ବଦଳିଗଲା ଚେହେରା: ବାଚସ୍ପତିଙ୍କୁ ଡାଲି ଫିଙ୍ଗି ନିଲମ୍ବିତ ହୋଇଥିଲେ ମୋହନ, ମୁକେଶ – bajravana
[ad_1]
୨୦୨୩, ମୌସୁମୀ ଅଧିବେଶନରେ ବିଜେପି ବିଧାୟକମାନେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଥିଲେ। ଏପରିକି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବହୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍ କରି କଡ଼ା ଟିପ୍ପଣୀ ଦେଇଥିଲେ। ଏହାର ଜବାବ୍ ଦେବାକୁ ଯାଇ ବିଜେଡି ବିଧାୟକ ଅରୁଣ ସାହୁ ବିରୋଧୀ ଦଳ ନେତାଙ୍କର ମେଣ୍ଟାଲ ଡିଜଅର୍ଡର ଥିବା କହିଥିଲେ। ବାଚସ୍ପତି ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍ ଦେଇଥିଲେ ହେଁ ବିଜେଡି ବିଧାୟକ ଶ୍ରୀ ସାହୁଙ୍କ ବିବରଣୀକୁ ବାଦ୍ ଦେଇନଥିଲେ। ଏହା ପ୍ରତିବାଦରେ ବିଜେପି ବିଧାୟକ ଦଳ ମୁଖ୍ୟସଚେତକ ମୋହନ ଚରଣ ମାଝୀ ଓ ବିଧାୟକ ମୁକେଶ ମହାଲିଙ୍ଗ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଡାଲି ଚୋରଣୀ କହି ତାଙ୍କ ପୋଡ଼ିୟମ ଉପରକୁ ଡାଲି ଫୋପାଡ଼ିଥିଲେ। ଏହାପରେ ବାଚସ୍ପତି ଦୁଇ ବିଧାୟକଙ୍କୁ ଗୃହରୁ ଉକ୍ତ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବନ କରିଥିଲେ। କିନ୍ତୁ ପରେ ବିଜେପି ବିଧାୟକଙ୍କ ଅନୁରୋଧକ୍ରମେ ଅଧିବେଶନ ଶେଷ ହେବା ପୂର୍ବରୁ ବାଚସ୍ପତି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେଇଥିଲେ ଏବଂ ବିଧାୟକ ଶ୍ରୀ ସାହୁଙ୍କ ମନ୍ତବ୍ୟକୁ ମଧ୍ୟ ଗୃହ ବିବରଣୀରୁ ବାଦ୍ ଦେଇଥିଲେ। ସେହିପରି ଚଳିତ ଅଧିବେଶନରେ ଅର୍ପଣ ରଥ ବୁଲିବା ଓ ଉଷୁନା ଚାଉଳରେ ମହାପ୍ରସାଦ ରନ୍ଧା ହେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ଦେବାକୁ ବାଚସ୍ପତି ରୁଲିଂ ଦେବା ଦାବିରେ ବିଜେପି ବିଧାୟକ ନାଉରୀ ନାୟକ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ି ମାଇକ୍ ଭାଙ୍ଗିଦେଇଥିଲେ। ହେଲେ ଏହା ଉପରେ ବାଚସ୍ପତି କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେଡିରୁ ଜିତିଲେ, ସ୍ବାଧୀନ ରହିଲେ
