ଆଜି ରିଲିଜ୍: ବିକାଶର ଭୟଙ୍କର ଚିତ୍ର ଦେଖାଉଛି ‘ଜୋରାମ୍’ – bajravana
[ad_1]
ଭୁବନେଶ୍ବର: ଶୁକ୍ରବାର ଫିଲ୍ମ ହଲ୍ରେ ରିଲିଜ୍ ହେବାକୁ ଯାଉଛି ହିନ୍ଦୀ ଥ୍ରିଲର୍ ‘ଜୋରାମ୍’। ଭୁବନେଶ୍ବରରେ କେବଳ ସିନେପଲିସ: ନେକ୍ସସ୍ ଏସ୍ପ୍ଲାନେଡରେ ଏହାର ପ୍ରିମିୟର ହେଉଥିବାବେଳେ ଦୁଇଟି ସୋ’ ପଡ଼ିଛି। ପ୍ରଥମେ ଦିନ ୨ଟା ଓ ପରେ ରାତି ୮ଟା ୨୫ରେ। ଟିକେଟ୍ ଦର ନର୍ମାଲ ୨୨୦ , ଏକ୍ଜିକ୍ୟୁଟିଭ୍ ୨୪୦, ପ୍ରିମିୟମ୍ ୨୬୦ ଓ ଭିଆଇପି ୫୦୦ ଟଙ୍କା ରହିଛି। ପ୍ରଥମ ଦିନପର ଦୁଇଦିନ କେବଳ ରାତି ୮ଟା ୨୫ରେ ଗୋଟିଏ ଲେଖାଏ ସୋ’ ରହିଛି। ଏହା ସ୍ବାଭାବିକ। କାରଣ ‘ଜୋରାମ୍’କୁ ଏକ କଳାତ୍ମକ ଫିଲ୍ମ କୁହା ଯାଇପାରିବ, ଯାହା ଫିଲ୍ମ ଫେଷ୍ଟିଭାଲକୁ ନଜରରେ ରଖି ତିଆରି କରା ଯାଇଛି। ବ୍ୟାବସାୟିକ ରିଲିଜ୍ ପୂର୍ବରୁ ଫିଲ୍ମଟି ବିଶ୍ବର ବିଭିନ୍ନ ବଡ଼ ଫିଲ୍ମ ଉତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ଓ ପୁରସ୍କାର ଜିତି ସାରିଛି।
ଜି ଷ୍ଟୁଡିଓ ପ୍ରସ୍ତୁତ ଓ ଦେବାଶିଷ ମଖୀଜାଙ୍କ ନିର୍ଦ୍ଦେଶିତ ‘ଜୋରାମ୍’ରେ ବିକାଶ ଏବଂ ପ୍ରଗତି ନାମରେ ପ୍ରକୃତି ସହ ମଣିଷ କ’ଣସବୁ ଅତ୍ୟାଚାର କରୁଛି, ତା’ର ଏକ ବାସ୍ତବ ଓ ଭୟଙ୍କର ଚିତ୍ର ଦର୍ଶକ ଦେଖିବାକୁ ପାଇବେ। ଅନ୍ଧ ବିକାଶର ପରିଣତି ସଂପର୍କରେ ଫିଲ୍ମଟି ଦର୍ଶକଙ୍କୁ ଚିନ୍ତା କରିବାଲାଗି ବାଧ୍ୟ କରିପାରେ! ଏ ଫିଲ୍ମର ମୁଖ୍ୟ ଆକର୍ଷଣ ହେଉଛନ୍ତି ଅଭିନେତା ମନୋଜ ବାଜପେୟୀ। ମନୋଜ ମୁଖ୍ୟ ଭୂମିକାରେ ଥିବାବେଳେ ଆହୁରି ଅଛନ୍ତି ତନିଷ୍କା ଚାଟାର୍ଜୀ, ମହମ୍ମଦ ଜେସାନ୍, ସ୍ମିତା ଟମ୍ବେଙ୍କ ପରି ଅଭିଜ୍ଞ କଳାକାର। ସମସ୍ତଙ୍କ ଅଭିନୟ ଦମଦାର୍ ହୋଇଛି।
