନେଇ ଅପରାଧୀ ଭିତରକୁ କେବେ କେବେ ଅସ୍ତ୍ରଶସ୍ତ୍ର ଫିଙ୍ଗୁଛନ୍ତି। ସେହି ଫର୍ମୁଲାରେ ନିଶା ସାମଗ୍ରୀ ମଧ୍ୟ ପଠାଇ ପାରନ୍ତି। ଏ ଦିଗକୁ ମଧ୍ୟ ତନ୍ନ ତନ୍ନ କରି ଅନୁଧ୍ୟାନ କରାଯିବ। ଅନ୍ୟପକ୍ଷରେ ଜେଲ୍‌ ବିଭାଗ ଗୋଟିଏ ତାଲିକା ପ୍ରସ୍ତୁତି ଆରମ୍ଭ କରିଛି। ଯେଉଁମାନେ ଦୀର୍ଘ ଦିନ ଧରି ଗୋଟିଏ ସ୍ଥାନରେ ଗାଦି ମାଡ଼ିବସିଛନ୍ତି, ସେମାନଙ୍କର ତାଲିକା ପ୍ରସ୍ତୁତି ହେଉଛି। ଏମାନଙ୍କୁ ବଦଳି କରାଯିବ ଓ ଜେଲ୍ ବ୍ୟବସ୍ଥାରେ ପୂରା ସଂସ୍କାର ଅଣାଯିବ। ଏଠାରେ ଉଲ୍ଲେଖଥାଉକି, ନିକଟରେ ଜିଲ୍ଲା ଲିଗାଲ୍ ସେଲ୍ କର୍ତ୍ତୃପକ୍ଷ ଜେଲ୍ ବିଭାଗକୁ ଯେଉଁ ରିପୋର୍ଟ ଦେଇଛନ୍ତି ସେଥିରେ ଖୋଲାଖୋଲି ନିଶା କାରବାର ସଂପର୍କରେ ଉଲ୍ଲେଖ ରହିଛି। ଏହାର ଚାକ୍ଷୁଷ ପ୍ରମାଣ ମିଳିଥିବା କୁହାଯାଇଛି। ୧୨ ତାରିଖରେ ଏହି ରିପୋର୍ଟ ଦିଆଯାଇଥିବା ସୂଚନା ମିଳିଛି। ଯଦି ଏହି ରିପୋର୍ଟ ଜେଲ୍ ବିଭାଗ ପାଖରେ ଅଛି, ତେବେ କାହିଁକି ଓ କାହା ସ୍ବାର୍ଥରେ କର୍ତ୍ତୃପକ୍ଷ ଗୋଟିଏ ସପ୍ତାହ ଧରି ହାତ ବାନ୍ଧି ବସିଥିଲେ, ତାହା ବୁଝାପଡ଼ୁନାହିଁ। କେବଳ ସେତିକି ନୁହେଁ, ଜଣେ କଏଦୀ ଅସୁସ୍ଥ ହୋଇ ଡାକ୍ତରଖାନା ଆସିବା ପରେ ବି ଅଧିକାରୀଙ୍କ ନିଦ ଭାଙ୍ଗିଲା ନାହିଁ କି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଏମିତି କିଏ ପଛରେ ରହି ଏସବୁକୁ ସୁରକ୍ଷା ଦେଉଛି, ତାହାକୁ ନେଇ ଆଲୋଚନା ମଧ୍ୟ ବଢ଼ିଲାଣି। ଖୋଦ୍ ରାଜଧାନୀର ଛାତି ଉପରେ ଥିବା ଜେଲ୍‌ ସ୍ଥିତି ଯଦି ଏମିତି, ତେବେ ରାଜ୍ୟର ଅନ୍ୟ ଜେଲ୍ ସ୍ଥିତି କେମିତି ରହିଥିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button