ବନ୍ଦୋବସ୍ତ କାର୍ଯ୍ୟାଳୟର ଲାଞ୍ଚୁଆ କିରାଣି ଗିରଫ – bajravana
[ad_1]
ବାଲେଶ୍ୱର: ଲାଞ୍ଚ ମାମଲାରେ ବାଲେଶ୍ବର ବନ୍ଦୋବସ୍ତ କାର୍ଯ୍ୟାଳୟର କନିଷ୍ଠ କିରାଣି ଲକ୍ଷ୍ମୀନାରାୟଣ ନାଥ (୩୮)ଙ୍କୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୁଜିଦରଡ଼ା ଅଞ୍ଚଳର ସାହାଜାନ୍ ଅଲ୍ଲୀ ଖାଁ ଆଜିକୁ ୭ ମାସ ହେଲା ନିଜ ଜମିର ସାର୍ଟିଫାଏଡ୍ ନକଲ ନେବା ପାଇଁ ବନ୍ଦୋବସ୍ତ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏଥିପାଇଁ ଭଦ୍ରକରୁ ବାଲେଶ୍ବର କାର୍ଯ୍ୟାଳୟକୁ ସେ ଅନେକ ଥର ଦୌଡ଼ି ନୟାନ୍ତ ହୋଇଥିଲେ ସୁଦ୍ଧା ତାଙ୍କୁ ଜମିର ନକଲ ମିଳିନଥିଲା। ବରଂ ଏହି କାମ ପାଇଁ ତାଙ୍କୁ ୫ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ କିରାଣି ଶ୍ରୀ ନାଥ। ଆବେଦନକାରୀ ସାହାଜାନ୍ ୧ ହଜାର ଟଙ୍କା ଲାଞ୍ଚ ଦେବା ପରେ ବାଲେଶ୍ୱର ଭିଜିଲାନ୍ସର ଦୃଷ୍ଟି ଆକର୍ଷଣ କରିଥିଲେ।
ପୂର୍ବ ଯୋଜନା ଅନୁସାରେ ଆଜି ପୂର୍ବାହ୍ନରେ ସାହାଜାନ୍ ୪ ହଜାର ଟଙ୍କା ଲାଞ୍ଚ ଦେବା ବେଳେ କିରାଣି ଲକ୍ଷ୍ମୀନାରାୟଣ ନାଥଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଏ ସଂକ୍ରାନ୍ତରେ ଭିଜିଲାନ୍ସ ପକ୍ଷରୁ କେସ୍ ନଂ ୩୨/୨୩ରେ ଏକ ମାମଲା ରୁଜୁ କରାଯାଇଛି। ଶ୍ରୀ ନାଥ ୨୦୧୨ ମସିହାରେ ବାଲେଶ୍ବର ଅତିରିକ୍ତ ଉପଜିଲ୍ଲାପାଳ(ବନ୍ଦୋବସ୍ତ) କାର୍ଯ୍ୟାଳୟରେ କନିଷ୍ଠ କିରାଣି ଭାବେ ନିଯୁକ୍ତି ପାଇଥିଲେ। ଭିଜିଲାନ୍ସ କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚୁରା କରାଯିବା ପରେ ପୈତୃକ ବାସଭବନ ସିଂଲା ଥାନା ସାହାଡ଼ା ଗାଁ ଓ ଭଡ଼ାରେ ରହୁଥିବା ବାଲେଶ୍ବର ମୋତିଗଞ୍ଜ ଘରଠାରେ ଭିଜିଲାନ୍ସ ଚଢ଼ଉ କରିଛି। ସରକାରୀ ଚାକିରି ସହିତ ଶ୍ରୀ ନାଥ ବ୍ୟବସାୟ କରୁଥିବା ସୁରାକ୍ ପାଇବା ପରେ ଭିଜିଲାନ୍ସ ସେ ଦିଗରେ ତଦନ୍ତ ଜାରି ରଖିଛି।
[ad_2]