କାହାଣୀଟି ଏମିତି: ଏକ ନିର୍ମାଣ ସ୍ଥାନରେ ଜଣେ ଶ୍ରମିକର ପତ୍ନୀକୁ ଅତି ନିର୍ମମ ଭାବରେ ହତ୍ୟା କରାଯାଏ। ଶ୍ରମିକ ଜଣକ ନିଜର ୩ ମାସର କୁନିଝିଅ ସହିତ ଘଟଣାସ୍ଥଳରୁ ପଳାୟନ କରେ। କିନ୍ତୁ ପୂରା ପଳାୟନ କରି ପାରେନି। ସେହି ଘଟଣାର ଖିଅ ତା’କୁ ଗୋଡ଼ାଏ। ସେ ସେହି ହିଂସାତ୍ମକ ଅତୀତରୁ ରକ୍ଷା ପାଇବାକୁ ସଂଗ୍ରାମ କରେ। ସେଥିରେ କାହାଣୀ ଆଗେଇଛି। ଏହାସହିତ ରାଜନୀତିର ପଶାପାଲିରେ ପଡ଼ିଥିବା ଜଣେ ପୁଲିସ ଅଫିସର, ପ୍ରତିଶୋଧ ନେବାକୁ ଚାହୁଥିବା ଜଣେ ଶୋକାକୁଳ ମା’, ଅନ୍ଧ ଲୋଭ, ବିଦ୍ରୋହ ଓ ବିକାଶର ରକ୍ତାକ୍ତ ଫର୍ଦ୍ଦ- ଏହିସବୁକୁ ନେଇ କାହାଣୀ ଗତିଶୀଳ ହୁଏ।
‘ଜୋରାମ୍’ର ଗୋଟିଏ ଓଡ଼ିଶା ସଂପର୍କ ମଧ୍ୟ ରହିଛି! ଏଥିରେ ସିନେମାଟ୍ରୋଗ୍ରାଫର ଭାବେ କାମ କରିଛନ୍ତି ଓଡ଼ିଆ ସିନେ ଜଗତର ପରିଚିତ ବ୍ୟକ୍ତିତ୍ବ ନିର୍ଦ୍ଦେଶକ-ସଂପାଦକ ଗଦାଧର ପୁଟୀଙ୍କ ସୁପୁତ୍ର ପୀୟୁଷ ପୁଟୀ। ବର୍ତ୍ତମାନ ମୁମ୍ବାଇରେ ରହୁଥିବା ପୀୟୁଷ ଏହି ଫିଲ୍ମଟି ପାଇଁ ବହୁତ ପ୍ରଶଂସା ପାଉଛନ୍ତି। ଇତିମଧ୍ୟରେ ଦକ୍ଷିଣ ଆଫ୍ରିକାର ଡର୍ବାନରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସେ ସିନେମାଟୋଗ୍ରାଫିରେ ଶ୍ରେଷ୍ଠ ପୁରସ୍କାର ପାଇ ସାରିଛନ୍ତି।
ଅନ୍ୟପଟେ ଗତ ସପ୍ତାହରେ ରିଲିଜ୍ ହୋଇଥିବା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍’ ଏବଂ ପୂର୍ବତନ ଭାରତୀୟ ସେନା ମୁଖ୍ୟ ସାମ୍ ମାନେକ୍ଶାଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ‘ସାମ୍ ବାହାଦୂର’ର କ୍ରେଜ୍ ରାଜଧାନୀରେ ଲାଗି ରହିଛି। ଏବେ ବି ଭୁବନେଶ୍ବରର ୮ଟି ସିନେମା ହଲ୍ରେ ପ୍ରତିଦିନ ‘ଆନିମଲ୍’ର ୭୪ଟି ସୋ’ ଚାଲିଛି। ସେହିପରି ‘ସାମ୍ ବାହାଦୂର’ ୬ଟି ହଲ୍ର ୨୫ଟି ସୋ’ରେ ଜାରି ରହିଛି। ‘ଜୋରାମ୍’ ପାଇଁ ସାଧାରଣ ଦର୍ଶକଙ୍କର ସେତେଟା ଉତ୍କଣ୍ଠା ନାହିଁ ସତ, ତେବେ ମନୋଜ ବାଜପେୟୀଙ୍କ ପାଇଁ ସ୍ବତନ୍ତ୍ର ବୁଦ୍ଧିଜୀବୀ ଦର୍ଶକ ଏହାକୁ ନିଶ୍ଚୟ ଦେଖିବେ।
[ad_2]