ଓଡିଶା

ମନ୍ତ୍ରୀଙ୍କୁ ଘେରିଲେ ବିଜେଡି ବିଧାୟକ: ରିଲିଫ୍ ନୁହେଁ, ବନ୍ୟା ମୁକାବିଲା କର – bajravana

[ad_1]

ବୈତରଣୀ ନଦୀର ବନ୍ୟା ନେଇ ଉଦ୍‌ବେଗ ପ୍ରକାଶ କଲେ, ଡେଲାଙ୍ଗ-କଣାସ ଅଞ୍ଚଳ କଥା ବି ଉଠିଲା

ଭୁବନେଶ୍ବର: ଆଜି ବିଧାନସଭାରେ ପ୍ରଶ୍ନକାଳରେ ବିଜେଡି ବିଧାୟକମାନେ ସେମାନଙ୍କ ଅଞ୍ଚଳରେ ପ୍ରତିବର୍ଷ ବନ୍ୟାରେ ହେଉଥିବା କ୍ଷୟକ୍ଷତି ନେଇ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଘେରିଛନ୍ତି। ରାଜ୍ୟ ସରକାର ବନ୍ୟା ସମୟରେ ଲୋକଙ୍କୁ ସ୍ଥାନାନ୍ତର କରିବା, ପରେ ରିଲିଫ ସାମଗ୍ରୀ ଯୋଗାଇବା, ବନ୍ଧ ମରାମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ କାହିଁକି ବନ୍ୟାର ସ୍ଥାୟୀ ମୁକାବିଲା କରୁନାହାନ୍ତି ସେନେଇ ମନ୍ତ୍ରୀଙ୍କ ଠାରୁ ଜବାବ୍ ମାଗିଛନ୍ତି। ଜଳସମ୍ପଦ ମନ୍ତ୍ରୀ ବିଧାୟକମାନଙ୍କୁ ବୁଲେଇବଙ୍କେଇ ଉତ୍ତର ଦେଇଥିଲେ ବି ବନ୍ୟାର ସ୍ଥାୟୀ ପ୍ରତିକାର ନେଇ କାହାକୁ ଠୋସ୍ ପ୍ରତିଶ୍ରୁତି ଦେଇପାରିନାହାନ୍ତି।

ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଭଦ୍ରକ ଜିଲ୍ଲାର ବନ୍ୟା ନିୟନ୍ତ୍ରଣ ପାଇଁ ସରକାର କି ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଯାଉଛନ୍ତି ପଚାରିଥିଲେ। ମନ୍ତ୍ରୀ ଏହାର ଉତ୍ତରରେ କହିଥିଲେ ଯେ ଭଦ୍ରକ ଜିଲ୍ଲାର ବନ୍ୟା ନିୟନ୍ତ୍ରଣ ପାଇଁ ବୈତରଣୀ ନଦୀର ବାମପାର୍ଶ୍ବ ସମସ୍ତ ନଦୀ ବନ୍ଧଗୁଡ଼ିକୁ (ବିରିଡ଼ି ରେଳ ଧାରଣା ଠାରୁ ତିନ୍ତରଘାଟ ପର୍ଯ୍ୟନ୍ତ ) ସୁଦୃଢୀକରଣ କରାଯାଉଛି। ଗେଙ୍ଗୁଟି ଓ କୁଚିଳା ନଦୀର ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବ ନଦୀ ବନ୍ଧଗୁଡ଼ିକର ସୁଦୃଢୀକରଣ କାର୍ଯ୍ୟ ଜାରି ରହିଛି। ବାଲିପୋଖରୀ ଏସକେପ୍‌ର ସୁଦୃଢୀକରଣ କାର୍ଯ୍ୟ ଚଳିତବର୍ଷ ଶେଷ ହୋଇଛି। ଏହାବାଦ୍ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟ ନେଇ ସୂଚନା ଦେଇଥିଲେ।

