ଓଡିଶା

ଏସ୍‌ସିବି ମେଡିକାଲରେ ଆଉ ଏକ କେଳେଙ୍କାରୀ , ଡେଙ୍ଗୁ ବେଡ୍‌ କିଣାରେ ଦୁର୍ନୀତି

Image result for ctc scb medical

କଟକ- ଏସ୍‌ସିବି ମେଡିକାଲରେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପର୍ଦ୍ଦାଫାଶ ହେବାରେ ଲାଗିଛି। ରୋଗ ଓ ରୋଗୀଙ୍କ ନଁାରେ ମେଡିକାଲର ଅଧିକାରୀମାନେ କିଭଳି ବେଆଇନ କାର୍ଯ୍ୟ କରିଛନ୍ତି ତାହାର ପ୍ରମାଣ ଏବେ ଅଡିଟ୍‌ ରିପୋର୍ଟରୁ ଧରାପଡ଼ିଛି। ୨୦୧୫-୧୬ରେ ଡେଙ୍ଗୁ ୱାର୍ଡ ପାଇଁ ମେଡିକାଲ ପକ୍ଷରୁ କିଣାଯାଇଥିବା ବେଡ୍‌କୁ ନେଇ ଏକ ବଡ଼ଧରଣର ଅନିୟମିତତା ସାମ୍ନାକୁ ଆସିଛି। ଏଥିରେ ୩ ଲକ୍ଷ ଟଙ୍କା ହେରଫେର ହୋଇଥିବା ଅଡିଟ ପ୍ରାରମ୍ଭିକ ଆକଳନ କରିଛି।
ମିଳିଥିବା ସୂଚନାନୁସାରେ, ମେଡିକାଲ ପକ୍ଷରୁ ସ୍ବତନ୍ତ୍ର ଡେଙ୍ଗୁ ୱାର୍ଡ ପାଇଁ ୧୦୦ଟି ବେଡ୍‌ କିଣାଯାଇଥିଲା। ପ୍ରତି ବେଡ୍‌ର ଦର ଥିଲା ୩ ହଜାର ଟଙ୍କା। ତେବେ ଶିଳ୍ପ ବିଭାଗ ଅଧୀନରେ ଥିବା ଇପିଏମ୍‌ (ଏକ୍ସପର୍ଟ ପ୍ରମୋଟିଂ ମାର୍କେଟିଂ)ର ଧାର୍ଯ୍ୟ ଦର ଅନୁଯାୟୀ ଏହି ବେଡ୍‌ କିଣାଯାଇଥିବା ମେଡିକାଲ ପକ୍ଷରୁ ଦର୍ଶାଯାଇଛି। ହେଲେ ୨୦୧୬-୧୭ ଜୁନ ଓ ଜୁଲାଇ ବେଳକୁ ଡେଙ୍ଗୁ ୱାର୍ଡ ଖୋଲିବା ସମୟରେ ମାତ୍ର ୯ଟି ବେଡ୍‌ ଥିବା ଦେଖିବାକୁ ମିଳିଥିଲା। ଡେଙ୍ଗୁ ୱାର୍ଡ ଦାୟିତ୍ୱରେ ଥିବା ଡାକ୍ତରମାନେ ପ୍ରତିବାଦ କରିବାରୁ ନୂଆ ପୁରୁଣା ମିଶାଇ ୩୫୦ଟି ବେଡ୍‌ ପୁନର୍ବାର ଯୋଗାଇ ଦିଆଯାଇଥିଲା। ଡେଙ୍ଗୁ ବେଡ୍‌ କ୍ରୟ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ଉଠିଥିଲା। ତେବେ ତାହାକୁ ଅଡିଟ୍‌  ଧରିବା ପରେ ଏବେ  ଖୋଳତାଡ଼ ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ୨୦୧୩ରୁ ପ୍ରତିବର୍ଷ ଡେଙ୍ଗୁ ୱାର୍ଡ ପାଇଁ ବେଡ୍‌ କିଣାଯାଉଛି।  ମାତ୍ର ପରବର୍ଷକୁ ସବୁ ବେଡ୍‌ର କୌଣସି ହିସାବ ନ  ଥାଏ। କେବଳ ଡେଙ୍ଗୁ ବେଡ୍‌ କିଣା ନୁହେଁ, ଏହା ପୂର୍ବରୁ ଅଡିଟ୍‌ ଅନେକ ଦୁର୍ନୀତି ସାମ୍ନାକୁ ଆଣିଛି।  