ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ସାଇବର ଅପରାଧ: ବିପଦରେ ଉତ୍ତର ଓଡ଼ିଶା – bajravana
[ad_1]
ଅପରାଧୀ ଯୋଗାଉଛନ୍ତି ବିପୁଳ ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ
ଶୁଭକାନ୍ତ ପଢ଼ିହାରୀ
ଭୁବନେଶ୍ବର: ଓଡ଼ିଶା ଆଗକୁ ସାଇବର ଅପରାଧରେ ଦେଶର ନୂଆ ହଟସ୍ପଟ୍ ହୋଇପାରେ। କାରଣ ଏଠାରୁ ଏକାଧିକ ଅନ୍ତଃରାଜ୍ୟ ସାଇବର ଅପରାଧୀ ଗିରଫ ହେଉଥିବା ବେଳେ ହଜାର ହଜାର ସଂଖ୍ୟାରେ ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ ଜବତ କରାଯାଉଛି। ଓଟିପି ସେୟାରିଂ ମାମଲାର ଚେର ଓଡ଼ିଶାରୁ ହିଁ ଚାରି ଆଡ଼କୁ ବ୍ୟାପିଥିବା କ୍ରାଇମବ୍ରାଞ୍ଚ ଏସଟିଏଫ୍ ତଦନ୍ତରୁ ସ୍ପଷ୍ଟ ହୋଇଯାଇଛି। ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ ଜରିଆରେ ପାକିସ୍ତାନ ଏଜେଣ୍ଟଙ୍କୁ ଓଟିପି ସେୟାରିଂ କରାଯାଉଥିବା ଭଳି ସାଂଘାତିକ ତଥ୍ୟ ମଧ୍ୟ ମିଳିଛି। ରାଜ୍ୟର ୫ ଜିଲ୍ଲା ସାଇବର କ୍ରାଇମ୍ ହଟ୍ସ୍ପଟ୍ ଭାବେ ଚିହ୍ନଟ କରାଯାଇଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କେଉଁ କେଉଁ ଜିଲ୍ଲା ସାଇବର ଅପରାଧର ହଟ୍ସ୍ପଟ୍ ତାକୁ ନେଇ ଫ୍ୟୁଚର କ୍ରାଇମ୍ ରିସର୍ଚ୍ଚ ଫାଉଣ୍ଡେସନ୍ (ଏଫ୍ସିଆର୍ଏଫ୍) ପକ୍ଷରୁ ଗବେଷଣା ହୋଇଛି। ରାଜ୍ୟରେ ଚିହ୍ନଟ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ।
ସାଇବର ବିଶେଷଜ୍ଞଙ୍କ କହିବା ଅନୁସାରେ, ଓଡ଼ିଶାର ଏହି ୫ ଜିଲ୍ଲାରୁ ଅଧିକ ସଂଖ୍ୟାରେ ସାଇବର ଅପରାଧୀ ରହିବା ସହ ଠକେଇକୁ ନିୟନ୍ତ୍ରଣ କରୁଛନ୍ତି। ଦେଶର ବିଭିନ୍ନ ଅଞ୍ଚଳକୁ ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ ଯୋଗାଉଛନ୍ତି। ଯେଉଁ ସିମ୍ କାର୍ଡ ଜରିଆରେ ଠକେଇ କରାଯାଉଛି। ପୂର୍ବରୁ ଏହି ୫ ଜିଲ୍ଲାରୁ ଏକାଧିକ ଅନ୍ତଃରାଜ୍ୟ ସାଇବର ଅପରାଧୀଙ୍କୁ ଗିରଫ କରାଯାଇଛି। ଏପରିକି ଅନେକ ସମ୍ବେଦନଶୀଳ ମାମଲା ମଧ୍ୟ ରହିଛି। ଏହି ୫ ଜିଲ୍ଲାରେ ସାଇବର ଅପରାଧୀଙ୍କୁ ସୁହାଉଥିବା ବେଳେ ଯଦି ବଡ଼ ଧରଣର ଅପରେସନ୍ କରା ନ ଯାଏ ତାହେଲେ ଆଗକୁ ଦେଶର ସାଇବର କ୍ରାଇମ୍ ହଟ୍ସ୍ପଟ୍ ହୋଇପାରେ ବୋଲି ବିଶେଷଜ୍ଞ ସନ୍ଦେହ କରୁଛନ୍ତି। ସାଇବର ହଟ୍ସ୍ପଟ୍ ହେବାର କାରଣ ଗୁଡ଼ିକ ହେଲା, କେଵାଇସି ଅପଡେଟ୍ ସମୟରେ ଜାଲ ପରିଚୟପତ୍ର ବ୍ୟବହାର କରାଯାଉଥିବା ଜଣାପଡ଼ିଛି। ସେହିପରି ଅନଭିଜ୍ଞ, ଗରିବଙ୍କ ନାଁରେ ଜାଲ୍ ବ୍ୟାଙ୍କ ଆକାଉଣ୍ଟ ଖୋଲି ସାଇବର ଅପରାଧୀମାନେ ବ୍ୟବହାର କରୁଛନ୍ତି। ଅତି ସହଜରେ ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ ସାଇବର ଅପରାଧୀଙ୍କୁ ମିଳି ଯାଉଛି। ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ବ୍ୟବହାର କରାଯାଇ ସହଜରେ ଲୋକଙ୍କୁ ଟାର୍ଗେଟ କରାଯାଉଛି। ଶିକ୍ଷିତ ବେପାରୀମାନଙ୍କୁ ଅର୍ଥ ଲୋଭ ଦେଖାଇ ସାଇବର ଅପରାଧରେ ନିୟୋଜିତ କରାଯାଉଛି।
