ବିଶ୍ବକପ୍ ବିପର୍ଯ୍ୟୟ: ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ – bajravana
[ad_1]
ଦିଲ୍ଲୀ: ଦିନଥିଲା ବୋମା ବର୍ଷଣ ଭିତରେ ଖେଳିବାକୁ ବାଧ୍ୟ ହେଉଥିଲେ, ଆଜି ବିଶ୍ବବିଜେତାକୁ ଧରାଶାୟୀ କରିବାର ଧୁରନ୍ଧର ପାଲଟିଛନ୍ତି। ଏଭଳି ଅନନ୍ୟ ଇତିହାସର ଅଧିକାରୀ ହୋଇ ଅନଭିଜ୍ଞ ଆଫଗାନିସ୍ତାନ ରବିବାର ବିଶ୍ବବିଜେତା ଇଂଲଣ୍ଡକୁ ୬୯ ରନ୍ରେ ହରାଇଛି। ଅବିଶ୍ବସନୀୟ ଓ ଅସାଧାରଣ ଦଳଗତ ପ୍ରଦର୍ଶନ ସହ ନିଜ କ୍ରିକେଟ୍ ଇତିହାସର ସବୁଠାରୁ ସ୍ମରଣୀୟ ବିଜୟ ହାସଲ କରିଛି। ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍ର ଏହା ମଧ୍ୟ ସବୁଠାରୁ ବଡ଼ ବିପର୍ଯ୍ୟୟ। ତାରକା ଖଚିତ ଇଂଲଣ୍ଡ ବ୍ୟାଟିଂକ୍ରମକୁ ଶାଣିତ ବୋଲିଂରେ ଘାଇଲା କରିଦେଇଛି। ଆତଙ୍କବାଦ, ଅର୍ଥାଭାବ ଏବଂ ଅଭ୍ୟାସ କରିବା ଲାଗି ସୁରକ୍ଷିତ ପଡ଼ିଆର ଅଭାବ ଯେ ଦୃଢ଼ ଆତ୍ମବିଶ୍ବାସ ଓ ନିରନ୍ତର ପ୍ରୟାସ ଆଗରେ ହାରମାନିଛି, ସେକଥା ଆଫଗାନିସ୍ତାନ ପ୍ରମାଣିତ କରିଛି। ଏଭଳି ଫଳାଫଳ ଇଂଲଣ୍ଡରେ ଆଲୋଡ଼ନ ଏବଂ କ୍ରିକେଟ୍ ଜଗତରେ ଚହଳ ସୃଷ୍ଟି କରିଛି। ଆଫଗାନିସ୍ତାନ ୨୮୫ ରନ୍ର ବିଜୟ ଲକ୍ଷ୍ୟ ଦେବା ପରେ ଇଂଲଣ୍ଡ ୪୦.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୧୫ ରନ୍ କରିବାର ଲଜ୍ଜାଜନକ ପ୍ରଦର୍ଶନ କରିବା ସାରା ବିଶ୍ବର କ୍ରିକେଟ୍ପ୍ରେମୀଙ୍କୁ ବିସ୍ମିତ କରିଛି। ଆଫଗାନିସ୍ତାନ ଦଳକୁ କିନ୍ତୁ ଶୁଭେଚ୍ଛାର ସୁଅ ଛୁଟିଛି। ସେପଟେ ୧୬ ବଲ୍ରୁ ୨୮ ରନ୍ କରିବା ପରେ ନିଜ ସ୍ପିନ୍ ଯାଦୁରେ ଇଂଲଣ୍ଡକୁ ତିନିଟି ଝଟ୍କା ଦେଇଥିବା ୨୨ ବର୍ଷୀୟ ଆଫଗାନ ସ୍ପିନର ମୁଜୀବ-ଉର୍-ରହମାନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରି ଇତିହାସ ପୃଷ୍ଠାରେ ନିଜ ନାମକୁ ଲିପିବଦ୍ଧ କରିଛନ୍ତି।
ରବିବାର ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍କୁ ଓହ୍ଲାଇଲା ବେଳେ ଯୁବ ଆଫଗାନିସ୍ତାନ ଦଳ ଏଭଳି ଏକ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି କେହି କେବେ ସ୍ବପ୍ନରେ ବି ଭାବି ନଥିଲେ। ତେବେ ଇଂଲଣ୍ଡ ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେବା ଏହି ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ରହମତୁଲ୍ଲା ଗୁରବାଜ (୮୦) ଓ ଇବ୍ରାହିମ ଜଦ୍ରାନ (୨୮) ପ୍ରଥମ ୱିକେଟ୍ରେ ଶତକୀୟ ଭାଗୀଦାରି କରି ଇଂଲଣ୍ଡକୁ ଅଡ଼ୁଆରେ ପକାଇଥିଲେ। ସେହିଭଳି ୱିକେଟ୍ ରକ୍ଷକ ଇକ୍ରାମ ଅଲିଖିଲ (୫୮) ନିଜ ଜୀବନରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପାଳି ଖେଳିବା ପରେ ଆଫଗାନିସ୍ତାନ ୪୯.୫ ଓଭରରେ ୨୮୪ ରନ୍ର ଆହ୍ବାନଭରା ସ୍କୋର କରି ନେଇଥିଲା। ପ୍ରାରମ୍ଭିକ ବ୍ୟାଟର୍ ଜନି ବେୟାରଷ୍ଟୋ ୨ ରନ୍ରେ ଆଉଟ୍ ହେବା ସହ ଇଂଲଣ୍ଡର ପଶ୍ଚାତଧାବନ ଆରମ୍ଭରୁ ବାଟ ହୁଡ଼ିଥିଲା। ରସିଦ ଖାନ ଓ ମହମ୍ମଦ ନବିଙ୍କ ମାର୍ଗଦର୍ଶନରେ ଆଫଗାନିସ୍ତାନ ବୋଲରମାନେ ଏମିତି ଚାପ ସୃଷ୍ଟି କରିଥିଲେ ଯେ ହାରି ବ୍ରୁକ୍ (୬୬)ଙ୍କ ଛଡ଼ା ଅନ୍ୟ କୌଣସି ଇଂଲଣ୍ଡ ବ୍ୟାଟର୍ ବଡ଼ ସ୍କୋର କରିପାରି ନଥିଲେ। ବିଶେଷ କରି ମୁଜୀବଙ୍କ ବୋଲିଂର କୌଣସି ଉତ୍ତର ଯେମିତ ଇଂଲଣ୍ଡ ପାଖରେ ନଥିଲା। ଫଳରେ ୯.୩ ଓଭର ପୂର୍ବରୁ ଅଲଆଉଟ୍ ହୋଇ ଚଳିତ ବିଶ୍ବକପ୍ରେ ତୃତୀୟ ମ୍ୟାଚ୍ରୁ ଦ୍ବିତୀୟ ପରାଜୟ ବରଣ କରିଥିଲା। ଅନ୍ୟପକ୍ଷରେ ଆଫଗାନିସ୍ତାନ ଚମତ୍କାର ଶୈଳୀରେ ନିଜ ବିଜୟ ଖାତା ଖୋଲିଥିଲା। ୨୦୧୫ ପରେ ମଧ୍ୟ ଏହା ଆଫଗାନିସ୍ତାନର ପ୍ରଥମ ବିଶ୍ବକପ୍ ବିଜୟ ଥିଲା।
[ad_2]