ଖେଳ ଖବର

ଆଜି ଫାଇନାଲ୍‌ରେ ଭାରତ-ଶ୍ରୀଲଙ୍କା ମୁକାବିଲା: ୫ ବର୍ଷ ଟ୍ରଫି ମରୁଡ଼ିର ଅନ୍ତ ଆଶା – bajravana

[ad_1]

କଲମ୍ବୋ: ଦୀର୍ଘ ୫ ବର୍ଷ ହେବ ଭାରତୀୟ କ୍ରିକେଟ୍‌ ଦଳ କୌଣସି ବହୁ ରାଷ୍ଟ୍ରୀୟ ଟ୍ରଫି ବିଜେତା ହୋଇପାରିନି। ଶେଷ ଥର ପାଇଁ ଭାରତ ୨୦୧୮ରେ ଏସିଆ କପ୍ ଏବଂ ୨୦୧୧ରେ ଦିନିକିଆ ବିଶ୍ବକପ୍‌ ଜିତିଥିଲା। ବିଗତ ୫ ବର୍ଷ ଭିତରେ ୨୦୧୯ ଦିନିକିଆ ବିଶ୍ବକପ୍‌ ସେମିଫାଇନାଲ୍, ୨୦୧୯ ଆଇସିସି ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍‌ (ବନାମ ନ୍ୟୁଜିଲାଣ୍ଡ୍‌), ୨୦୨୨ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌, ୨୦୨୩ ଆଇସିସି ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ (ବନାମ ଅଷ୍ଟ୍ରେଲିଆ)ରେ ଅଟକି ଭାରତ ଟ୍ରଫି ହାତେଇବାର ସୌଭାଗ୍ୟରୁ ବଞ୍ଚିତ ରହିଛି। ଏହି ବ୍ୟର୍ଥତାଭରା ଧାରାକୁ ଭାଙ୍ଗିବା ପାଇଁ ଭାରତ ସମ୍ମୁଖରେ ସୁଯୋଗ ରହିବ ରବିବାର। ଏସିଆ କପ୍‌ର ଫାଇନାଲ୍‌ରେ ଭାରତ ଖେଳିବ ଘରୋଇ ଶ୍ରୀଲଙ୍କା ସହିତ। ଘରୋଇ ପରିବେଶରେ ଶ୍ରୀଲଙ୍କା ଏକ ଶକ୍ତିଶାଳୀ ଦଳ ଭାବେ ପ୍ରମାଣିତ କରିଥିବାରୁ ଭାରତ ପାଖରେ ମଧ୍ୟ ଆହ୍ବାନ ରହିବ। ଉଭୟ ଦଳ ପାଇଁ ବିଶେଷ କରି ଭାରତ ପାଇଁ ବିଶ୍ବକପ୍‌ ପୂର୍ବରୁ ଏସିଆ କପ୍‌ ବିଜୟ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ ‌‌ହୋଇଛି। କାରଣ ଟ୍ରଫି ବିଜୟ ନିଶ୍ଚିତ ଖେଳାଳିଙ୍କ ମନୋବଳକୁ ବଢ଼ାଇବ। ଗତବର୍ଷ ଅନୁଷ୍ଠିତ ଏସିଆ କପ୍‌ ସୁପର୍‌ ଫୋର୍‌ ପର୍ଯ୍ୟାୟରେ ଶ୍ରୀଲଙ୍କା ଓ ପାକିସ୍ତାନଠାରୁ ହାରିଯିବାରୁ ଭାରତ ଆଗକୁ ବଢ଼ିପାରିନଥିଲା। ଅବଶ୍ୟ ଗତବର୍ଷର ସଂସ୍କରଣ ଟ୍ବେଣ୍ଟି-୨୦ ଫର୍ମାଟରେ ଖେଳାଯାଇଥିଲା। ଏବେ ବିଶ୍ବକପ୍‌ ପୂର୍ବରୁ ଏସିଆ କପ୍ ଜିତିବା ରାହୁଲ ଦ୍ରାବିଡ଼ ଓ ରୋହିତ ଶର୍ମାଙ୍କ ଦଳ ପାଇଁ ସମ୍ମାନର ପ୍ରଶ୍ନ ନେଇ ଆସିଛି। ଘରୋଇ ମାଟିରେ କ୍ରମାଗତ ୧୫ ଦିନିକିଆ ମ୍ୟାଚ୍‌ରେ ବିଜୟୀ ଶ୍ରୀଲଙ୍କା ଏସିଆ କପ୍‌ ଜିତିଲେ ଭାରତ ସହ ୭ ଥର ଟ୍ରଫି ଜିତିବା ରେକର୍ଡର ସମକକ୍ଷ ହୋଇପାରିବ।

