ଆମ ଘରର ହାଲଚାଲ: ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତା – bajravana
[ad_1]
ଗତ ତିନି ମାସର ଘଟଣା ପ୍ରବାହକୁ ଅନୁଧ୍ୟାନ କଲେ ଆମ ସାମଗ୍ରିକ ଜୀବନର ଅନେକଗୁଡ଼ିଏ ବିଲକ୍ଷଣ ଦୃଷ୍ଟିକୁ ଆସିବ। କିନ୍ତୁ ବିଡ଼ମ୍ବନାର କଥା, ଆମେ ସମସ୍ତେ ଏହି ବିଲକ୍ଷଣଗୁଡ଼ିକ ସମ୍ପର୍କରେ ଜାଣୁଥିଲେ ମଧ୍ୟ ପ୍ରତିବାଦ କରିବା ପାଇଁ ସାହସ କୁଳାଇ ପାରୁନାହୁଁ। ପ୍ରତିଦିନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ପ୍ରେସ୍ବାର୍ତ୍ତା ମାଧ୍ୟମରେ ୫-ଟି ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରାଯାଉଛି। ଆଜି କେଉଁଠି ସଭା ହେଲା, ସେଠି ୫-ଟି ସଚିବ କ’ଣ କହିଲେ ଏବଂ ପରେ ସେ ଆଉ କେଉଁ ବିକାଶ କାର୍ଯ୍ୟ ତଦାରଖ କଲେ ସେ ସବୁର ଟିକିନିଖି ବିବରଣୀ ଦିଆଯାଉଛି। ଏ ପର୍ଯ୍ୟନ୍ତ ୫-ଟି ସଚିବ ୨୮ଟି ଜିଲ୍ଲା ଗସ୍ତ କରି ସାରିଲେଣି। ଆଉ ଗୋଟିଏ ସପ୍ତାହରେ ଓଡ଼ିଶାର ବାକି ଦୁଇ ଜିଲ୍ଲାର ଗସ୍ତ କାର୍ଯ୍ୟକ୍ରମ ସରିଲେ ୫-ଟି ସଚିବଙ୍କର ଓଡ଼ିଶା ଭ୍ରମଣ ସମ୍ପୂର୍ଣ୍ଣ ହେବ। ଟିକେ ତଳେଇ ଦେଖିଲେ, ୫-ଟି ସଚିବଙ୍କର ଏହି ଯାତ୍ରାରେ କ’ଣ ହେଉଛି, କାହା ପାଇଁ ହେଉଛି ଏବଂ ଏଥିରେ ସାଧାରଣ ଜନତାଙ୍କର କ’ଣ ଲାଭ ହେଉଛି ଠିକ୍ ଭାବେ ଜାଣି ହେବ।
ପ୍ରଥମ କେତୋଟି ଜିଲ୍ଲା ଗସ୍ତ ସମୟରେ କେବଳ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଉପସ୍ଥିତ ରହୁଥିବା ବେଳେ ଏବେଏବେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଉଛି। ୫-ଟି ସଚିବ ହେଲିକପ୍ଟରରେ ଓହ୍ଲାଇ ସଭାସ୍ଥଳକୁ ଯାଉଛନ୍ତି। ହଜାର ହଜାର ମହିଳା ଓ ଛାତ୍ରଛାତ୍ରୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଉଛନ୍ତି। ସଚିବ ସମବେତ ଜନତାଙ୍କ ନିମନ୍ତେ ଏକ ସ୍ବଳ୍ପ ବକ୍ତବ୍ୟ ରଖୁଛନ୍ତି। ପରେ ଜନତାଙ୍କଠାରୁ ଅଭିଯୋଗ ପତ୍ର ସଂଗ୍ରହ କରି ଖୁବ୍ଶୀଘ୍ର ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ୩୦ଟି ଜିଲ୍ଲାରେ ୫-ଟି ସଚିବଙ୍କର ଯାତ୍ରା ଶେଷ ବେଳକୁ କେତେ ଖର୍ଚ୍ଚ ହୋଇଥିବ ତାହାର ଗୋଟିଏ ଆକଳନ ଗତ ସପ୍ତାହରେ ଉପସ୍ଥାପିତ କରିଥିଲୁ। ଆଜି ସାରା ଦେଶ ଚନ୍ଦ୍ରାବତରଣର ସଫଳତାରେ ଉଲ୍ଲସିତ ହୋଇ ଉତ୍ସବମୁଖର ହୋଇ ପଡ଼ିଥିବା ବେଳେ ୫-ଟି ସଚିବଙ୍କ ଓଡ଼ିଶା ଭ୍ରମଣ ବୃତ୍ତାନ୍ତ ଓ ତା’ର ଖର୍ଚ୍ଚ ଆମକୁ ଅଧିକ ଆନ୍ଦୋଳିତ କରୁଛି। ଇସ୍ରୋ ସଂସ୍ଥା ସମୁଦାୟ ଚନ୍ଦ୍ରାବତରଣ ଅଭିଯାନରେ ମାତ୍ର ୬ ଶହ କୋଟି ଖର୍ଚ୍ଚ କରିଥିବା ବେଳେ ଆମ ୫-ଟି ସଚିବ ୩୦ଟି ଜିଲ୍ଲାର ଓଡ଼ିଶା ଭ୍ରମଣରେ ପାଖାପାଖି ସେତିକି ଖର୍ଚ୍ଚ କରିଥିବେ ବୋଲି ଅଭିଯୋଗ କରାଯାଉଛି। ସାରା ଦେଶ ଚନ୍ଦ୍ରାବତରଣକୁ ଗ୍ରହଣ କରିଥିବା ବେଳେ ଆମେ ଓଡ଼ିଶାରେ ପାଣ୍ଡିଆନ ସାହେବଙ୍କ ଓଡ଼ିଶା ଭ୍ରମଣକୁ ଅଧିକ ଗୁରୁତ୍ବ ଦେଇ ଗ୍ରହଣ କରିନେଇଥିବା ପରି ମନେହେଉଛି।
ଏହି ସଭାମାନଙ୍କରେ ପାଣ୍ଡିଆନ ସାହେବ ଯେଉଁ ବକ୍ତବ୍ୟ ରଖୁଛନ୍ତି, ତାହା ମଧ୍ୟ ଗୋଟିଏ ଗୋଟିଏ ବିଲକ୍ଷଣର ସୂଚନା ଦେଉଛି। ଗୋଟିଏ ସଭାରେ ସେ କହୁକହୁ କହିଦେଲେ, ‘ଆସନ୍ତୁ ଆମେ ନବୀନବାବୁଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା।’ ନବୀନବାବୁ ଯେ ଓଡ଼ିଶାବାସୀଙ୍କର ଆଶୀର୍ବାଦରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏଥିରେ କାହାରି ସନ୍ଦେହ ନାହିଁ। କିନ୍ତୁ ପାଣ୍ଡିଆନ୍ ସାହେବ ଭୁଲିଗଲେ ଯେ ସେ ଏକ ସରକାରୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଯୋଗ ଦେଉଛନ୍ତି। ହଜାର ହଜାର ମହିଳା ଓ ଛାତ୍ରଛାତ୍ରୀଙ୍କୁ ଦେଖି ସେ ବୋଧେ ଆତ୍ମବିଭୋର ହୋଇପଡ଼ି ଉଚିତ ଅନୁଚିତର ପ୍ରଭେଦ ଭୁଲିଗଲେ। ତାଙ୍କୁ କେବଳ ଆମ ଇତିହାସର ଏକ ଘଟଣାକୁ ମନେପକେଇ ଦେଲେ ସେ ଆମେ ଉଲ୍ଲେଖ କରୁଥିବା ବିଲକ୍ଷଣ କଥା ବୁଝିପାରିବେ। ୧୯୭୧ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କୁ ତାଙ୍କର ସଚିବ ୟଶପାଲ୍ କାପୁର ପ୍ରଚାର କାର୍ଯ୍ୟରେ ସହାୟତା କରି ତାଙ୍କ ସପକ୍ଷରେ ନିର୍ବାଚନୀ ଭାଷଣ ଦେଇଥିବାରୁ ଅାହ୍ଲାବାଦ ହାଇକୋର୍ଟ ଶ୍ରୀମତୀ ଗାନ୍ଧିଙ୍କର ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ଏବଂ ପରେ ଶ୍ରୀମତୀ ଗାନ୍ଧି ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରି ଆମ ଗାଣତାନ୍ତ୍ରିକ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଥିଲେ। ପାଣ୍ଡିଆନ୍ ସାହେବଙ୍କର ଉପରୋକ୍ତ ଆଚରଣ ୟଶପାଲ କାପୁରଙ୍କଠାରୁ କୌଣସି ଗୁଣରେ ଭିନ୍ନ ନୁହେଁ।
ମହିଳାମାନଙ୍କ ସମାବେଶରେ ୫-ଟି ସଚିବ ଯେଉଁ ବିପୁଳ ସମ୍ବର୍ଦ୍ଧନା ପାଉଛନ୍ତି ତାହା ସ୍ବାଭାବିକ ଭାବରେ ତାଙ୍କର ମାନସିକ ଭାରସାମ୍ୟକୁ ଦୋହଲାଇ ଦେଉଛି। ଫଳରେ ତାଙ୍କର ବକ୍ତବ୍ୟ ଅନେକଗୁଡ଼ିଏ ପ୍ରଶ୍ନ ଉତ୍ଥାପିତ କରୁଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଗତଥର ବିଧାନସଭା ଓ ସଂସଦରେ ମହିଳାମାନଙ୍କର ଶତକଡ଼ା ୫୦ ପ୍ରତିନିଧିତ୍ବ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। ସମ୍ବିଧାନର ପ୍ରସ୍ତାବନାରେ ‘ଅହିଂସା’କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆହ୍ବାନ ଦେଇଥିଲେ। ଆମେସବୁ ତାଙ୍କ ପ୍ରତିନିଧି ସାଜି ଭାରତର ବିଭିନ୍ନ ରାଜ୍ୟର ନେତୃମଣ୍ଡଳୀଙ୍କୁ ଭେଟିଥିଲୁ ଏବଂ ଏ ଦାବିକୁ ସମର୍ଥନ ଜଣାଇ ସ୍ବର ଉତ୍ତୋଳନ କରିବା ପାଇଁ ଅନୁରୋଧ କରିଥିଲୁ। ଆଜି ଯେତେବେଳେ ମଣିପୁର ଜଳୁଥିଲା, ମହିଳାମାନେ ନିର୍ଯାତିତ ହେଉଥିଲେ, ଆମ ପାଟିରୁ ତାଙ୍କ ସମ୍ପର୍କରେ ପଦୁଟିଏ କଥା ବାହାରିଲା ନାହିଁ। ବିଜୁ ଜନତା ଦଳ, କେନ୍ଦ୍ରର ବିଜେପି ସରକାରକୁ ସମର୍ଥନ ଦେବାରେ କିଛି ଆପତ୍ତି ନାହିଁ। କାରଣ ବିକଳ୍ପକୁ ସମର୍ଥନ ଦେବା ବରଂ ଅଧିକ ଆପତ୍ତିଜନକ ହୋଇଥାନ୍ତା। କିନ୍ତୁ ସମର୍ଥନ ଦେଇ ତାଙ୍କର ବିଲକ୍ଷଣ ପାଇଁ ତାଙ୍କୁ ତାଗିଦ୍ କରିବାରେ ଆମର ଅସୁବିଧା