ହକିରେ ଭାରତକୁ ସ୍ବର୍ଣ୍ଣ: ‘ଓଡ଼ିଶା’ ପ୍ରୋତ୍ସାହନରେ ଆଉ ଏକ ସଫଳତା – bajravana
[ad_1]
ଫାଇନାଲ୍ରେ ଜାପାନ୍କୁ ୫-୧ରେ ହରାଇଲା
ଭୁବନେଶ୍ବର: ଓଡ଼ିଶା ହାତ ବାଜିଲେ ସବୁଠି ସୁନା ଫଳିଯାଏ। ଓଡ଼ିଶାର ପ୍ରୋତ୍ସାହନ ମିଳିଲେ ଅଲିମ୍ପିକ୍ସ କି ଏସିଆଡ୍ ପଦକ ଆଉ ସୁଦୂର ପରାହତ ହୋଇ ରହିଯାଏନାହିଁ। ଏହା ପ୍ରମାଣିତ କରିଛି ଭାରତୀୟ ହକି ଦଳ। ୨୦୧୮ରେ ଭାରତୀୟ ହକି ଦଳକୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରାୟୋଜିତ କରିବା ପରଠାରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି ଦଳର ଉତ୍ଥାନ ଘଟି ଚାଲିଛି। ୪୧ ବର୍ଷ ପରେ ଅଲିମ୍ପିକ୍ସ ପଦକ (ଟୋକିଓ-୨୦୨୦ କାଂସ୍ୟ) ପରେ ଏବେ ହାଙ୍ଗଝୌ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତିଛି ଭାରତୀୟ ଦଳ। କେବଳ ସ୍ବର୍ଣ୍ଣ ପଦକ ଜିତିନାହିଁ ଭାରତୀୟ ଦଳ ମଧ୍ୟ ଏହି ଏସୀୟ ମୁକୁଟ ସହିତ ଆସନ୍ତା ବର୍ଷର ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍କୁ ସିଧାସଳଖ ଅର୍ଜନ କରିଛି। ଭାରତୀୟ ହକି ଦଳର ଏହି ସଫଳତାରେ ଉଲ୍ଲସିତ ଓଡ଼ିଶା ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂରେ ଅଭିନନ୍ଦନ ଜଣାଇବା ସହିତ ପ୍ରତି ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।
ଏହି ସ୍ବର୍ଣ୍ଣ ବିଜୟୀ ଦଳରେ ସାମିଲ ଥିବା ଓଡ଼ିଆ ଡିଫେଣ୍ଡର୍ ଅମିତ ରୋହିଦାସ ମଧ୍ୟ ରାଜ୍ୟର ଗୌରବକୁ ବଢ଼ାଇଛନ୍ତି। ଦିଲୀପ ତିର୍କି, ଲାଜରୁସ୍ ବାର୍ଲା ଓ ବୀରେନ୍ଦ୍ର ଲାକ୍ରାଙ୍କ ପରେ ଚତୁର୍ଥ ହକି ଖେଳାଳି ଭାବେ ଏସିଆଡ୍ ସ୍ବର୍ଣ୍ଣ ପଦକ ଜିତିଲେ ଅମିତ ରୋହିଦାସ। ଦିଲୀପ ଓ ଲାଜରୁସ୍ ୧୯୯୮ ବ୍ୟାଙ୍କକ୍ ଏସିଆଡ୍ ଏବଂ ୨୦୧୪ରେ ବୀରେନ୍ଦ୍ର ଲାକ୍ରାରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ମୋଟ ଉପରେ କିନ୍ତୁ ସ୍ବର୍ଣ୍ଣ ପଦକ ଜିତିବାରେ ସେ ପଞ୍ଚମ ଓଡ଼ିଆ। ୧୯୫୧ ନୂଆଦିଲ୍ଲୀ ସଂସ୍କରଣରେ ଓଡ଼ିଶାକୁ ପ୍ରଥମ ସ୍ବର୍ଣ୍ଣ ପଦକ ଆଣିଥିଲେ ଭାରତୀୟ ଫୁଟ୍ବଲ୍ ଦଳର ସଦସ୍ୟ ସେକ୍ ମଜିଦ୍ (ବଚ୍ଚନ)।
ଫାଇନାଲ୍ରେ ଜାପାନ୍କୁ ୫-୧ରେ ହରାଇଲା
ଅମିତ ରୋହିଦାସ ବି ଜିତିଲେ ସ୍ବର୍ଣ୍ଣ ପଦକ
ଏସିଆଡ୍ ମୁକୁଟ ସହ ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍
ପ୍ରତି ଖେଳାଳିଙ୍କୁ ଓଡ଼ିଶା ସରକାର ଦେବେ ୫ ଲକ୍ଷ
ଶୁକ୍ରବାର ହାଙ୍ଗଝୌ ଏସୀୟ କ୍ରୀଡ଼ାର ହକି ଫାଇନାଲ୍ ଉପରେ ରହିଥିଲା ୧୪୦ କୋଟି ଭାରତ ବାସୀଙ୍କ ନଜର। ଫାଇନାଲ୍ରେ ଜାପାନ କଡ଼ା ପ୍ରତିଦ୍ବନ୍ଦ୍ବୀତା କରିବ ବୋଲି ମଧ୍ୟ ଅଶା କରାଯାଉଥିଲା। ପ୍ରଥମ ଦୁଇ କ୍ବାର୍ଟର ମଧ୍ୟ ଜାପନୀମାନେ ଢ଼େର ଲଢ଼ିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତକୁ ଏହି ଦେଶ ବିଶେଷ ସୁଯୋଗ ଦେଇନଥିଲା। ପୂର୍ବତନ ଅଧିନାୟକ ମନପ୍ରୀତ୍ ସିଂହ (୨୫ ମିନିଟ୍)ଙ୍କ ଗୋଲ୍ ବଳରେ ଏହି ସମୟକୁ ୧-୦ରେ ଶେଷ କରିଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭ ମାତ୍ରେ ଭାରତ ଅଲ୍ ଆଉଟ୍ ଖେଳି ଜାପାନ ଉପରେ ପ୍ରଭାବ ବିସ୍ତାର କରିଥିଲା। ଫଳତଃ ଏକାଧିକ ଗୋଲ୍ ସୁଯୋଗ ମିଳିଥିଲା। ଅଧିନାୟକ ହର୍ମନପ୍ରୀତ୍ ସିଂହ (୩୨ ମିନିଟ୍) ଏବଂ ଓଡ଼ିଆ ପୁଅ ଅମିତ ରୋହିଦାସ (୩୬ ମିନିଟ୍)ଙ୍କ ଦୁଇ ଗୋଲ୍ ଭାରତକୁ ୩-୦ରେ ଆଗୁଆ ରଖିଥିଲା।
ଯୁବ ତାରକା ଅଭିଷେକ ୪୮ତମ ମିନିଟ୍ରେ ଭାରତ ପାଇଁ ଚତୁର୍ଥ ଗୋଲ୍ ଦେବା ପରେ ଭାରତର ସ୍ବର୍ଣ୍ଣ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଥିଲା। ୫୧ତମ ମିନିଟ୍ରେ ସେରିନ୍ ଟାନାକା ଜାପାନ ପାଇଁ ଏକମାତ୍ର ସାନ୍ତ୍ବନା ଆଣିଥିଲେ। ତଥାପି ଭାରତୀୟ ଅଧିନାୟକ ହର୍ମନପ୍ରୀତ୍ ସିଂହ ଚୁପ ବସିନଥିଲେ। ୫୯ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣରରୁ ଆଉ ଏକ ଗୋଲ୍ ଦେଇ ଭାରତର ୫-୧ ବିଜୟକୁ ନିଶ୍ଚିତ କରିଥିଲେ। କ୍ରେଗ୍ ଫୁଲଟନ୍ଙ୍କ ପ୍ରଶିକ୍ଷିତ ଦଳ ମଧ୍ୟ ଏସୀୟ କ୍ରୀଡ଼ା ଅଭିଯାନକୁ ଅପରାଜେୟ ରେକର୍ଡ ସହ ଶେଷ କରିଛି। ସମସ୍ତ ୬ ମ୍ୟାଚ୍ ଜିତିବା ସହ ହର୍ମନପ୍ରୀତଙ୍କ ଦଳ ୬୮ ଗୋଲ୍ ଦେଇ ମାତ୍ର ୯ଟି ବରଣ କରିଥିଲା। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ୨-୧ ଗୋଲ୍ରେ ଚୀନକୁ ପରାସ୍ତ କରି କାଂସ୍ୟ ପଦକ ଜିତି ନେଇଥିଲା। ଭାରତ ମୋଟ ଉପରେ ଚତୁର୍ଥ ଥର ପାଇଁ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ପାଇଛି। ୧୯୬୬, ୧୯୯୮, ୨୦୧୪, ୨୦୨୩ରେ ଏହି ସଫଳତା ପାଇଛି ଭାରତୀୟ ପୁରୁଷ ଦଳ। ଭାରତୀୟ ମହିଳା ଦଳ ନିରାଶ କରିଥିଲେ ମଧ୍ୟ କାଂସ୍ୟ ପଦକ ପାଇଁ ଶନିବାର ସମାନ ପ୍ରତିଦ୍ବନ୍ଦ୍ବୀ ଜାପାନ ସହ ଖେଳିବ।
[ad_2]