ସ୍ବର ଆପଣଙ୍କର: ଘରର ମଇଳା ପାଣି ଫିଙ୍ଗିବା ପାଇଁ ସପ୍ତାହକୁ ଖର୍ଚ୍ଚ ୧୧୦୦ – bajravana
[ad_1]
ଖଣ୍ଡଗିରି: କ’ଣ ପ୍ରକୃତରେ ଭୁବନେଶ୍ବର ସ୍ମାର୍ଟ ସିଟି? ଏଠିକାର ଘାଟିକିଆ ମୌଜା ଅନ୍ତର୍ଗତ ଉଭୟ ଗାଁ ଏବଂ ବସ୍ତିରେ ଏଭଳି ବିଭିନ୍ନ ସ୍ଥାନ ରହିଛି, ଯେଉଁଠି ଲୋକଙ୍କୁ ଘରର ଉଦ୍ବୃତ୍ତ ଆବର୍ଜନା ପାଣି ନିଷ୍କାସନ ପାଇଁ ସପ୍ତାହରେ ୧୧୦୦ରୁ ୧୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏଠାରେ ଆଜି ପର୍ଯ୍ୟନ୍ତ କେଉଁଠି ଡ୍ରେନ୍ ନିର୍ମାଣ ହୋଇ ପାରିନାହିଁ ତ ଆଉ କେଉଁଠି ନିର୍ମାଣ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ହୋଇ ରହିଛି। ଏହାକୁ ନେଇ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ଅନ୍ୟ ଯେକୌଣସି ସୁବିଧା ପ୍ରଦାନ ପୂର୍ବରୁ ବିଏମ୍ସି ପକ୍ଷରୁ ଏଠାରେ ଉନ୍ନତମାନର ସ୍ଥାୟୀ ଡ୍ରେନ୍ ବ୍ୟବସ୍ଥା ପାଇଁ ସ୍ଥାନୀୟ ଅଧିବାସୀମାନେ ସ୍ବର ଉଠାଇଛନ୍ତି।
ଏଠି ଗାଧୋଇବା, ବାସନ ମାଜିବା କିମ୍ବା ଲୁଗା ସଫା କରିବା ମାଗଣା ନୁହେଁ। ଠିକ ଭାବରେ ଗାଧୁଆ ହେବା ସହିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଠିକ ଭାବରେ ସଫା ହେଲା କି ନାହିଁ, ତାହା ସ୍ଥାନୀୟ ଲୋକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ। କିନ୍ତୁ ପାଣି ବେଶି ଖର୍ଚ୍ଚ ନହେଉ, ଏହାକୁ ନେଇ ପ୍ରତି ମୁହୂର୍ତ୍ତରେ ସେମାନଙ୍କର ଚିନ୍ତା ଥାଏ। ପାଣିର ଅଭାବ ଏହାର କାରଣ ନୁହେଁ, ବରଂ ଯେତେ ଅଧିକ ଘରୁ ପାଣି ବାହାରିବ, ତାକୁ ଫିଙ୍ଗିବା ପାଇଁ ସେତିକି ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କହନ୍ତି ସ୍ଥାନୀୟ ଅଧିବାସୀ। ତ୍ରିନାଥ ଗଳିର ସରୋଜିନୀ ବେହେରାଙ୍କ ଅନୁସାରେ, ବର୍ଷ ପରେ ବର୍ଷ ବିତୁଛି, କିନ୍ତୁ ତାଙ୍କ ଗଳିରେ ଆଜି ପର୍ଯ୍ୟନ୍ତ ଡ୍ରେନ୍ ନିର୍ମାଣ ହୋଇ ପାରିଲା ନାହିଁ। ୪ ସଦସ୍ୟ ବିଶିଷ୍ଟ ତାଙ୍କ ପରିବାରରେ ବାପା ପରିବା ଦୋକାନ କରି ଘର ଚଳାଉଛନ୍ତି। ବିଭିନ୍ନ ସଫେଇ ବେଳେ ଘରୁ ବାହାରୁଥିବା ଆବର୍ଜନା ପାଣିକୁ ଟାଙ୍କିରେ ସଂରକ୍ଷିତ ରଖାଯାଏ। ସପ୍ତାହରୁ ଥରେ ୧୧୦୦ ଟଙ୍କା ଦେଇ ଆବର୍ଜନା ନେଉଥିବା ପାଣି ଟାଙ୍କି ଡକାଇ ତାକୁ ନିଷ୍କାସିତ କରାଯାଏ। ସ୍ବେରେଜ୍ ଲାଇନ ଯାଇନଥିବାରୁ ପାଇଖାନା ଟାଙ୍କି ପାଣି ନିଷ୍କାସନ ପାଇଁ ସ୍ବତନ୍ତ୍ର ଟାଙ୍କି ଡକାଯାଏ। ପଡ଼ୋଶୀ ଗୋଲାପ ମେହେନା ଆବର୍ଜନା ପାଣି ନିଷ୍କାସନ ପାଇଁ ୨ ମାସରେ ଥରେ ଟଙ୍କା ଖର୍ଚ୍ଚ କରି ଆବର୍ଜନା ପାଣି ଗାଡ଼ି ଡକାନ୍ତି।