୨୦୧୯ ସାଧାରଣ ନିର୍ବାଚନରେ ବିଜେଡିରୁ ଜିତିକି ଆସିଥିବା ୪ ଜଣ ବିଧାୟକ ପରବର୍ତ୍ତୀ ସମୟରେ ସ୍ବାଧୀନ ଭାବେ ଗୃହରେ ରହିଲେ। ବିଭିନ୍ନ କାରଣ ପାଇଁ ସେମାନେ ଦଳରୁ ନିଲମ୍ବିତ/ବହିଷ୍କୃତ ହୋଇଥିଲେ। ସେମାନେ ହେଲେ ପ୍ରଶାନ୍ତ ଜଗଦ୍ଦେବ, ପ୍ରଦୀପ ପାଣିଗ୍ରାହୀ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ଶେଖର ପରିଡ଼ା।
ପ୍ରଥମ ଥର ଆସିଥିଲେ ୬୮
ଷୋଡ଼ଶ ବିଧାନସଭାରେ ୬୮ ଜଣ ବିଧାୟକ ପ୍ରଥମ ଥର ପାଇଁ ନିର୍ବାଚିତ ହେବାର ସୁଯୋଗ ପାଇଥିଲେ। ସେଥିରେ ବିଜେଡିର ସର୍ବାଧିକ ୪୭ ଜଣ ଥିଲେ। ବିଜେପିରୁ ୧୬ ଓ କଂଗ୍ରେସରୁ ୪ ଜଣ ପ୍ରଥମ ଥର ଆସିଥିଲେ। ଏହା ବାଦ୍ ଜଣେ ସ୍ବାଧୀନ ବିଧାୟକ ମଧ୍ୟ ପ୍ରଥମ ଥର ଜିତି ବିଧାନସଭାକୁ ପ୍ରବେଶ କରିଥିଲେ। ଏହି ୬୮ ଜଣଙ୍କ ମଧ୍ୟରୁ ୭ ଜଣ ଉପନିର୍ବାଚନରେ ଜିତି ବିଧାନସଭାକୁ ଆସିଥିଲେ।
ଯୁବ ବିଧାୟକଙ୍କ ପ୍ରଦର୍ଶନ
ଷୋଡ଼ଶ ବିଧାନସଭାରେ ବହୁ ଯୁବ ବିଧାୟକ ବିଧାନସଭାକୁ ପ୍ରବେଶ କରିଥିଲେ। ଶିକ୍ଷିତ ଯୁବକଙ୍କ ସଂଖ୍ୟା ପୂର୍ବାପେକ୍ଷା ବୃଦ୍ଧି ପାଇଲା। ହେଲେ ଶାସକ ଦଳର ଯୁବ ବିଧାୟକମାନଙ୍କ ମଧ୍ୟରୁ କେହି ଗୃହ ଭିତରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରି ନଥିଲେ। ପ୍ରଭାବୀ ପ୍ରଶ୍ନ ପଚାରିପାରିଲେ ନାହିଁ କି ଦଳକୁ ସୁରକ୍ଷା ଦେବା ଭଳି ଯୁକ୍ତ ଉପସ୍ଥାପନ କରିପାରିଲେ ନାହିଁ।
ଅନ୍ୟପଟରେ ବିରୋଧୀ ଦଳର କିଛି ଯୁବ ବିଧାୟକଙ୍କ ପ୍ରଦର୍ଶନ ବେଶ୍ ପ୍ରଭାବୀ ଥିଲା। କଂଗ୍ରେସର ସି ଏସ୍ ରାଜନ ଏକ୍କା ଓ ଅଧିରାଜ ମୋହନ ପାଣିଗ୍ରାହୀ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଯୁକ୍ତିଭିତ୍ତିକ ସମାଲୋଚନା କରିଥିଲେ। କମ୍ ସମୟ ମଧ୍ୟରେ ଉଭୟ ବିଧାୟକ ଯେପରି ସରକାରଙ୍କୁ ଶାଳୀନତା ଭିତରେ ରହି ଆକ୍ରମଣ କରୁଥିଲେ, ତାହା ବେଶ୍ ଉଲ୍ଳେଖନୀୟ ଥିଲା। ଉପନିର୍ବାଚନ ମାଧ୍ୟମରେ ଗୃହକୁ ଆସିଥିଲେ ବିଜେପିର ଯୁବ ବିଧାୟକ ସୂରଜ ସୂର୍ଯ୍ୟବଂଶୀ। କମ୍ ଦିନରେ ତାଙ୍କର ପ୍ରଭାବୀ ପ୍ରଦର୍ଶନ ରାଜ୍ୟ ଦେଖିଲା। ତାଙ୍କର କଥା ଅତ୍ୟନ୍ତ ସ୍ପଷ୍ଟ ଓ ମାର୍ଜିତ ଥିଲା, ଯାହା ପାଇଁ ସରକାର ବିଭିନ୍ନ ସମୟରେ ଅକଳରେ ପଡ଼ିଥିଲେ।
