ଓଡିଶା

ଅତି ସାଂଘାତିକ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାରୁ ୬: ଭୁବନେଶ୍ବର ସ୍ଥିତି ଗମ୍ଭୀର – bajravana

[ad_1]

ଭୁବନେଶ୍ବର: ଦିନ କେଇଟା ମଧ୍ୟରେ ଦିଲ୍ଲୀ ଅବସ୍ଥା ଭୋଗିଲାଣି ଓଡ଼ିଶା। ରାଜ୍ୟର ଗୋଟିଏ ପରେ ଗୋଟିଏ ସହରର ବାୟୁ ପ୍ରଦୂଷଣ ଏବେ ଦିଲ୍ଲୀକୁ ଟପୁଛି। ଗତ ସପ୍ତାହରେ ତାଳଚେର, ଅନୁଗୁଳ ସହରର ବାୟୁ ପ୍ରଦୂଷଣ ଦିଲ୍ଲୀ ସହରକୁ ଟପିଯାଇଥିଲା। ଏବେ ବାଲେଶ୍ବର ଅବସ୍ଥା ତଦ୍ରୂପ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ(ସିବିସିବି) ତଥ୍ୟ ଅନୁଯାୟୀ, ବାଲେଶ୍ବର ସହରର ବାୟୁ ମାନ ସୂଚକାଙ୍କ(ଏକ୍ୟୁଆଇ) ଅତି ସାଂଘାତିକ ସ୍ତରରେ ରହିଛି, ଯାହାକି ଦିଲ୍ଲୀଠାରୁ ଅଧିକ। ଅପରାହ୍ଣ ୪ଟା ସୁଦ୍ଧ‌ା ଦିଲ୍ଲୀ ବାୟୁରେ ଏକ୍ୟୁଆଇ ପିଏମ୍‌-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୩୩ ରହିଛି। ଯେତେବେଳେ କି ବାଲେଶ୍ବରର ଏକ୍ୟୁଆଇ ପିଏମ୍‌-୨.୫ ମାତ୍ରା ୩୩୪ରେ ପହଞ୍ଚିଛି। କେବଳ ଆଜି ନୁହେଁ। ବିଗତ ସପ୍ତାହେ ହେଲା ବାଲେଶ୍ବର ସମେତ ଉତ୍ତର ଓଡ଼ିଶାର ଅଧିକାଂଶ ସହର ବାୟୁରେ ଛୋଟ ଧୂଳିକଣା ଜମି ରହୁଥିବାରୁ ପରିଣାମ ଅଧିକ ସାଂଘାତିକ ସ୍ତର ଆଡ଼କୁ ଗତି କରୁଛି। ଚିନ୍ତାର ବିଷୟ ହେଉଛି ଯେ ଏକ୍ୟୁଆଇ ଅତି ସାଂଘାତିକ ସ୍ତରରେ ରହିଥିବା ଦେଶର ୧୭ଟି ସହର ମଧ୍ୟରେ ଓଡ଼ିଶାର ୬ଟି ସହର ରହିଛି। ବାଲେଶ୍ବର ବ୍ୟତୀତ ବାରିପଦାରେ ଏକ୍ୟୁଆଇ ପିଏମ୍‌-୨.୫ ମାତ୍ରା ୩୧୬ରେ ପହଞ୍ଚିଥିବା ବେଳେ କେନ୍ଦୁଝରରେ ୩୧୪, ରାଇରଙ୍ଗପୁରରେ ୩୦୮ ରେକର୍ଡ ହୋଇଛି। ପର୍ବପର୍ବାଣି କିମ୍ବା ବାଣ ଫୁଟା ନ ଥିଲେ ମଧ୍ୟ ଭୁବନେଶ୍ବର ଓ କଟକ ସ୍ଥିତି ଅତି ସାଂଘାତିକ ସ୍ତର ଆଡ଼କୁ ଯାଉଛି। ଭୁବନେଶ୍ବରର ବାୟୁ ଆଜି ଅତି ସାଂଘାତିକ ସ୍ତରରେ ପହଞ୍ଚିଛି। ଏଠାରେ ଏକ୍ୟୁଆଇ ପିଏମ୍‌-୨.୫ ମାତ୍ରା ୩୧୧ ରେକର୍ଡ ହୋଇଛି। ଦିନ କେଇଟା ସାଂଘାତିକ ସ୍ତରରେ ରହିଥିବା  କଟକ ସହରର ବାୟୁ ପୁଣି ଥରେ ଅତି ସାଂଘାତିକ ସ୍ତର ତଥା ୩୨୦ ରେକର୍ଡ କରାଯାଇଛି। ତେବେ ଏହାରି ଭିତରେ ଆଶ୍ବସ୍ତିକର କଥା ହେଉଛି ଯେ ଅନୁଗୁଳ ଓ ତାଳଚେରର ବାୟୁରେ ସାମାନ୍ୟ ସୁଧାର ଆସିଛି। ଆଜିର ଦିନରେ ଅନୁଗୁଳର ପିଏମ୍‌-୨.୫ ମାତ୍ରା ୩୦୦ ଓ ତାଳଚେରରେ ୨୫୧ ରହିଛି।

