ଦିନରେ ମାଛ ବିକା, ରାତିରେ ବାଇକ୍ ଚୋରି – bajravana
[ad_1]
ଭୁବନେଶ୍ବର: ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଏକାଧିକ ବାଇକ ଚୋରି କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଜଣେ ମାଛ ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ୟୁନିଟ-୧ ଅଞ୍ଚଳରେ ମାଛ ଦୋକାନ କରିଥିବା ଝରଣା ସାହି ଅଞ୍ଚଳର ଚିତ୍ତରଞ୍ଜନ ପ୍ରଧାନ(୪୨)। ପୁଲିସ ଅଭିଯୁକ୍ତ ହେପାଜତରୁ ୩ଟି ଚୋରା ବାଇକ୍ ଜବତ କରିଛି। ସୂଚନାନୁସାରେ, ଗତ ୬ ତାରିଖ ଦିନ ମହମ୍ମଦ ସାଦ୍ଦିକ ଫରେଷ୍ଟ ପାର୍କର ପାର୍କିଂ ସ୍ଥାନରେ ନିଜ ବାଇକ୍ ପାର୍କିଂ କରି ପାର୍କ ଭିତରକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ଚିତ୍ତରଞ୍ଜନ ତାଙ୍କ ବାଇକକୁ କୌଶଳକ୍ରମେ ସେଠାରୁ ଚୋରିକରି ନେଇଯାଇଥିଲା।
ସାଦ୍ଦିକ ଏନେଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତକୁ କାବୁ କରିବା ସହିତ ଚୋରି ହୋଇଯାଇଥିବା ବାଇକ୍ ଓ ଅନ୍ୟ ଦୁଇଟି ଚୋରା ସ୍କୁଟି ଜବତ କରିଥିଲା। ଅଭିଯୁକ୍ତ ଚିତ୍ତରଞ୍ଜନ ଜଣେ ଅଭ୍ୟାସଗତ ଅପରାଧୀ। ତା’ ନାମରେ କ୍ୟାପିଟାଲ ଥାନାରେ ୫ଟି ମାମଲା ରହିଥିବାବେଳେ ଏୟାରପୋର୍ଟ ଥାନାରେ ଗୋଟିଏ ମାମଲା ରହିଛି। ସେ କ୍ୟାପିଟାଲ ହସ୍ପିଟାଲ, ବିଭିନ୍ନ ପାର୍କ ଓ ବ୍ୟାଙ୍କ ଆଦି ସମ୍ମୁଖରୁ ବାଇକ୍ ଚୋରି କରିଥାଏ। ସେ ଦିନରେ ରେକି କରି ସନ୍ଧ୍ୟା ସମୟରେ ବାଇକ୍ ଚୋରି କରୁଥିଲା। ପୁଲିସ ନଜରରୁ ବଞ୍ଚିବା ପାଇଁ କ୍ୟାପିଟାଲ ହସ୍ପିଟାଲ, ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ଚୋରା ବାଇକ୍କୁ ପାର୍କିଂ କରୁଥିଲା। କିଛିଦିନ ପରେ ବାଇକ୍ଗୁଡ଼ିକୁ ସେଠାରୁ ନେଇ ଭୁବନେଶ୍ବର ସହର ବାହାରେ ବିକ୍ରି କରିଦେଉଥିଲା। ତା’ଠାରୁ ସୂଚନା ପାଇ ପୁଲିସ ଚଢ଼ଉ କରି କ୍ୟାପିଟାଲ ହସ୍ପିଟାଲ ପାର୍କିଂରୁ ତା’ର ୨ଟି ବାଇକ ଜବତ କରିଛି।
[ad_2]