ଓଡିଶା

ନାଁ ପଛର କଥା: କେବେ, କେମିତି ଓ କାହିଁକି ହୋଇଥିଲା ‘ଗୋପବନ୍ଧୁ ନଗର’ ନାମକରଣ – bajravana

[ad_1]

କଂଗ୍ରେସର ପ୍ଲେନାରି ଅଧିବେଶନ ପାଇଁ ଗଢ଼ାଯାଇଥିଲା

ଭୁବନେଶ୍ବର: ଘଞ୍ଚ ଜଙ୍ଗଲ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମନ୍ଦିରମ‌ାଳିନୀ ସହରକୁ ଆଧୁନିକ ସହରରେ ପରିଣତ କରିବାକୁ ଅନେକଙ୍କ ଭୂମିକା ରହିଛି। କେବେ ସରକାରୀ କର୍ମଚାରୀଙ୍କ ଆବଶ୍ୟକତା ଦୃଷ୍ଟିରୁ ତ’ ପୁଣି କେବେ ଶିଳ୍ପାଞ୍ଚଳରେ କାର୍ଯ୍ୟରତ ଅଧିକାରୀଙ୍କ ସୁବିଧାକୁ ନଜରରେ ରଖି ଆବାସିକ ଅଞ୍ଚଳ ଗଢ଼ି ଉଠିଥିଲା। ପୁଣି କେବେ ମନ୍ଦିର ବା ସିନେମା ହଲ୍‌ ନାମରେ ବିଭିନ୍ନ ଛକର ନାମକରଣ ମଧ୍ୟ ହୋଇଛି। କିନ୍ତୁ ଏମିତି ବି କିଛି ଅଞ୍ଚଳ ରହିଛି, ଯାହାକି ପ୍ରସ୍ତୁତ ହୋଇଥିଲା ଜାତୀୟସ୍ତରରେ ଭୁବନେଶ୍ବରକୁ ଏକ ଆଧୁନିକ ସହର ଭାବେ ପରିଦୃଶ କରିବା ପରିପ୍ରେକ୍ଷୀରେ। ଏମିତି ଏକ ଅଞ୍ଚଳ ହେଉଛି ‘ଗୋପବନ୍ଧୁ ନଗର’ ଓ ‘ଗୋପବନ୍ଧୁ ଛକ’। ଯାହାକି ‌ଦିନେ ଜାତୀୟସ୍ତରରେ ଭୁବନେଶ୍ବରର ମର୍ଯ୍ୟାଦାକୁ କାହିଁ କେତେ ଗୁଣ ବଢ଼ାଇ ଦେଇଥିଲା। ଚାଲନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ଇତିହାସ…

୧୯୬୪ ମସିହାରେ ଅଖିଳ ଭାରତ କଂଗ୍ରେସ କମିଟିର ୬୮ତମ ପ୍ଲେନାରି ଅଧିବେଶନ ଆୟୋଜନ ହେବାକୁ ଥିଲା। ଏହି ଅଧିବେଶନକୁ ଭୁବନେଶ୍ୱରରେ ଆୟୋଜନ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହର୍‌ଲାଲ୍‌ ନେହେରୁଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଭୁବନେଶ୍ବର ସେତେବେଳେ ବିକଶିତ ହୋଇନଥିବାରୁ ଓ ବିଶେଷ କିଛି ସୁବିଧା ସୁଯୋଗ ନଥିବାରୁ ନେହେରୁ ଏ କଥାରେ ସହମତ ହୋଇନଥିଲେ। କାରଣ ଏହା ଏକ ପ୍ଲେନାରି ଅଧିବେଶନ ହୋଇଥିବାରୁ ଭାରତର ସବୁ କୋଣ ଅନୁକୋଣରୁ ହଜାର ହଜାର କଂଗ୍ରେସ କର୍ମୀ ଏଥିରେ ଯୋଗ ଦେବାର ଥିଲା। ସେତେବେଳେ ଭୁବନେଶ୍ୱର ସହରର ଭିତ୍ତିଭୂମି ଏପରି ଏକ ଖୁବ୍ ବଡ଼ଧରଣର ସଭା ଆୟୋଜନ ନିମନ୍ତେ ଅନୂକୂଳ ନଥିଲା। ହେଲେ ବିଜୁ ପଟ୍ଟନାୟକ ଥିଲେ ସଂକଳ୍ପବଦ୍ଧ ଓ ଜିଦ୍‌ଖୋର୍‌ ସ୍ବଭାବର। ଫଳରେ ସେ ନେହେରୁଙ୍କୁ ପ୍ରବର୍ତ୍ତାଇ ତାଙ୍କର ସମ୍ମତି ହାସଲ କରିବାରେ ସଫଳ ହୋଇଥିଲେ ବୋଲି ବିଶିଷ୍ଟ ସଂସ୍କୃତି ଗବେଷକ ଗୋଲକବିହାରୀ ସିଂହ କହିଛନ୍ତି।

ଅଧିବେଶନର ପ୍ରବେଶ ପଥରେ ନିର୍ମିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରୁ ଛକର ନାମ ‘ଗୋପବନ୍ଧୁ ଛକ’

