ଓଡିଶା

୧୧ ବର୍ଷ ହେବ ବନ୍ଧୁକ ଧରିନାହାନ୍ତି ଅବକାରୀ ବାବୁ – bajravana

[ad_1]

କଟକ: ରାଜ୍ୟରେ ଅବକାରୀ ବିଭାଗର କୌଣସି ଅଫିସର୍‌ ବିଗତ ୧୧ ବର୍ଷ ହେବ ବନ୍ଧୁକ ଫୁଟାଇବା ତାଲିମ ନେଇନାହାନ୍ତି। ଓଡ଼ିଶା ପୁଲିସରେ ଅଧିକାରୀମାନେ ନିଯୁକ୍ତି ସମୟ ସହ ପ୍ରତିବର୍ଷ ଥରେ ଲେଖାଏ ଏହି ତାଲିମ ନେଉଛନ୍ତି। କିନ୍ତୁ ଅବକାରୀ ବିଭାଗ ଏଭଳି ତାଲିମ କାର୍ଯ୍ୟକ୍ରମରୁ ଅଧିକାରୀଙ୍କୁ ଦୂରେଇ ରଖିଛି। ଗଲା ୬ ବର୍ଷ ହେବ ଅବକାରୀ ବିଭାଗରେ ବନ୍ଦ ପଡ଼ିଥିବା ଅବକାରୀ ଆଇନ ସଂକ୍ରାନ୍ତ ତାଲିମ କାର୍ଯ୍ୟକ୍ରମ ଚଳିତ ମାସ ପୁନର୍ବାର ଆରମ୍ଭ ହୋଇଛି। କିନ୍ତୁ ଏଥିରୁ ବନ୍ଧୁକ ଚାଳନା ତାଲିମକୁ ବାଦ୍ ଦିଆଯାଇଛି। ଫଳରେ ଜୀବନକୁ ବାଜି ଲଗାଇ ମାଫିଆଙ୍କ ମୁକାବିଲା କରୁଥିବା ଅଧିକାରୀମାନେ ବିଭାଗର ଏଭଳି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

କଟକରେ ୧୯୯୨ ମେରେ ବହୁଚର୍ଚ୍ଚିତ ସୁରେନ୍ଦ୍ରନାଥ ଦାସ ଓରଫ ବେଲୁ ମଦମୃତ୍ୟୁ ଘଟଣା ଘଟିଥିଲା। ଏହାପରେ ଅବକାରୀ ବିଭାଗ ପ୍ରଥମଥର ପାଇଁ କଟକ ସମେତ ସମ୍ବଲପୁର ଓ ବ୍ରହ୍ମପୁରର ତିନିଟି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ଏବଂ ପ୍ରବର୍ତ୍ତନ ବିଭାଗ, କଟକରେ ଥିବା ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍‌କୁ ପ୍ରାୟ ୪୦ଟି ରିଭଲ୍‌ବର୍ ଇସ୍ୟୁ କରିଥିଲା। ୨୦୦୭ରେ ତତ୍କାଳୀନ ଆଇଏଏସ୍ ଅଫିସର ତଥା ଅବକାରୀ କମିସନର୍‌ ସୁଦର୍ଶନ ନାୟକ ଏସ୍‌ଆଇରୁ ଇନ୍ସପେକ୍ଟର୍‌ ପାହ୍ୟାର ସବୁ ଅବକାରୀ ଅଧିକାରୀଙ୍କୁ ୧୭୦ଟି ରିଭଲ୍‌ବର୍ ଓ ୧୦ ରାଉଣ୍ଡ ଲେଖାଏ ଗୁଳି ଇସ୍ୟୁ କରିଥିଲେ। ବନ୍ଧୁକ ଫୁଟାଇବା ତାଲିମ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିରେ ପ୍ରଦାନ କରାଯାଇଥିଲା। ଶେଷଥର ୨୦୧୨ରେ ବନ୍ଧୁକ ଫୁଟାଇବା ତାଲିମ୍ ଏହି ଏକାଡେମିରେ ହୋଇଥିଲା। ସେବେଠାରୁ ଅବକାରୀ ଅଧିକାରୀଙ୍କୁ କୌଣସି ବନ୍ଧୁକ ଚାଳନା ତାଲିମ ଦିଆଯାଇ ନାହିଁ। ଅବକାରୀ ଅଧିକାରୀମାନେ ଘଞ୍ଚ ଜଙ୍ଗଲରେ ଜୀବନକୁ ବାଜି ଲଗାଇ ବିନା ବନ୍ଧୁକରେ ନିଶା ମାଫିଆଙ୍କ ସହ ମୁକାବିଲା କରୁଛନ୍ତି। ଅବକାରୀ ବିଭାଗ ମାମଲା ସଂଖ୍ୟା, ଗିରଫଦାରୀ, ନିଶା ସାମଗ୍ରୀ ଜବତ ଆଦି ନେଇ ତଦନ୍ତକାରୀ ଅଧିକାରୀଙ୍କ ଉପରେ ଟାର୍ଗେଟ୍ ନ୍ୟସ୍ତ କରୁଛି। ମାତ୍ର ସେମାନଙ୍କ ସୁରକ୍ଷାକୁ ନେଇ ଆଦୌ ଚିନ୍ତା କରାଯାଉ ନାହିଁ। ବିନା ବନ୍ଧୁକରେ ଅବକାରୀ ଅଧିକାରୀମାନେ ଚଢ଼ଉ ସମୟରେ ନିଶା ମାଫିଆଙ୍କ ଆକ୍ରମଣର ଶିକାର ହେଉଛନ୍ତି।

ଅନ୍ୟପଟେ, ୨୦୧୭ ପରଠାରୁ ଅବକାରୀ ଏସ୍‌ଆଇଙ୍କୁ ଆଇନକାନୁନ ସଂକ୍ରାନ୍ତ ତାଲିମ୍ ଦେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଗଲା ୭ ତାରିଖରୁ ଅବକାରୀ କମିସନର୍‌ଙ୍କ କାର୍ଯ୍ୟାଳୟରେ ଏହି ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟର ୧୪୪ ପଦୋନ୍ନତିପ୍ରାପ୍ତ ଏସ୍‌ଆଇଙ୍କୁ ଏକ ମାସ ଧରି ଅବକାରୀ ଆଇନ ସମେତ ଆଇପିସି, ସିଆର୍‌ପିସି, ଏନ୍‌ଡିପିଏସ୍ ଆଇନ, ଅବକାରୀ ଆଇନ, ନାର୍କୋଟିକ୍ସ ଆଇନ, ଏନ୍‌ଡିପିଏସ୍ ଆକ୍ଟ, ପିଆଇଟି ଏନ୍‌ଡିପିଏସ୍ ଆକ୍ଟ ଆଦି ସମ୍ପର୍କରେ ତାଲିମ ଦିଆଯାଉଛି। ଅବକାରୀ ଆଇନ ଓ ଆଣ୍ଟି ନାର୍କୋଟିକ୍ସ ଆଇନର କାର୍ଯ୍ୟକାରିତା କ୍ଷେତ୍ରରେ ସେମାନଙ୍କ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଏହା ସହାୟକ ହେବ ବୋଲି କୁହାଯାଉଛି। ତେବେ ଉକ୍ତ କାର୍ଯ୍ୟକ୍ରମ ସହ ବନ୍ଧୁକ ଚାଳନା ତାଲିମ ଦିଆ ନ ଯିବା ଘଟଣା ଅସନ୍ତୋଷକୁ ବଢ଼ାଇ ଦେଇଛି। ଯାଜପୁର ଜିଲ୍ଲା ଛତିଆର ବୈରୀରେ ବନ୍ଧୁକ ଚାଳନା ତାଲିମ ଦେବାର ଯୋଜନା ହୋଇଥିଲା। ମାତ୍ର ଏ ନେଇ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା। ଏବେ ଅବକାରୀ ବିଭାଗରେ ଏସ୍‌ଆଇ ଓ ଇନ୍ସପେକ୍ଟର୍‌ଙ୍କ ସଂଖ୍ୟା ୪୧୯ରେ ପହଞ୍ଚିଲାଣି। ସେମାନଙ୍କ ପାଇଁ ୧୬ ବର୍ଷ ତଳର ୨୦୦ଟି ପୁରୁଣା ବନ୍ଧୁକ ରହିଛି। ଅଧା ଅଫିସରଙ୍କ ହାତରେ ବନ୍ଧୁକ ବି ନାହିଁ। ଏଭଳି ଦୟନୀୟ ସ୍ଥିତିକୁ ନେଇ ଅଫିସର୍‌ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ନିଶା ମାଫିଆଙ୍କ ମୁକାବିଲା ପାଇଁ ସେମାନଙ୍କୁ ବନ୍ଧୁକ ଚାଳନା ତାଲିମ କେବେ ମିଳିବ, ସେଥିନେଇ ଏବେ ପ୍ରଶ୍ନ ଉଠିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button