ଓଡିଶା

ସରକାରୀ ଡାକ୍ତରଖାନାକୁ କାହିଁକି ମୁହଁ ମୋଡ଼ୁଛନ୍ତି? – bajravana

[ad_1]

ଭୁବନେଶ୍ବର: ରାଜ୍ୟରେ ମେଡିକାଲ କଲେଜ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଏବେ ୧୧ଟି ସରକାରୀ ମେଡିକାଲ କଲେଜ ଓ ୬ଟି ଘରୋଇ ମେଡିକାଲ କଲେଜ ରହିଛି। ଏଥିପାଇଁ ୨୫୨୫ ସିଟ୍‌ ମଞ୍ଜୁର ହୋଇଛି। ଅର୍ଥାତ୍ ପ୍ରତିବର୍ଷ ଏତିକି ସଂଖ୍ୟକ ଡାକ୍ତର ବାହାରୁଛନ୍ତି। ତହିଁରୁ ସରକାରୀ ମେଡିକାଲ କଲେଜର ସିଟ୍‌ ସଂଖ୍ୟା ୧୫୫୦ ରହିଛି। ଗୋଟିଏ ହିସାବରୁ ଜଣାପଡ଼ୁଛି ଯେ ୨୦୩୦ ବେଳକୁ କେବଳ ସରକାରୀ ମେଡିକାଲ କଲେଜରୁ ୨୫୦୦ ଡାକ୍ତର ବାହାରିବେ। ହେଲେ ଏତେ ସଂଖ୍ୟକ ଡାକ୍ତର ବାହାରୁଥିଲେ ହେଁ ଏମାନେ ଯାଉଛନ୍ତି କୁଆଡ଼େ? ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ପାଇଁ ଯେଉଁ ବିଜ୍ଞପ୍ତି ବାହାରୁଛି ତହିଁରୁ ଅଧା ପଦବି ପୂରଣ ହେଉନାହିଁ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ହାଇକୋର୍ଟରେ ଏହି ସତ୍ୟପାଠ ଦେଇଛନ୍ତି। ଏଭଳି ପୃଷ୍ଠଭୂମିରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଡାକ୍ତରମାନେ ଆକୃଷ୍ଟ ନ ହେବା ପଛର କାରଣ କ’ଣ ?

ସରକାରୀ ତଥ୍ୟ କହୁଛି ଯେ ରାଜ୍ୟରେ ସମୁଦାୟ ୧୦,୭୭୪ ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବି ରହିଛି। ଏଥିରେ ୯୩୨୦ ଜଣ କାର୍ଯ୍ୟରତ ଥିବା ବେଳେ ୧୪୫୪ ପଦବି ଖାଲି ରହିଛି। ନୂତନ ଭାବେ ୫ହଜାର କନିଷ୍ଠ ବର୍ଗ ପାହ୍ୟାର ଡାକ୍ତର ପଦବି ସୃଷ୍ଟି ହେବା ଫଳରେ ମଞ୍ଜୁରିପ୍ରାପ୍ତ ଡାକ୍ତର ପଦବି ସଂଖ୍ୟା ୧୫,୭୭୪କୁ ବୃଦ୍ଧି ପାଇଛି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ୭ହଜାର ପଦବି ପୂରଣ ପାଇଁ ଓପିଏସ୍‌ସିକୁ ନିବେଦନ କରାଯାଇଛି। ମାତ୍ର ଏତିକି ସଂଖ୍ୟକ ପଦବି ପୂରଣ ହେବ କି ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି। ତେଣୁ ପୂର୍ବଭଳି ଡାକ୍ତରଖାନାଗୁଡ଼ିକରେ ଡାକ୍ତର ଅଭାବ ଲାଗି ରହିପାରେ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟ ଜନସ୍ବାସ୍ଥ୍ୟ ଅଭିଯାନର ଅଧ୍ୟକ୍ଷ ଗୌରାଙ୍ଗ ମହାପାତ୍ରଙ୍କ କହିବା କଥା, ସରକାରୀ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଡାକ୍ତରମାନେ ଆଗ୍ରହ ପ୍ରକାଶ ନ କରିବା ପଛରେ ୪-୫ଟି କାରଣ ରହିଛି। ପିଜି କରିବା ପାଇଁ ଗ୍ରାମାଞ୍ଚଳରେ କାର୍ଯ୍ୟ କରିବାର ସରକାରଙ୍କ ନିୟମ ବାଧକ ହୋଇଛି। ବଦଳିକୁ ନେଇ ମଧ୍ୟ ସରକାରଙ୍କ ସ୍ବଚ୍ଛତା ନାହିଁ। ଯଦି କେଉଁ ଡାକ୍ତରୀ ଛାତ୍ରଟିଏ ଆଗ୍ରହ ପ୍ରକାଶ କରି ସରକାରୀ କାର୍ଯ୍ୟରେ ଯୋଗ ଦେଉଛି ତା’ହେଲେ କେବେ ବଦଳି ହେବ ତାହା କହିହେବ ନାହିଁ। ଘରୋଇ କ୍ଷେତ୍ରରେ ସରକାରୀ ତୁଳନାରେ ଅଧିକ ଅର୍ଥ ମିଳୁଥିବା ଅନ୍ୟ ଏକ କାରଣ। ଏହାସହ ରୋଗୀ ସେବାରେ କୌଣସି ପ୍ରକାର ସମସ୍ୟା ହେଲେ ସରକାରୀ କ୍ଷେତ୍ରରେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ହୋଇଯାଉଛି। ମାତ୍ର ଘରୋଇ କ୍ଷେତ୍ରରେ ସଂପୃକ୍ତ ଡାକ୍ତର ଜଣକ ବଞ୍ଚିତ ହେଉଛନ୍ତି। ତେଣୁ ରାଜ୍ୟ ସରକାର ଏସବୁ ଦିଗଗୁଡ଼ିକୁ ଧ୍ୟାନ ଦେଲେ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଡାକ୍ତରମାନେ ଆଗ୍ରହ ପ୍ରକାଶ କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏହାଛଡ଼ା ପ୍ରତି ମାସରେ ୫-୭ ଦିନ ଜଣେ ଗାଇଡ୍‌ଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସରକାରୀ ମେଡିକାଲ କଲେଜରେ ପଢ଼ୁଥିବା ଛାତ୍ରଙ୍କ ପାଇଁ ୩ବର୍ଷର ବଣ୍ଡ୍‌ ବ୍ୟବସ୍ଥା ରହିଛି। ଏହାପରେ ଯଦି ଜଣେ ଉଚ୍ଚତର ଶିକ୍ଷା ପାଇଁ ଯିବାକୁ ଚାହୁଁଛନ୍ତି ତାହାଲେ ତାଙ୍କୁ ଜୋର ଜବରଦସ୍ତ କରି ରଖିହେବ ନାହିଁ। ସରକାରୀ କ୍ଷେତ୍ରରେ ପ୍ରୋତ୍ସାହନ ଭତ୍ତାଠାରୁ ଆରମ୍ଭ କରି ଅଧିକ ଦରମା ଦିଆଯାଉଛି। ଏହାସତ୍ତ୍ବେ ଜଣେ ଯଦି କାର୍ଯ୍ୟ କରିବାକୁ ଇଚ୍ଛୁକ ନୁହନ୍ତି ତାହାଲେ କ’ଣ କରାଯାଇପାରିବ? ନିକଟରେ ୭ହଜାର ପଦବି ପୂରଣ ପାଇଁ ଓପିଏସ୍‌ସକୁ କୁହାଯାଇଛି। କେତେଜଣ ଆବେଦନ କରୁଛନ୍ତି ତାହା ଆଗକୁ ସ୍ପଷ୍ଟ ହେବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button