ଫାଇନାଲ୍‌ ପୂର୍ବରୁ ସୁପର୍‌ ଫୋର୍ ମୁକାବିଲାରେ ଶ୍ରୀଲଙ୍କାକୁ ଭାରତ ହରାଇଥିବାରୁ ଆତ୍ମବିଶ୍ବାସରେ ରହିଛି ରୋହିତ ସେନା। ଯୁବ ସ୍ପିନର୍‌ ଦୁନିଥ ୱେଲାଲଗେଙ୍କ ୫ ୱିକେଟ୍ ସଫଳତା ସତ୍ତ୍ବେ ଭାରତ ବିଜୟୀ ହୋଇଥିଲା। ଭାରତ ମାତ୍ର ୨୧୩ ରନ୍ କରିଥିଲେ ମଧ୍ୟ ଶ୍ରୀଲଙ୍କାକୁ ୧୭୨ ରନ୍‌ରେ ରୋକି ଦେଇଥିଲା। କୁଲଦୀପ ଯାଦବ ୪ ୱିକେଟ୍‌ ନେଇ ଏହି ବିଜୟର ଅନ୍ୟତମ କର୍ଣ୍ଣଧାର ସାଜିଥିଲେ। ଶ୍ରୀଲଙ୍କା ଶେଷକୁ ପାକିସ୍ତାନକୁ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ହରାଇ ଫାଇନାଲ୍ ଆସିଥିଲା। ରୋହିତ ଶର୍ମାଙ୍କ ଦଳ କିନ୍ତୁ ଏକାଧିକ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇ ଅନ୍ତିମ ସୁପର୍‌ ଫୋର୍ ମ୍ୟାଚ୍‌ ଖେଳିବାରୁ ବାଂଲାଦେଶ ନିକଟରୁ ହାରିଯାଇଥିଲା। ଶୁବମନ ଗିଲ୍‌ଙ୍କ ଆକର୍ଷଣୀୟ ଶତକ ବେକାର ଯାଇଥିଲା। ଏହି ମ୍ୟାଚ୍‌ ଖେଳିନଥିବା ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ୍ ବୁମରା, କୁଲଦୀପ ଯାଦବ, ମହମ୍ମଦ ସିରାଜ୍‌ ରବିବାର ଫାଇନାଲ୍‌ ଖେଳିବାକୁ ଯାଉଥିବାରୁ ଭାରତ ନିଶ୍ଚିତ ପୂର୍ଣ୍ଣ କ୍ଷମତାର ଦଳକୁ ନେଇ ପଡ଼ିଆକୁ ଓହ୍ଲାଇବ। ଉଭୟ ଦଳ ଗୋଟିଏ ଲେଖାଏଁ ଆହତ ସମସ୍ୟା ‌ଦେଇ ଗତି କରୁଛନ୍ତି। ଭାରତ ପାଇଁ ଅକ୍ଷର ପଟେଲ୍ ଏବଂ ଶ୍ରୀଲଙ୍କା ପାଇଁ ମହେଶ ତୀକ୍ଷଣାଙ୍କ ଆହତ କେବଳ ଚିନ୍ତାର କାରଣ ହୋଇଛି। ଅକ୍ଷର ପଟେଲଙ୍କ ପାଇଁ ଭାରତ ମଧ୍ୟ ୱାସିଂଟନ୍ ସୁନ୍ଦରଙ୍କୁ ତୁରନ୍ତ ଦଳକୁ ଡାକରା ପଠାଇଛି। ତୀକ୍ଷଣାଙ୍କ ବଦଳରେ ଲେଗ୍‌ ସ୍ପିନର୍‌ ଦୁସନ ହେମନ୍ତ ଖେଳିବା ସମ୍ଭାବନା ରହିଛି।

ପିଚ୍ ରିପୋର୍ଟ: ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଫାଇନାଲ୍ ମ୍ୟାଚ୍‌ ଖେଳାଯିବ। ବିଗତ ୯ ଦିନ ଭିତରେ ଏହା ଷଷ୍ଠ ମ୍ୟାଚ୍‌ ହେବ। ତେଣୁ କରି ସ୍ଲୋ ଓ ଟର୍ଣ୍ଣିଂ ଟ୍ରାକ୍‌ ନିଶ୍ଚିତ ମିଳିବ। ପିଚ୍‌ର ଆର୍ଦ୍ରତା କିନ୍ତୁ ନିର୍ଣ୍ଣୟ କରିବ ବଲ୍‌ କେତେ ଟର୍ଣ୍ଣ କରିବ। କଲମ୍ବୋରେ ଖେଳାଯାଇଥିବା ଚଳିତ ସଂସ୍କରଣର ୬ ଏସିଆ କପ୍‌ ମ୍ୟାଚ୍‌ରୁ ୫ଟିରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଥିବାରୁ ଭାରତ ଟସ୍ ଜିତିଲେ ମଧ୍ୟ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିବାର ସମ୍ଭାବନା ରହିଛି।

ଭାରତୀୟ ସମ୍ଭାବ୍ୟ ୧୧: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, କେଏଲ୍ ରାହୁଲ୍‌ (ୱିକେଟରକ୍ଷକ), ଈଶାନ କିଶନ/ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦୁଳ ଠାକୁର/ୱାସିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା।

ଶ୍ରୀଲଙ୍କା ସମ୍ଭାବ୍ୟ ୧୧: କୁସାଲ ପେରେରା, ପଥୁମ ନିଶଙ୍କା, କୁସାଲ ମେଣ୍ଡିଜ୍‌ (ୱିକେଟରକ୍ଷକ), ସଦୀରା ସମରବିକ୍ରମା, ଚରିତ ଅସଲଙ୍କା, ଧନଞ୍ଜୟ ଡି’ସିଲଭା, ଦାସୁନ ଶଣକା (ଅଧିନାୟକ), ଦୁନିଥ ୱେଲାଲଗେ, ଦୁଶନ ହେମନ୍ତ, ମଥିଶା ପଥିରଣା, କସୁନ ରଜିଥା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button