ରୋମାଞ୍ଚହୀନ ସଇତାନ – bajravana
[ad_1]
‘କୁଇନ୍’ ପାଇଁ ଜାତୀୟ ପୁରସ୍କାର (ଶ୍ରେଷ୍ଠ ଫିଚର ଫିଲ୍ମ) ପାଇଥିବା ନିର୍ଦେଶକ ବିକାଶ ବହଲ ପ୍ରଥମ ଥର ପାଇଁ ଭୂତ କାହାଣୀରେ ହାତ ଦେଇଛନ୍ତି। ‘ସଇତାନ’ ହେଉଛି ଗତ ବର୍ଷ ମୁକ୍ତିଲାଭ କରିଥିବା ହିଟ୍ ଗୁଜରାଟୀ ଚଳଚ୍ଚିତ୍ର ‘ବଶ’ର ରିମେକ୍। ଏହାର ଟ୍ରେଲର୍ ଦେଖିଲେ ଯେ କେହି ଅନୁମାନ କରିବ ଯେ ଏହା ରୋମାଞ୍ଚକର ଅନୁଭୂତିର ପ୍ରତିଶ୍ରୁତି ବହନ କରୁଛି। ‘କଳା ଯାଦୁ’ ହେଉଛି ସିନେମାର କେନ୍ଦ୍ରବିନ୍ଦୁ। ପୁଣି ଦୁଇଜଣ ପ୍ରବୀଣ ଅଭିନେତା- ଅଜୟ ଦେବଗନ ଓ ଆର୍. ମାଧବନ ଯଥାକ୍ରମେ ନାୟକ ଓ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତଥାପି ପ୍ରାୟ ଅଢ଼େଇ ଘଣ୍ଟାର ଏହି ସିନେମାଟି ବିଶେଷ ଶିହରଣ ସୃଷ୍ଟି କରିବାରେ ବିଫଳ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସିନେମାରେ ଅଜୟ ଦେବଗନଙ୍କ ଭୂମିକାର ‘ଦୃଶ୍ୟମ’ ଚରିତ୍ର ସହ ଅନେକ ସାମଞ୍ଜସ୍ୟ ରହିଛି। ‘ଦୃଶ୍ୟମ’ ପରି ଏଥିରେ ମଧ୍ୟ ଅଜୟ ଜଣେ ଯତ୍ନଶୀଳ ବାପା ଭାବେ ଅଭିନୟ କରିଛନ୍ତି। ଛୁଟି କାଟିବା ପାଇଁ ସ୍ତ୍ରୀ ଓ ପୁଅ-ଝିଅଙ୍କୁ ନେଇ ଏକ ଫାର୍ମ ହାଉସ୍ରେ ପହଞ୍ଚିବା ପରେ ଖଳନାୟକ ଚରିତ୍ରର ଆବିର୍ଭାବ ହୋଇଛି। ଇଂରେଜୀ କହୁଥିବା ଆଧୁନିକ ତାନ୍ତ୍ରିକ ‘ବନରାଜ’ ଚରିତ୍ରରେ ଆର୍. ମାଧବନଙ୍କ ଅଭିନୟ କ୍ରମେ ଅନ୍ୟ ସମସ୍ତଙ୍କୁ ପଛରେ ପକାଇଦେଇଛି। ତେବେ ‘ବନରାଜ’ କେଉଁ କାରଣରୁ ତାନ୍ତ୍ରିକରେ ପରିଣତ ହେଲା ତାହାର ପ୍ରଚ୍ଛଦ କାହାଣୀର ଅଭାବ ତାଙ୍କ ଚରିତ୍ରକୁ ସାମାନ୍ୟ ଦୁର୍ବଳ କରିଛି। ବୋଧହୁଏ ଅଜୟ ଏହି ଚଳଚ୍ଚିତ୍ରର ଜଣେ ପ୍ରଯୋଜକ ହୋଇଥିବାରୁ ତାଙ୍କ ଚରିତ୍ରକୁ ଅଧିକ (ଅଥବା ସମାନ) ଓଜନ ଦେବା ପାଇଁ ମାଧବନଙ୍କ ଚରିତ୍ରକୁ ଯଥାର୍ଥ ଗୁରୁତ୍ବ ଦିଆଯାଇନାହିଁ। ଅଭିନେତ୍ରୀ ଜ୍ୟୋତିକା ଓ ଜାନକୀ ବୋଡ଼ିଵାଲା ଯଥାକ୍ରମେ ଅସହାୟ ମାଆ ଓ ବଶୀକରଣର ଶିକାର ଝିଅ ଭାବେ ନିଖୁଣ ଅଭିନୟ କରିଛନ୍ତି। ଭୂତ ସିନେମାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଉପାଦାନ ହେଉଛି ସଂଗୀତ- ଅମିତ ତ୍ରିବେଦୀ ଯାହାର ଚମତ୍କାର ସଂଯୋଜନା କରିଛନ୍ତି।
