ସଂକ୍ରମଣରୁ ରୋକିଥାଏ ମା’ କ୍ଷୀର
ମା’ କ୍ଷୀର ଶିଶୁ ପାଇଁ ଅମୃତ ସମାନ ହୋଇଥାଏ। ଏହା କେବଳ ଯେ, ଶିଶୁର ବିକାଶ କରିଥାଏ ତା’ ନୁହେଁ ବରଂ ଏହା ଶିଶୁଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ନିକଟରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟରୁ ଜଣାପଡିଛି ଯେ, ମା’ କ୍ଷୀର ଶିଶୁଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ।
ଗବେଷଣା ଅନୁସାରେ, ମା’ କ୍ଷୀରରେ ଥିବା ଏକ ଉପାଦାନ ନବଜାତ ଶିଶୁଙ୍କୁ କ୍ଷତିକାରକ ବ୍ୟାକ୍ଟେିଆ କବଳରୁ ରକ୍ଷା କରିଥାଏ। ଗର୍ଭବତୀ ମହିଳାଙ୍କଠାରେ ଦେଖାଦେଉଥିବା ଏକ ପ୍ରକାର ବ୍ୟାକ୍ଟେରିଆ ନବଜାତ ଶିଶୁମାନଙ୍କଠାରେ ସଂକ୍ରମଣ ସୃଷ୍ଟି କରିଥାଏ। ଏହାଦ୍ୱାରା ନବଜାତଙ୍କ ମଧ୍ୟରେ ନିମୋନିଆ ଭଳି ଗୁରୁତର ରୋଗ ହେବାର ସମ୍ଭାବନା ଦେଖାଦେଇଥାଏ। ଏହି ସଂକ୍ରମଣ ବଢିବା କାରଣରୁ ଅନେକ ଶିଶୁଙ୍କର ମୃତ୍ୟୁ ହେବାର ଆଶଙ୍କା ଦେଖା ଦେଇଥାଏ। କାରଣ ନବଜାତ ଶିଶୁଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସମ୍ପୂର୍ଣ୍ଣ ବିକଶିତ ହୋଇ ନ ଥାଏ।
ଆମେରିକା ଓ୍ବଣ୍ଡରବିଲ୍ଟ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଷ୍ଟିଭନ ଟାଉନସେଣ୍ଡଙ୍କ କହିବା ମୁତାବକ, ମା’ କ୍ଷୀରରେ ମିଳୁଥିବା କାର୍ବୋହାଇଡ୍ରେଟ୍ ଆଣ୍ଟିବ୍ୟାକ୍ଟେିରିଆ ଭଳି କାମ କରିଥାଏ। ଅନ୍ୟ ଆଣ୍ଟିବାୟୋଟିକ୍ରେ ଥିବା ଟକ୍ସିନ ଭଳି ଉପାଦାନ ମା’ କ୍ଷୀରରେ ନ ଥାଏ। ଫଳରେ ଏହା ନବଜାତ ଶିଶୁଙ୍କୁ କେତେକ ମାରାତ୍ମକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ ବୋଲି ଟାଉନସେଣ୍ଡ କହିଛନ୍ତି।