ଏହିସବୁ କାରଣରୁ ସାଇବର ଅପରାଧ ବଢ଼ୁଥିବା ଜଣାପଡ଼ିଛି। ସାଇବର ବିଶେଷଜ୍ଞ ଆକାଶ ମିଶ୍ରଙ୍କ କହିବା ଅନୁସାରେ, ଗତ କିଛି ବର୍ଷର ତଥ୍ୟକୁ ଅନୁଧ୍ୟାନ କଲେ, ସାଇବର ଅପରାଧ ଓ ଠକେଇ ତଦନ୍ତରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ନୈରାଶ୍ୟଜନକ। ବୈଷୟିକ ଜ୍ଞାନ କୌଶଳ ଓ ମାନବସମ୍ବଳ ଅଭାବରୁ ଅଭିଯୁକ୍ତଙ୍କୁ ଧରିବାରେ ଓଡ଼ିଶା ପୁଲିସ ବିଫଳ ହେଉଛି। ଯାହାର ଫାଇଦା ଉଠାଇ ଏବେ ଓଡ଼ିଶାର କେତେକ ଅଞ୍ଚଳ ସାଇବର ଅପରାଧୀ ନିଜ କାୟା ବିସ୍ତାର କରୁଛନ୍ତି। ଯଦି ଓଡ଼ିଶା ପୁଲିସ ଏହାକୁ ଗୁରୁତ୍ୱର ସହକାରେ ନେବେ ନାହିଁ ତାହେଲେ ଆଗାମୀ ଦିନରେ ଓଡ଼ିଶା ସାଇବର ଠକଙ୍କ ଗଡ଼ ରୂପେ ନୂତନ ପରିଚୟ ସୃଷ୍ଟି କରିବ। ରାଜ୍ୟର ସମସ୍ତ ସାଇବର ଥାନା ଭିତ୍ତିଭୂମି ସୁଦୃଢ଼ କରିବା ସହ ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ନିୟୋଜନ କରିବା ସହ ତାଙ୍କ ପରାମର୍ଶ ନେଇ ତଦନ୍ତ ଆବଶ୍ୟକତା ରହିଛି। ୫ ହଟସ୍ପଟ୍ ଜିଲ୍ଲାରୁ ଧରାପଡ଼ିଥିବା ଅନ୍ତଃରାଜ୍ୟ ସାଇବର ଅପରାଧୀ
୧- ବାଲେଶ୍ବର: ୨୦ ଫେବ୍ରୁଆରି ୨୦୨୧- ଜଳେଶ୍ବରରୁ ସାଇବର ଅପରାଧୀ ସନ୍ମୟ ପରିଡ଼ାକୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ। ଲାପଟପ୍, ବିପୁଳପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜବତ ହୋଇଥିଲା।
୨- ଯାଜପୁର: ୧୧ ଅଗଷ୍ଟ ୨୦୨୧- ସାଇବର ଅପରାଧୀଙ୍କୁ ପ୍ରି-ଆକ୍ଟିଭେଟେଡ୍ ସିମ୍ କାର୍ଡ ଯୋଗାଇବା ଅଭିଯୋଗରେ ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଭୁରୁଙ୍ଗ ଅଞ୍ଚଳର ପ୍ରୀତମ କରକୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ। ସେହିପରି ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପି ସେୟାରିଂ ମାମଲାରେ ପ୍ରୀତମକୁ ଚଳିତବର୍ଷ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍।
୩- ଢେଙ୍କାନାଳ: ୧୭ ନଭେମ୍ବର ୨୦୨୧: ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ଚାଇଲ୍ଡ ପର୍ଣ୍ଣୋଗ୍ରାଫି ମାମଲାରେ ଢେଙ୍କାନାଳରୁ ସୁରେନ୍ଦ୍ର କୁମାର ନାୟକକୁ ଗିରଫ କରିଥିଲା ସିବିଆଇ।
୪- ମୟୂରଭଞ୍ଜ: ୧୩ ସେପ୍ଟେମ୍ବର ୨୦୨୨: ସିମ୍ ବକ୍ସ ରାକେଟର ପର୍ଦ୍ଦାଫାସ୍ ସହ ୬ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ସାଇବର ଥାନା। ସିମ୍ ବକ୍ସ ବ୍ୟବହାର କରି ସାଇବର ଠକେଇ କରିବା ନେଇ ସୂଚନା ମିଳିବା ପରେ ଚଢ଼ଉ କରିଥିଲା ସାଇବର ଥାନା।
୫- କେନ୍ଦୁଝର: ୭ ଫେବ୍ରୁଆରି ୨୦୨୩: ପୁରୀ ନୀଳାଚଳ ଭକ୍ତ ନିବାସ ନାଁରେ ଜାଲ୍ ୱେବସାଇଟ୍ ଖୋଲି ଦେଶର ବିଭିନ୍ନ ରାଜ୍ୟର ପର୍ଯ୍ୟଟକଙ୍କୁ ଠକିବା ଅଭିଯୋଗରେ କେନ୍ଦୁଝରର ଚନ୍ଦନ କୁମାର ସିଂ ଓ ସହଯୋଗୀ ଗୌତମ ସାହୁକୁ ଗିରଫ କରିଥିଲା ପୁଲିସ। ଏମାନେ ଯୋଗାଇଥିବା ପ୍ରି-ଆକ୍ଟିଭେଟ୍ ସିମ୍ କାର୍ଡ ଜରିଆରେ ଏହି ଠକେଇ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ମଥୁରା ଗୋବର୍ଦ୍ଧନ ଥାନା ଅଞ୍ଚଳର ଥିବା ବେଳେ ଅନ୍ୟତମ ସହଯୋଗୀ ଥିଲା ରାଜସ୍ଥାନ ଅଲଵାର ଅଞ୍ଚଳର।
[ad_2]