ଗୃହ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସୁବାସ
ମାର୍ଚ୍ଚ ୧୨, ୨୦୨୧ରେ କୋଭିଡ଼ କଟକଣା ଭିତରେ ବିଧାନସଭା ଚାଲିଥିବାବେଳେ ରାଜ୍ୟର ବିଭିନ୍ନ ଧାନମଣ୍ଡିରେ ଚାଲିଥିବା ଅବ୍ୟବସ୍ଥା ସମ୍ପର୍କରେ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଏନେଇ ବାଚସ୍ପତି କି ବିଭାଗୀୟ ମନ୍ତ୍ରୀ କିଛି ନିର୍ଭର ପ୍ରତିଶ୍ରୁତି ନଦେବାରୁ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ହଠାତ୍ ନିଜ ପକେଟରୁ ସାନିଟାଇଜର୍ କାଢ଼ି ପିଇବାକୁ ଉଦ୍ୟମ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାନିଟାଇଜର୍ ବୋତଲ ଛଡ଼ାଇ ତାଙ୍କୁ ରୋକିଥିଲେ। ଏହାପରେ ବିଜେଡି ବିଧାୟକମାନେ ତାଙ୍କୁ କ୍ଷମା ମାଗିବାକୁ କହିଥିଲେ। ଶ୍ରୀ ପାଣିଗ୍ରାହୀ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ ତତ୍କାଳୀନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ସ୍ବାଧିକାର କମିଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ଅଢ଼େଇ ବର୍ଷ ପରେ ସେପ୍ଟେମ୍ବର ୩୦, ୨୦୨୩ରେ ଶ୍ରୀ ମିଶ୍ର ତାଙ୍କ ତଦନ୍ତ ରିପୋର୍ଟ ଗୃହରେ ଉପସ୍ଥାପନ କରିଥିଲେ। ଏଥିରେ ସେ କହିଥିଲେ ଯେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ନାଁରେ ଯେଉଁ ଅଭିଯୋଗ ଆସିଥିଲା ସେଥିରେ ଗୃହର ସ୍ବାଧିକାର ଭଙ୍ଗ ହୋଇନି।
ଲମ୍ବା କୋଭିଡ୍ କଟକଣା
କୋଭିଡ୍ ମହାମାରୀ ପାଇଁ ସାରା ବିଶ୍ବରେ ବିଭିନ୍ନ କଟକଣା ଲାଗୁ ହୋଇଥିଲା। ବିଧାନସଭା ବି ବାଦ୍ ପଡ଼ି ନଥିଲା। ୨୦୨୦ ବଜେଟ୍ ଅଧିବେଶନ ଚାଲିଥିଲା ବେଳେ କୋଭିଡ୍ କଟକଣା ଆରମ୍ଭ ହୋଇଥିଲା। ବଜେଟ୍ ଅଧିବେଶନକୁ କାଣ୍ଟଛାଣ୍ଟ୍ କରି ଦିଆଗଲା। ୨୦୨୨ ମୌସୁମୀ ଅଧିବେଶନ ପର୍ଯ୍ୟନ୍ତ ୭ଟି ଅଧିବେଶନରେ କଟକଣା ରହିଲା। ବିଧାୟକମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯାଇ ବସିବା ବ୍ୟବସ୍ଥା କରାଗଲା। ସାଧାରଣ ଲୋକଙ୍କୁ ଗ୍ୟାଲେରିରେ ପ୍ରବେଶ ଉପରେ କଟକଣା ରହିଲା। ଗଣମାଧ୍ୟମ ପ୍ରତିନିଧିମାନେ ସମ୍ମିଳନୀ କକ୍ଷରେ ବସି ପରଦାରେ ଦେଖି ବିଧାନସଭାର ପ୍ରୋସିଡିଂ ରିପୋର୍ଟ କଲେ। ୨୦୨୨ ଶୀତ ଅଧିବେଶନରେ ସମ୍ପୂର୍ଣ୍ଣ କଟକଣା ଉଠିଗଲା। ଗୃହ ସ୍ବାଭାବିକ ଭାବେ ଚାଲିଲା।
୧୮ ମହିଳା ସଦସ୍ୟ
ଷୋଡ଼ଶ ବିଧାନସଭାରେ ସର୍ବାଧିକ ୧୮ ଜଣ ମହିଳା ନିର୍ବାଚିତ ହୋଇଛନ୍ତି। ଏହି ସଂଖ୍ୟା ଅନ୍ୟ ସମସ୍ତ ବିଧାନସଭାଠାରୁ ଅଧିକ। ୨୦୧୯ ସାଧାରଣ ନିର୍ବାଚନ ବେଳେ ୧୪ ଜଣ ମହିଳା ନିର୍ବାଚିତ ହୋଇଥିଲେ। ୧୩ ଜଣ ବିଜେଡିରୁ ଓ ଜଣେ ବିଜେପିରୁ ଜିତିଥିଲେ। ତେବେ ପରବର୍ତ୍ତୀ ସମୟରେ ଉପନିର୍ବାଚନରେ ଜିତି ଆଉ ୪ ଜଣ ମହିଳା ବିଧାନସଭାକୁ ପ୍ରବେଶ କଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେଲା ପରେ ବିଜେପୁରରୁ ରୀତା ସାହୁ ନିର୍ବାଚିତ ହୋଇଥିଲେ। ବିଜୟ ରଞ୍ଜନ ସିଂହ ବରିହା ଓ ନବକିଶୋର ଦାସଙ୍କ ପରଲୋକ ପରେ ଉଭୟ ଝିଅ ବର୍ଷା ସିଂହ ବରିହା ଓ ଦୀପାଳି ଦାସ ବିଧାନସଭାକୁ ଆସିଥିଲେ। ସେହିପରି କିଶୋର ମହାନ୍ତିଙ୍କ ପରଲୋକ ପରେ ତାଙ୍କ ପତ୍ନୀ ଅଳକା ମହାନ୍ତି ବିଧାନସଭାକୁ ପ୍ରତିନିଧିତ୍ବ କଲେ।
ବିଧାନସୌଧର ନବକଳେବର
୨୦୧୯ରେ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ହେଲା ପରେ ବିଧାନସୌଧର ନବକଳେବର କରାଯାଇଛି। ଏହି କୋଠାର ଆଭ୍ୟନ୍ତରୀଣ ସାଜସଜା ବଦଳିଛି। କରିଡରକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଛି। ପାର୍କିଂ ସ୍ଥାନର ନବକଳେବର କରାଯାଇଛି। ବିଧାନସୌଧ ମୁଖ୍ୟ ପ୍ରବେଶ ଦ୍ବାର ନିକଟରେ ରଥଯାତ୍ରାରେ ବ୍ୟବହୃତ ତିନି ଠାକୁରଙ୍କ ରଥଚକ ରଖାଯାଇଛି। କେବଳ ସେତିକି ନୁହେଁ, ବିଧାନସଭା ଲବି ଠାରୁ ଆରମ୍ଭକରି ଅଧିକାରୀମାନଙ୍କର ପ୍ରକୋଷ୍ଠ ପର୍ଯ୍ୟନ୍ତ ସବୁରେ ପରିବର୍ତ୍ତନ ଆଣିଛନ୍ତି ବାଚସ୍ପତି।
ଉଦ୍ବେଗର ବିଷୟ ହେଲା, ବିଧାନସଭାର ଚେହେରା ସିନା ବଦଳିଲା, କିନ୍ତୁ ବିତର୍କର ମାନ ବଢ଼ିପାରିଲା ନାହିଁ। ବରଂ ଗୃହ ମୁଲତବୀରେ ରେକର୍ଡ ଛୁଇଁଲା।
[ad_2]