ମିନତି ସାହୁ ମୋଟର ଜରିଆରେ ପାଣି ନିଷ୍କାସନର ବ୍ୟବସ୍ଥା କରିଛନ୍ତି। ସ୍ଥାନୀୟ ଅଧିବାସୀଙ୍କ ଅନୁସାରେ, ସାଂସଦ, ବିଧାୟକ, ମେୟର, କର୍ପୋରେଟର ଯେଉଁ ପ୍ରତିନିଧି ଏଠାକୁ ଆସନ୍ତି, ଡ୍ରେନ୍ ସମସ୍ୟା ଜଣାନ୍ତି। ଚଳିତ ମହାନଗର ନିଗମ ନିର୍ବାଚନରେ ଡ୍ରେନ୍ ନିର୍ମାଣ ତାଙ୍କ ୱାର୍ଡର ମୁଖ୍ୟ ପ୍ରସଙ୍ଗ ମଧ୍ୟ ଥିଲା। ଜ୍ୟୋସ୍ନାରାଣୀଙ୍କ ଅଭିଯୋଗ ଅନୁସାରେ, କିଛି ମାସ ପୂର୍ବରୁ ଏହି ଗଳିରେ ଡ୍ରେନ୍ ନିର୍ମାଣ ଆରମ୍ଭ ହେଲା। ଆଶା ଥିଲା, ଏଣିକି ସମସ୍ୟାର ସମାଧାନ ହେବ। କିନ୍ତୁ ଏହା ହନୁମାନ ମନ୍ଦିରରୁ ବାହାରି ସ୍କୁଲ ଗେଟ୍ ଦେଇ ମମତା ନାୟକଙ୍କ ଘର ପର୍ଯ୍ୟନ୍ତ ନିର୍ମାଣ ହେବା ପରେ କାର୍ଯ୍ୟ ବନ୍ଦ କରି ଦିଆଯାଇଛି। ଆଗକୁ ଆଉ କାହିଁକି ନିର୍ମାଣ କରାଯାଉ ନାହିଁ ବୋଲି ସ୍ଥାନୀୟ ଅଧିବାସୀ ପ୍ରଶ୍ନ କରିବାରୁ ଆଗକୁ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିନଥିବା ସୂଚନା ଦିଆଯାଇଛି। ଏଥିଯୋଗୁଁ ଡ୍ରେନ୍ ସୁବିଧା ପାଇବାରୁ ଏହି ସାହିର ୫୦୦ରୁ ଅଧିକ ପରିବାର ବାଦ ପଡ଼ିଛନ୍ତି। କାହିଁ କେତେ ବର୍ଷ ହେଲା ରହିଥିବା ଘାଟିକିଆ ଗାଁରେ ମଧ୍ୟ ଆଜି ପର୍ଯ୍ୟନ୍ତ ଡ୍ରେନ୍ର ସୁବିଧା ହୋଇ ପାରିଲା ନାହିଁ।
ଏଥିଯୋଗୁଁ ପ୍ରାୟ ୨୦ରୁ ଅଧିକ ପରିବାର ନିଜ ଘରେ ଟାଙ୍କି ନିର୍ମାଣ କରି ବିଭିନ୍ନ ଉପାୟ ଅବଲମ୍ବନ କରି ନିଷ୍କାସନ ବ୍ୟବସ୍ଥା କରୁଛନ୍ତି। ଡ୍ରେନ୍ ଅଭାବ ଯୋଗୁଁ ବିଭିନ୍ନ ସମୟରେ ସାହି ଏବଂ ବସ୍ତିରେ ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି। ଏପରିକି ଥାନା ପର୍ଯ୍ୟନ୍ତ କଥା ଯାଇଥିବା ନେଇ ଉଦାହରଣ ରହିଛି। ଅନ୍ୟଦିଗରେ ଘାଟିକିଆର ଗୋଟିଏ ସ୍ଥାନରେ ତ୍ରୁଟିପୂର୍ଣ୍ଣ ଡ୍ରେନ୍ ନିର୍ମାଣ ଯୋଗୁଁ କେଉଁଠି ଆବର୍ଜନା ପାଣି ନିଷ୍କାସିତ ହୋଇ ପାରୁ ନାହିଁ ତ ଆଉ କେଉଁଠି ଡ୍ରେନ୍ରେ ପାଣି ଯିବା ବଦଳରେ ରାସ୍ତାରେ ଯାଉଛି। ଏଥିଯୋଗୁଁ ସାମାନ୍ୟ ବର୍ଷାରେ ଘାଟିକିଆ ରାସ୍ତାରେ ଡ୍ରେନ୍ ପାଣିର ବନ୍ୟା ହେଉଥିବା ନେଇ ଅଭିଯୋଗ ହେଉଛି। ଏଥିପ୍ରତି ଦୃଷ୍ଟି ନ ଦେଲେ ଏଣିକି ଲୋକେ ଭୋଟ ବର୍ଜନର ନିଷ୍ପତ୍ତି ନେଇ ପାରନ୍ତି ବୋଲି କିଛି ବ୍ୟକ୍ତି କହିଛନ୍ତି।
[ad_2]