ଶ୍ରୀ ସିଂହ ନିଜ ‘ପଞ୍ଚସ୍ତରି ବର୍ଷର ରାଜଧାନୀ’ ପୁସ୍ତକରେ ଉଲ୍ଲେଖ କରିଛନ୍ତି, ବିଜୁବାବୁ ସିନା ନେହେରୁଙ୍କୁ ଏନେଇ ରାଜି କରାଇ ଦେଲେ। ହେଲେ ଏତେ ବଡ଼ ଆୟୋଜନ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବା କା‌ଠିକର ପାଠ ଥିଏ‌େ। ଏନେଇ ପ୍ରଶାସନ ସହ ସମେସ୍ତ ଚିନ୍ତିତ ହୋଇପଡ଼ିଥିଲେ। କିନ୍ତୁ ବିଜୁବାବୁ ଅବିଚଳିତ। ସେ ନିର୍ମାଣ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରି ଦୁଇଟି ନୂଆ ୟୁନିଟ୍‌ ଖୋଲିବାକୁ ପରାମର୍ଶ ଦେଇଥିଲେ। ୟୁନିଟ୍‌-୭ ଓ ୟୁନିଟ୍‌- ୮ ତିଆରି କରି ଏକ ବର୍ଷ ମଧ୍ୟରେ ଯୁଦ୍ଧକାଳୀନଭିତ୍ତିରେ ୪୦୦ରୁ ୫୦୦ ଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି ହେଲା ଓ ଏଥିରେ ସମସ୍ତେ ଲାଗି ପଡ଼ିଲେ। ଏହା ବି ନିଷ୍ପତ୍ତି ହେଲା ଯେ, ମହାଧିବେଶନ ପରେ ସେହି ଗୃହମାନ ସରକାରୀ କର୍ମଚାରୀମାନଙ୍କ ରହଣୀ ନିମନ୍ତେ ଆବଣ୍ଟନ କରାଯିବ। ସେ ଯାହା ହେଉ ମହାଧିବେଶନ ସମୟରେ ଭୁବନେଶ୍ୱର ବହୁ ଭାବରେ ବିକଶିତ ହେଲା। ୟୁନିଟ୍ ୭ ଓ ୮ ର ଗୃହ, ରାସ୍ତାଘାଟ, ଷ୍ଟେସନ ପ୍ଲାଟଫର୍ମ ନିର୍ମାଣ ହେଲା ଓ ବିମାନ ବନ୍ଦର ରାସ୍ତାର ଉନ୍ନତୀକରଣ କରାଯାଇଥିଲା। ଭୁବନେଶ୍ୱର ଷ୍ଟେସନର ନବୀକରଣଠାରୁ ଆରମ୍ଭ କରି ୟୁନିଟ-୮ ନିର୍ମାଣ ପର୍ଯ୍ୟନ୍ତ ବହୁ ନୂତନ ପ୍ରକଳ୍ପ ବାସ୍ତବତା ରୂପ ନେଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା, ଏହି ସମୟରେ ଭୁବନେଶ୍ୱର ସମସ୍ତ ମୁଖ୍ୟ ରାସ୍ତାରେ ଟ୍ୟୁବ୍ ଲାଇଟ ଲଗାଯାଇ ଆଲୋକିତ କରାଗଲା।

ଫଳରେ ସହରର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହେଲା ସହ ସୁରକ୍ଷା ବ୍ୟବସ୍ଥା ବି ବଢ଼ିଲା। ସେତେବେଳେ ଭୁବନେଶ୍ୱର ତଥା ଆଖପାଖ ଗ୍ରାମର ଗ୍ରାମବାସୀମାନଙ୍କ ସମେତ ଓଡ଼ିଶାବାସୀ ଏହାକୁ ବିରାଟ ଲୋକ ମହୋତ୍ସବ ବୋଲି ଧରି ନେଇଥିଲେ। ସମାବେଶର ୩/୪ ଦିନ ପୂର୍ବରୁ ଭାରତ ତଥା ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ନେତୃବୃନ୍ଦ ଆସି ଏଠାରେ ଡେରା ପକାଇଥିଲେ। ଅଧିବେଶନ ସ୍ଥଳ ଓ ସଂଲଗ୍ନ ସ୍ଥାନକୁ ନାମକରଣ କରିବାକୁ ଚିନ୍ତା କରାଗଲା ବେଳକୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନାମ ହିଁ ସମସ୍ତଙ୍କ ମୁଣ୍ଡକୁ ଆସିଥିଲା। ଫଳରେ ଗୋପବନ୍ଧୁଙ୍କ ନାମାନୁସାରେ ଅଞ୍ଚଳର ନାମ ‘ଗୋପବନ୍ଧୁ ନଗର’ ହୋଇଥିଲା। ତାହା ସହ ଅଧିବେଶନ ସ୍ଥଳୀର ପ୍ରବେଶ ପଥରେ ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା। ପରେ ସେହି ସ୍ଥାନକୁ ଏକ ଛକ ରୂପେ ଚିହ୍ନିତ କରାଯାଇ ତାହାକୁ ‘ଗୋପବନ୍ଧୁ ଛକ’ ନାମରେ ନାମିତ କରାଗଲା। ଏହି ଅଧିବେଶନ ପରେ ସାରା ଭାରତରେ ଭୁବନେଶ୍ୱର ଏକ ବିକାଶଶୀଳ ସହର ଭାବେ ଚିହ୍ନିତ ହୋଇଥିଲା ବୋଲି ଐତିହାସିକମାନେ ମତ ଦିଅନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button