ସେହିଭଳି ଭିଜିଲାନ୍ସରେ ମଧ୍ୟ ମାମଲା ରହିଛି। ବିଗତ ଦିନରେ ମେଡିକାଲରେ ନିୟୋଜିତ ଏକ ଘରୋଇ ସଂସ୍ଥା ୟୁଜର୍ସ ଫି’ ଆତ୍ମସାତ କରିଥିବା ଅଡିଟ୍‌ ଧରିଥିଲା।  ସମ୍ପୃକ୍ତ ସଂସ୍ଥା ରୋଗୀମାନଙ୍କଠାରୁ ୟୁଜର୍ସ ଫି’ ବାବଦରେ ଆଦାୟ କରିଥିବା ଟଙ୍କାକୁ ଅଭିନବ ଉପାୟରେ ହରିଲୁଟ କରୁଥିଲା। ଜଣେ ରୋଗୀ କୌଣସି ଏକ ପରୀକ୍ଷା  ବାବଦକୁ ୩୫୦ ଟଙ୍କା ପୈଠ କରିଥିଲେ ଉକ୍ତ ସଂସ୍ଥା କମ୍ପ୍ୟୁଟର ଓ କାଗଜପତ୍ରରେ ଶୂନ କାଟିଦେଇ ମେଡିକାଲ ତହସିଲ୍‌ରେ ୩୫ ଟଙ୍କା  ଜମା କରୁଥିଲା। ଏହାକୁ ଅଡିଟ୍‌ ଧରିବା ପରେ ଉକ୍ତ ଘରୋଇ ସଂସ୍ଥା ଏବେ କିସ୍ତିରେ ଟଙ୍କା ଫେରସ୍ତ ଦେଉଛି। ଅଦ୍ୟାବଧି ପ୍ରାୟ ୩ ଲକ୍ଷ ପାଖାପାଖି ଟଙ୍କା ଫେରାଇ ସାରିଲାଣି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ସମ୍ପୃକ୍ତ ସଂସ୍ଥାକୁ ମେଡିକାଲ ପ୍ରଶାସନ ଅଦ୍ୟାବଧି କାର୍ଯ୍ୟରେ ନିୟୋଜିତ ରଖିଛି।  ଉକ୍ତ ସଂସ୍ଥା ଭବିଷ୍ୟତରେ ଆଉ ଏକ ବଡ଼ଧରଣର ଦୁର୍ନୀତି କରିବାକୁ ମେଡିକାଲ କର୍ତ୍ତୃପକ୍ଷ ସୁଯୋଗ ଦେଉଛନ୍ତି ବୋଲି ସାମାଜିକ କର୍ମୀ ଉମେଶ ବିଶ୍ୱାଳ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ମେଡିକାଲ ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା କୁହନ୍ତି, ଡେଙ୍ଗୁ ବେଡ୍‌ କିଣା ସମ୍ପର୍କରେ ଅଡିଟ୍‌ କେତେକ ଆପତ୍ତି ଉଠାଇଛି। ସେ ସମ୍ପର୍କରେ ତର୍ଜମା କରାଯାଉଛି। ତେବେ ଯେଉଁ ଘରୋଇ ସଂସ୍ଥା ୟୁଜର୍ସ ଫି’ ଆତ୍ମସାତ କରିଥିଲା ଉକ୍ତ ସଂସ୍ଥାକୁ ନୋଟିସ ଜାରି କରାଯାଇଛି। ଅଡିଟ୍‌ରୁ ଯାହା ବାହାରୁଛି ଉକ୍ତ ସଂସ୍ଥାଠାରୁ ତାହା ଆଦାୟ କରାଯାଉଛି। ତେବେ କ’ଣ ପାଇଁ ସମ୍ପୃକ୍ତ ସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇ ମେଡିକାଲରୁ ବାହାର କରାଯାଉ ନାହିଁ ସେ ସମ୍ପର୍କରେ ପଚାରିବାରୁ ପ୍ରଶାସନିକ ଅଧିକାରୀ ବେହେରା ନୀରବ ରହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button