ନିଜକୁ ଅମାପ ଶକ୍ତିଶାଳୀ କରିବା ପାଇଁ ବନରାଜ ବଶୀକରଣର ସାହାଯ୍ୟ ନେଇଛି। ଛଦ୍ମ ତାନ୍ତ୍ରିକମାନଙ୍କ ପରି ସେ ମଧ୍ୟ ନିଜକୁ ଭଗବାନ ବୋଲି କହି ଆସ୍ଫାଳନ କରୁଛି। ତା’ର ଲକ୍ଷ୍ୟ ୧୦୮ ଝିଅଙ୍କୁ ବଳୀ ଦେଇ ସାରା ପୃଥିବୀକୁ ନିଜର ଇଚ୍ଛା ଦ୍ବାରା ନିୟନ୍ତ୍ରଣ କରିବ। କିନ୍ତୁ ଶେଷରେ ନାୟକ ଚତୁରତାର ସହ ବନରାଜକୁ ପରାସ୍ତ କରିବା ପରେ ଓଲଟା ତା’ ଲାଗି ‘ସଇତାନ’ ପାଲଟିଯାଇଛି। ରୋଚକ କଥା, ଏହି ସିନେମାରେ କେହି ହେଲେ ମୃତ୍ୟୁବରଣ କରିନାହାନ୍ତି, ଯାହା ଏକ ଭୌତିକ ସିେନମା କ୍ଷେତ୍ରରେ ବିରଳ! ଭାରତର କିଂବଦନ୍ତି-କାହାଣୀକୁ ନେଇ ନିକଟ ଅତୀତରେ ନିର୍ମିତ ଏକ ଉଦାହରଣୀୟ ଭୌତିକ ସିନେମା ହେଉଛି ‘ତୁମ୍ବାଡ଼’ (୨୦୧୮)। ଉଭୟ ସିନେମା ଭାରତୀୟ କାହାଣୀକୁ ନେଇ ତିଆରି। ତେବେ ‘ତୁମ୍ବାଡ଼’ରେ ପରସ୍ତ ପରସ୍ତ ହୋଇ ଉନ୍ମୋଚିତ ହେଉଥିବା ଜଟିଳ କାହାଣୀ ଦର୍ଶକକୁ ବାନ୍ଧି ରଖିବା ସହିତ ଠିକ୍ ସମୟରେ ସ୍ଥାନିତ ମୋଡ଼ମାନ ଲୋମଟାଙ୍କୁରା ଅନୁଭୂତି ଦେବାରେ ବିଫଳ ହୋଇନଥାଏ। ଅପରପକ୍ଷେ ‘ସଇତାନ’ର ଚିରାଚରିତ ସଂଳାପ, ଏବଂ ଜଟିଳତା ତଥା ଗତିଶୀଳତାର ଅଭାବ ସ୍ଥାନେ ସ୍ଥାନେ ଦର୍ଶକ ମନରେ ଜାତ ଉତ୍କଣ୍ଠାକୁ ଶୀର୍ଷକୁ ନେଇ ପାରିନାହିଁ। ମଧ୍ୟାନ୍ତରର ଠିକ୍ ପୂର୍ବ ଓ ଶେଷ ଆଡ଼କୁ ‘ସଇତାନ’ ବଧ- ଏ ଦୁଇଟି ଦୃଶ୍ୟ ଚଳଚ୍ଚିତ୍ରକୁ ରୋମାଞ୍ଚକର ମୋଡ଼ ଦେଇଥିଲେ ମଧ୍ୟ ସମଗ୍ର ଭାବେ ଚଳଚ୍ଚିତ୍ରଟି ମନରେ ବିଶେଷ ଛାପ ଛାଡ଼ିପାରିନାହିଁ। ଦୁର୍ବଳ କାହାଣୀ ଏଥିପାଇଁ ଦାୟୀ।
ଭାରତ ହେଉଛି ବିବିଧ କଥାକାହାଣୀର ଗନ୍ତାଘର। ଭୂତ, ପ୍ରେତ, ଅସୁର, ରାକ୍ଷସଙ୍କୁ ନେଇ ଏଠାରେ ଗପର ଅଭାବ ନାହିଁ। ତେଣୁ ଏସବୁକୁ ନେଇ ଅଧିକ ମୌଳିକ ସିନେମା ନିର୍ମାଣ କରାଯିବା ଦରକାର। ଭାରତର କିଂବଦନ୍ତି-କାହାଣୀ ଆଧାରିତ ସିନେମା, ପାଶ୍ଚାତ୍ୟ ‘କମିକ୍ସ’ଭିତ୍ତିକ ସିନେମା ଭଳି ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିବ। ସେ ଦୃଷ୍ଟିରୁ ‘ସଇତାନ’ ଏକ ଭଲ ଉଦ୍ୟମ।
[ad_2]