ଗୋଟିଏ ପରେ ଗୋଟିଏ ସହରର ବାୟୁ ଖରାପ ହେଉଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିରବତା ଏବେ ଅନେକ ପ୍ରଶ୍ନ ଉଠାଇଛି। ସହରବାସୀ ଯେତିକି ଅମ୍ଳଜାନ ନେଉ ନାହାନ୍ତି ତା’ଠାରୁ ଅଧିକ ସଲ୍‌ଫର୍‌ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଓ ବିଷାକ୍ତ ଧୂଳିକଣାକୁ ଶରୀର ଭିତରକୁ ନେଉଛନ୍ତି। ପରିଣାମ ସ୍ବରୂପ ଏବେ ହୃଦ୍‌ଘାତ, ଶ୍ବାସକ୍ରିୟା ଜନିତ ଓ ଆଜ୍‌ମା ପରି ରୋଗ ବ୍ୟାପିବାରେ ଲାଗିଛି। ଘରେ ଘରେ ଥଣ୍ଡା ରୋଗ ବ୍ୟାପିବାରେ ଲାଗିଛି। ଭୁବନେଶ୍ବର, କଟକ, ବାଲେଶ୍ବର, ବାରିପଦା, କେନ୍ଦୁଝର, ଅନୁଗୁଳ ସହରର ମେଡିକାଲଗୁଡ଼ିକ‌ରେ କାଶ, ଛିଙ୍କ, ଥଣ୍ଡା, ଶ୍ବାସ ‌ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ସୂଚନା ମିଳିଛି। ସେପଟେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ(ଏସ୍‌ପିସିବି)ର ଚିରାଚରିତ ଉତ୍ତର। ବାୟୁ ପ୍ରଦୂଷଣ ନେଇ ଚିନ୍ତାର କୌଣସି କାରଣ ନାହିଁ। ଏହା କ୍ଷଣସ୍ଥାୟୀ। ସ୍ଥାନୀୟ କାରଣରୁ ବାୟୁର ପ୍ରଦୂଷଣ ମାତ୍ର ବୃଦ୍ଧି ପାଉଥିବା କହି ଅଧିକାରୀମାନେ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରୁଛନ୍ତି। ମାତ୍ର ତଳ ସ୍ତରରେ ଲୋକେ ଏବେ ଯନ୍ତ୍ରଣା ଭୋଗୁଛନ୍ତି। ସହରରେ ନିର୍ମାଣ କାର୍ଯ୍ୟ କରାଯିବ। ରାସ୍ତାଘାଟ ଉନ୍ନତିକରଣ କାମ ସହ ଶିଳ୍ପାନୁଷ୍ଠାନ ଦ୍ବାରା ଏଭଳି ସମସ୍ୟା ହେଉଥିବା ଯୁକ୍ତି ବାଢ଼ିଛନ୍ତି। ତେବେ ଯେଉଁ ସମସ୍ୟା ହେଉଛି ତାହାର କିଭଳି ସମାଧାନ କରାଯିବ ସେନେଇ କେହି ଚିନ୍ତା ପ୍ରକଟ ନ କରିବା ଆଶ୍ବର୍ଯ୍ୟ ଚକିତ କରିଛି। କାରଣ ବାୟୁ ପ୍ରଦୂଷଣ ହେଉଥିଲେ ମଧ୍ୟ କାମ ହେଉଥିବା ସ୍ଥାନରେ ସାମାନ୍ୟତମ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ବିଲଡିଂକୁ ଆବଦ୍ଧ କରାଯାଉ ନାହିଁ। ରାସ୍ତାରୁ ଧୂଳି ଉଡ଼ୁଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ପାଣି ପକା ନ ଯିବା ଦ୍ବାରା ବାୟୁ ପ୍ରଦୂଷଣ ଏବେ ଅତି ସାଂଘାତିକ ସ୍ତରରେ ପହଞ୍ଚିଥିବା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଏଭଳି ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଉଠିଛି।

ଓଡ଼ିଶାର କେଉଁ ସହର କେ‌ତେ ପ୍ରଦୂଷିତ

ବାଲେଶ୍ବର ୩୩୪

କଟକ ୩୨୦

ବାରିପଦା ୩୧୬

କେନ୍ଦୁଝର ୩୧୪

ଭୁବନେଶ୍ବର ୩୧୧

ରାଇରଙ୍ଗପୁର ୩୦୮

ଅନୁଗୁଳ ୩୦୦

ତାଳଚେର ୨୫୧

ନୟାଗଡ଼ ୨୨୨



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button