ମନୋରଞ୍ଜନ

ପୋଷାକ ନେଇ ଉର୍ଫିଙ୍କ ସହ ବାକ୍‌ଯୁଦ୍ଧ!

ଟେଲି ଅଭିନେତ୍ରୀ ଚାହତ ଖନ୍ନା ସାମାଜିକ ଗଣମାଧ୍ୟମର ଜରିଆରେ ଉର୍ଫି ଜାଭେଦଙ୍କ ପୋଷାକ ପରିଧାନକୁ ନେଇ ଟିପ୍ପଣୀ କରିଥିଲେ ଯାହା କ୍ରମେ ଏକ ଅରୁଚିକର ବାକ୍‌ଯୁଦ୍ଧର ରୂପ ନେଇଛି। ଫଳସ୍ବରୂପ ଏ ଦୁହିଁଙ୍କ ଲଢ଼େଇ ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକୃତରେ ଚାହତ ପ୍ରଥମେ ଇନ୍‌ଷ୍ଟାଗ୍ରାମ୍‌ରେ ଉର୍ଫିଙ୍କ ଅର୍ଦ୍ଧନଗ୍ନ ଫଟୋଟିଏ ଛାଡ଼ି ଲେଖିଥିଲେ- “କିଏ ଏମିତି ପୋଷାକ ପିନ୍ଧେ? ଯେ କେହି ନିଜର ପୋଷାକ ଖୋଲିଦେଲା ବୋଲି ଗଣମାଧ୍ୟମ ତାଙ୍କୁ କ’ଣ ସେଲିବ୍ରିଟି କରିଦେବ? ଗଣମାଧ୍ୟମ କ’ଣ ଏତେ ଦୁର୍ବଳ? ତୁଚ୍ଛ ସାମୟିକ ଲୋକପ୍ରିୟତା ହାସଲ କରିବା ସହଜ। ତୁମକୁ ଭଗବାନ ସଦ୍‌ବୁଦ୍ଧି ଦିଅନ୍ତୁ।’’ ଏହାର ଜବାବ୍‌ରେ ଉର୍ଫି ଚାହତଙ୍କୁ କହିଥିଲେ- ଅନ୍ତତଃ ମୁଁ ତୁମ ଭଳି ପଇସା ଦେଇ ଅନୁଗାମୀ ସଂଖ୍ୟା ବଢ଼ାଏ ନାହିଁ। ମୁଁ ଏକ ସାକ୍ଷାତକାର ପାଇଁ ଯାଇଥିଲି ଓ ସେଥିପାଇଁ ସେଭଳି ପୋଷାକ ପିନ୍ଧିଥିଲି। ତୁମେ ପ୍ରକୃତରେ ଈର୍ଷା କରୁଛ ଯେ ଟଙ୍କା ଦେଲା ପରେ ବି ଫଟୋସାମ୍ବାଦିକ ମାନେ ତୁମ ଫଟୋ ଉଠାଉ ନାହାନ୍ତି। ଯିଏ ଯାହା କରୁ ସେଥିରେ ତୁମର କ’ଣ ଯାଏ ଆସେ? ଏଥି ସହିତ ରଣବୀର ସିଂହ ଯେଉଁ ଉଲଗ୍ନ ଫଟୋ ଉଠାଇଥିଲେ ତା ବିରୋଧରେ ଚାହତ ଖନ୍ନା ସ୍ବର ନ ଉଠାଇବା ତାଙ୍କର ଛଳନାକୁ ଦର୍ଶାଉଛି ବୋଲି ଉର୍ଫି କହିଥିଲେ।

ଏହି ଲଢ଼େଇ କ୍ରମେ ବ୍ୟକ୍ତିଗତ ସ୍ତରକୁ ପହଞ୍ଚିଯାଇଥିଲା। ଚାହତ କ୍ୟାମେରାକୁ ପୁଙ୍ଗୁଳା ପିଠି ଦେଖାଉଥିବା ଏକ ଫଟୋକୁ ଦେଖାଇ ଉର୍ଫି ପୁଣି ଲେଖିଥିଲେ, “ତୁମେ ନିଜେ ସାମାଜିକ ଗଣମାଧ୍ୟମରେ ଏପରି ଫଟୋ ଛାଡ଼ିବା କ’ଣ ଗ୍ରହଣୀୟ? ଅତି କମ୍‌ରେ ମୁଁ ଦୁଇଜଣ ପୂର୍ବ ସ୍ବାମୀଙ୍କ ଟଙ୍କାରେ ବଞ୍ଚୁନାହିଁ।’’ ସ୍ବାଭାବିକ ଭାବେ ଏଥିରେ ଚିହିଁକି ଉଠି ଚାହତ କହିଛନ୍ତି “ମୋତେ ଜାଣିଥିବା ଲୋକେ ଭଲଭାବେ ଜାଣନ୍ତି ଯେ ମୁଁ କଠିନ ପରିଶ୍ରମ ବଳରେ ଏ ସ୍ଥାନରେ ପହଞ୍ଚିଛି, ଭରଣପୋଷଣ ଟଙ୍କାରେ ନୁହେଁ। ମୁଁ ଛାଡ଼ପତ୍ର ପରେ ସେମାନଙ୍କ ଠାରୁ ଟଙ୍କାଟିଏ ନେଇ ନାହିଁ। ସଭିଙ୍କୁ ଜଣା ମୋ ଛାଡ଼ପତ୍ରକୁ ସହଜରେ ଟାର୍ଗେଟ୍‌ କରାଯାଇପାରେ। କିନ୍ତୁ ସଭ୍ୟ ଲୋକ ସେପରି କରିବେ ନାହିଁ, ତୁମ ଭଳି ଅସଭ୍ୟ ଲୋକ ପାଖରୁ ତାହା ମୁଁ ଆଶା କରେ ନାହିଁ।’’ ଖୋଲାଖୋଲି ଭାବେ ଏଭଳି ବ୍ୟକ୍ତିଗତ ଲଢ଼େଇ ଦେଖି ମନେ ହେଉଛି ଉଭୟ ସେଲିବ୍ରିଟି ବୋଧେ ଓଡ଼ିଆ ଭାଷାର ଏହି ଢଗ କେବେ ଶୁଣିନାହାନ୍ତି- ‘ତୁ ତ ମୂତୁରୀ, ମୁଁ ତ ମୂତୁରୀ, ‌ହେଁସ କାହିଁ ପାଇଁ ଧୋଇବା?’

Related Articles

Leave a Reply

Your email address will not be published. Required fields are marked *

Back to top button