ହେଲେ ମନ୍ତ୍ରୀଙ୍କ ଉତ୍ତରରେ ବିଧାୟକ ସନ୍ତୁଷ୍ଟ ନଥିଲେ। ‌ଶ୍ରୀ ମଲ୍ଲିକ କହିଥିଲେ ବନ୍ୟା ସମୟରେ ବହୁ ସମୟରେ ବନ୍ଧ ଭାଙ୍ଗୁଛି, ପାଣି ପଶୁଛି, ବୈତରଣୀ ବାମ ପାର୍ଶ୍ବରେ ଆଖୁଆପଦରୁ ଚାନ୍ଦବାଲି ପର୍ଯ୍ୟନ୍ତ କାହିଁକି ପଥରବନ୍ଧ କଲେ ଆଉ ବନ୍ଧ ଭାଙ୍ଗନ୍ତାନି କି ବନ୍ୟା ପାଣି ପଶନ୍ତାନି, ଲୋକ ହଇରାଣ ହୁଅନ୍ତେନି। ଏପରିକି ରାଜ୍ୟ ସରକାରଙ୍କୁ ଚାଷୀଙ୍କୁ କ୍ଷୟକ୍ଷତି, ଲୋକଙ୍କୁ ରିଲିଫ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ନ୍ତାନି। ସେହିପରି ରୁଦ୍ରପ୍ରସାଦ ମହାରଥୀ କହିଥିଲେ ମୋ ନିର୍ବାଚନମଣ୍ଡଳୀରେ ଡେଲାଙ୍ଗ କଣାସରେ ପ୍ରତିବର୍ଷ ବନ୍ୟାରେ ବହୁ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହେଉଛି। ତା’ର ସ୍ଥାୟୀ ପ୍ରତିକାର ପାଇଁ ବାରମ୍ବାର ଲେଖିଲେ ବି କିଛି ସୁଫଳ ମିଳୁନି। ଭାଗୀରଥି ସେଠୀ କହିଥିଲେ, ମୋ ନିର୍ବାଚନମଣ୍ଡଳୀରେ ବୈତରଣୀ ନଦୀରେ ଥିବା ବ୍ୟାରେଜ୍ ଠାରୁ ଦୁଇ ପାର୍ଶ୍ବରେ ପଥର ପ୍ୟାକିଂ କଲେ ଆଉ ଅତଡ଼ା ଖସନ୍ତାନି କି ବନ୍ୟା ଭୟ ରହନ୍ତାନି। ହେଲେ ଏନେଇ କିଛି ପଦକ୍ଷେପ ନିଆଯାଉନି। ଅଶୋକ ବଳ କହିଥିଲେ, ମୋ ନିର୍ବାଚନମଣ୍ଡଳୀରେ ବୈତରଣୀରେ ଦକ୍ଷିଣ ପାର୍ଶ୍ବର ୨୪କିମି ୮୦୦ମିଟର ଅଛି। ଏଠାରେ ପ୍ରତିବର୍ଷ ବନ୍ୟା ହଉଛି। ଏପରିକି ଉପରମୁଣ୍ଡରେ ପାଣି କମିଲେ ବି ଆମର ବନ୍ୟା ବଢ଼ୁଛି। ଆନନ୍ଦପୁରରୁ ଆଖୁଆପଦ ଭିତରେ ବନ୍ୟା ଆକଳନ ଠିକ୍ ଭାବେ ହେଉନଥିବାରୁ ଏହି ସମସ୍ୟା ହେଉଛି। ଏହାର ପ୍ରତିକାର କାହିଁକି କରାଯାଉନି? ଦେବୀ ରଂଜନ ତ୍ରିପାଠୀ କହିଥିଲେ ବାଙ୍କୀ ମହାନଦୀର ଦକ୍ଷିଣ ପାର୍ଶ୍ବ ବନ୍ଧ କଡ଼ରେ ଥିବାବେଳେ ଏଠାରେ ଅଧିକାଂଶ ସମୟରେ ବନ୍ୟା ହେଉଛି। ବନ୍ଧ ସୁଦୃଢୀକରଣ ହେଲେ ବନ୍ୟାକୁ ରୋକାଯାଇପାରନ୍ତା। ଅନନ୍ତ ଦାସ କହିଥିଲେ କିପରି ସୁବର୍ଣ୍ଣରେଖା ନଦୀ ଯୋଗୁ ତାଙ୍କ ଅଞ୍ଚଳରେ ବନ୍ୟା ହେଉଛି। ମହିଧର ରାଣା ବି ତାଙ୍କ ଅଞ୍ଚଳରେ ହେଉଥିବା ବନ୍ୟା ନେଇ ଚିନ୍ତାପ୍ରକଟ କରିଥିଲେ। ଏହିପରି ଆଜି ବଜେଡି ବିଧାୟକମାନେ ସେମାନଙ୍କ ଅଞ୍ଚଳରେ ଲାଗି ରହିଥିବା ବନ୍ୟା ସମସ୍ୟାକୁ କିପରି ମୁକାବିଲା କରିବାରେ ସରକାର ବିଫଳ ହୋଇଛନ୍ତି ତାହା ବଖାଣିଥିଲେ।

କେବଳ ବିଜେଡି ବିଧାୟକ ନୁହେଁ, ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଥିଲେ, ବ୍ରିଟିସ ଅମଳରୁ ଧାମନଗର ନିର୍ବାଚନ ମଣ୍ଡଳୀରେ ବନ୍ୟା ଆସୁଛି। ଏହି ଅଞ୍ଚଳରେ ବୈତରଣୀ ନଦୀରେ ଯେଉଁ ଏସକେପଗୁଡ଼ିକ ଅଛି ସେଗୁଡ଼ିକ କାହିଁକି ବନ୍ଦ କରାଯାଉନି। ଏହାର ସମାଧାନ ହେବ ନା ନାହିଁ। କେତେଦିନ ଆଉ ଅାମ ଅଞ୍ଚଳର ଲୋକ ବନ୍ୟା ଯନ୍ତ୍ରଣା ଭୋଗିବେ।
ମନ୍ତ୍ରୀ ଟୁକୁନି ସାହୁ କହିଥିଲେ, ବୈଷୟିକ ଟିମ୍ ପଠାଇ ଏନେଇ ପଦକ୍ଷେପ ନିଆଯିବ। ଏହି ଆଲୋଚନାରେ ଭାଗ ନେଇ ବିଧାୟକ ଭାସ୍କର ମଢ଼େଇ ସୁନ ନଦୀ ଉପରେ ବ୍ୟାରେଜ୍, ମୋହନ ଚରଣ ମାଝୀ କାନପୁର ବ୍ୟାରେଜ୍ କେବେ ସରିବ ସେନେଇ ପ୍ରଶ୍ନ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button