ସାଇବର ଠକଙ୍କ ଟାର୍ଗେଟ୍ରେ ଗରିବ: ୫ହଜାରରୁ ଊର୍ଧ୍ବ ଜାଲ୍ ଆକାଉଣ୍ଟ ଠାବ – bajravana
[ad_1]
୨ହଜାର ଦେଇ ଆକାଉଣ୍ଟ ଖୋଲି ୨୦ ହଜାରରେ ବିକୁଥିଲେ
ଭୁବନେଶ୍ବର: ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ନିଜର ଟାର୍ଗେଟ୍ ବନାଉଥିଲେ। ଅଳ୍ପକିଛି ଅର୍ଥ ଦେଇ ତଥ୍ୟ ଓ କାଗଜପତ୍ର ହାତେଇ ସେମାନଙ୍କ ନାଁରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲୁଥିଲେ। ଆଉ ସେହି ଆକାଉଣ୍ଟକୁ ସାଇବର ଲୁଟେରା ଓ ଅପରାଧୀଙ୍କୁ ବିକ୍ରିକରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଏଭଳି ଏକ ଅନ୍ତଃରାଜ୍ୟ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ସହ ଗ୍ୟାଙ୍ଗର ଆଉଜଣେ ଠକକୁ ପଶ୍ଚିମବଙ୍ଗରୁ ଗିରଫ କରିଛି। ସେ ହେଲା ପଶ୍ଚିମବଙ୍ଗ ମୂର୍ଶିଦାବାଦର ସମିମ୍ ଇସ୍ଲାମ। ତା’ଠାରୁ ବହୁ ବ୍ୟାଙ୍କ ପାସ୍ବୁକ୍, ମୋବାଇଲ୍ ଫୋନ୍, ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ, ଆଧାର କାର୍ଡ ସମେତ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଗତ ୪ ତାରିଖରେ ତାକୁ ଗିରଫ ପରେ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ୩ଦିନଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଣାଯାଇଛି। ଆସନ୍ତାକାଲି ତାକୁ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯିବ।
ତଦନ୍ତରୁ ଜଣାପଡ଼ିଛି ଯେ, ଗ୍ୟାଙ୍ଗର ମୁଖ୍ୟ ଜମିରୁଦ୍ଦିନ ପଶ୍ଚିମବଙ୍ଗରୁ ନିଜର ଗ୍ୟାଙ୍ଗ ଆରମ୍ଭ କରି ସାରାଦେଶରେ ନେଟ୍ୱର୍କ ବନାଇଥିଲା। ଗ୍ୟାଙ୍ଗରେ ସାମିମ୍, ସେକ୍ ହାପିଜୁଲ, ସେକ୍ ଜାହାଙ୍ଗୀରକୁ ସାମିଲକରି ନିଜର ପ୍ରଭାବ ବଢ଼ାଇଥିଲା। ପଶ୍ଚିମବଙ୍ଗ, ଓଡ଼ିଶା, ଝାରଖଣ୍ଡରେ ସୀମାନ୍ତ ଅଞ୍ଚଳରେ ସେ ବେଶ୍ ସକ୍ରିୟ ଥିଲା। ଏଥିପାଇଁ ସେ ଲୋକଙ୍କୁ ମାସିକ ୧୫ରୁ ୨୦ହଜାର ଟଙ୍କା ଦରମା ଦେଇ ଏଜେଣ୍ଟ ରଖିଥିଲା। ସେମାନେ ବିଭିନ୍ନ ରାଜ୍ୟକୁ ଯାଇ ଆହୁରି ନୂଆ ଏଜେଣ୍ଟ ସୃଷ୍ଟି କରୁଥିଲେ। ସେମାନେ କିଭଳି ଜାଲ୍ ବ୍ୟାଙ୍କ ଆକାଉଣ୍ଟ ଖୋଲିବେ, ସେ ବିଷୟରେ ବୁଝାଉଥିଲେ। ବିଶେଷକରି ଗ୍ରାମାଞ୍ଚଳର ଦୁର୍ବଳ ଶ୍ରେଣୀ ଓ କମ୍ପାଠ ପଢ଼ିଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ। ସେମାନଙ୍କୁ ଘରେ ବସି କିଭଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିହେବ ସେ ସୁନେଲି ସ୍ବପ୍ନ ଦେଖାଇଥିଲେ। ସେମାନଙ୍କୁ ଠକି ସେମାନଙ୍କ ଆଧାର କାର୍ଡ, ପାନ୍ କାର୍ଡ ଆଦି ହାତେଇବା ପାଇଁ ଅଳ୍ପ କିଛି ଅର୍ଥ ମଧ୍ୟ ଦେଉଥିଲେ। ଆଉ ସେହି ସିମ୍ ଓ ଆଧାରକାର୍ଡକୁ ବ୍ୟବହାର କରି ସେମାନଙ୍କ ନାଁରେ ସିମ୍ କିଣୁଥିଲେ। ଏହାପରେ ସେହି ଡକ୍ୟୁମେଣ୍ଟକୁ ବ୍ୟବହାର କରି ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ମଧ୍ୟ ଖୋଲୁଥିଲେ। ପ୍ରତି ଆକାଉଣ୍ଟ ଖୋଲିବା ପାଇଁ ଲୋକଙ୍କୁ ୨୦୦୦ ଟଙ୍କା ଦେଉଥିଲେ। ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ଠକମାନେ ଲୋକଙ୍କ ପରିଚୟପତ୍ର ଦେଇ ଆଣିଥିବା ମୋବାଇଲ୍ ନମ୍ବରକୁ ବ୍ୟବହାର କରୁଥିଲେ। ଫଳରେ ବ୍ୟାଙ୍କ କାରବାର ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହୁଥିଲା ଏବଂ କାହାରି ସନ୍ଦେହ ହେଉ ନଥିଲା।
ଲୋକଙ୍କୁ ଭୁଆଁବୁଲାଇ ହାତେଇଥିବା ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ସେମାନେ ବିଭିନ୍ନ ମାଧ୍ୟମରେ ସାଇବର ଠକ, ବିଭିନ୍ନ ସୋସିଆଲ୍ ମିଡିଆରେ ଲୋକଙ୍କୁ ଅଶ୍ଳୀଳ ଭିଡିଓ ମାଧ୍ୟମରେ ଫସାଇ ଠକୁଥିବା ଠକ ଓ ଅନ୍ୟ ଅପରାଧୀଙ୍କୁ ବିକ୍ରି କରୁଥିଲେ। ଏଥିପାଇଁ ସେମାନେ ପ୍ରତି ଆକାଉଣ୍ଟ ପିଛା ୧୫ରୁ ୨୦ ହଜାର ଟଙ୍କା ନେଉଥିଲେ। ଏଭଳି ସେମାନେ ୫୦୦୦ରୁ ଊର୍ଧ୍ବ ବ୍ୟାଙ୍କ ଆକାଉଣ୍ଟ ବିକ୍ରି କରିଥିବା ଜଣାପଡ଼ିଛି। ସେ ଆକାଉଣ୍ଟକୁ କିଣି ଅନ୍ୟ ଠକମାନେ ପ୍ରତି ଆକାଉଣ୍ଟରେ ଅତିବେଶୀରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ କାରବାର କରୁଥିଲେ। ଏକ ଲକ୍ଷ ହେବା ପରେ ଅନ୍ୟ ଆକାଉଣ୍ଟ ବ୍ୟବହାର କରୁଥିଲେ। ଏହାଛଡ଼ା ପୁଲିସ ଆକାଉଣ୍ଟକୁ ସିଜ୍ କରୁଥିବାରୁ ଠକେଇ ପରେ ବାରମ୍ବାର ଆକାଉଣ୍ଟ ପରିବର୍ତ୍ତନ କରୁଥିଲେ। ପୂର୍ବରୁ ପୁଲିସ ସେକ୍ ହାପିଜୁଲ, ସେକ୍ ଜାହାଙ୍ଗୀର ଓ ଜମିରୁଦ୍ଦିନକୁ ଗିରଫ କରିଥିବା ବେଳେ ଆଜି ସମିମ୍କୁ ଗିରଫ କରାଯାଇଛି। ଠକେଇ ରୢାକେଟ୍ରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବାଲାଗି ପାଇଁ ଏସ୍ଟିଏଫ୍ ଅଧିକ ତଦନ୍ତ ଜାରି ରଖିଛି।
[ad_2]