କେଉଁଠି ଥିଲା? ଓଲଟା ଆମ ସଂସଦର ନେତା କହିଲେ, ମଣିପୁର ଭଳି ଘଟଣା ଆଫ୍ରିକାରେ ପ୍ରତିଦିନ ହୁଏ। ଏଠାରେ ଭୁଲିଗଲେ ଚଳିବ ନାହିଁ, ଗତ ଜୁଲାଇ ୧୮ ତାରିଖରେ ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସାଂସଦମାନଙ୍କୁ ସମଦୂରତ୍ବର କଥା ମନେପକାଇ କେନ୍ଦ୍ରର ଅବହେଳା ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ଦିନ କେଇଟାରେ କ’ଣ ଘଟିଲା ଯେ ବିଜୁ ଜନତା ଦଳ ଏଭଳି ଦୁର୍ବଳ ହୋଇଗଲା? ସେଦିନ ବିଜୁ ଜନତା ଦଳର ଅନେକ ସଚେତନ ସମର୍ଥକଙ୍କର ମୁଣ୍ଡ ତଳକୁ ହୋଇଯାଇଥିଲା।
ଛାତ୍ରମାନଙ୍କୁ ଉଦ୍ବୋଧନ ଦେଇ ଅନ୍ୟ ଏକ ସମାବେଶରେ ୫-ଟି ସଚିବ କହିଲେ, ନିଶାଠାରୁ ଦୂରେଇ ରୁହ, ମଦ୍ୟପାନ କରନାହିଁ। ଏଥିରେ କିଛି ଅସୁବିଧା ନାହିଁ। କିନ୍ତୁ ଓଡ଼ିଶାରେ ନିଶା ନିବାରଣ ପ୍ରତି ସରକାର ସେପରି ଯତ୍ନବାନ ଥିଲାଭଳି ମନେହେଉନାହିଁ। ବିଶ୍ବର ସବୁ ରକମର ସାମାଜିକ ପରିବର୍ତ୍ତନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆରମ୍ଭ ହୋଇଥିବା କଥା ଇତିହାସ କହିଥାଏ। ଗତ କିଛିବର୍ଷ ଧରି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟମାନଙ୍କରେ ଛାତ୍ର ସଂସଦର ନିର୍ବାଚନ ହେଉନାହିଁ। ଆମ ଛାତ୍ରଛାତ୍ରୀମାନେ କେଜାଣି କାହିଁକି ତାଙ୍କର ସର୍ବନିମ୍ନ ଗାଣତାନ୍ତ୍ରିକ ଅଧିକାର ହରେଇ ଥିଲେ ମଧ୍ୟ ନିରବ ରହୁଛନ୍ତି।
୫-ଟି ସଚିବଙ୍କର ଜିଲ୍ଲା ଗସ୍ତ ସମୟରେ ନିର୍ବାଚନମଣ୍ଡଳୀୱାରୀ ଆୟୋଜିତ ସଭାମାନଙ୍କର ଚିତ୍ର ଓ ଚରିତ୍ର ସରକାରୀ କି ବେସରକାରୀ ଏ ସମ୍ପର୍କରେ ସ୍ବତଃ ମନରେ ପ୍ରଶ୍ନ ଉଠୁଛି। ଗୋଟିଏ ଦୃଷ୍ଟିରୁ ବିଚାର କଲେ ଏଗୁଡ଼ିକ ନିର୍ବାଚନ ପୂର୍ବରୁ ଆୟୋଜିତ ହେଉଥିବା ରାଜନୈତିକ ଦଳମାନଙ୍କର ଏକ ସଭାପରି ମନେହେଉଛି। ଅନ୍ୟପକ୍ଷରେ ଏହି ସଭାମାନଙ୍କର ଆୟୋଜନରେ ସମସ୍ତ ଲୋକ ପ୍ରତିନିଧି ଓ ରାଜନେତାମାନେ ସମ୍ପୃକ୍ତ ଥିଲେ ମଧ୍ୟ ସେମାନେ ମଞ୍ଚରେ ଦୃଶ୍ୟମାନ ହେଉନାହାନ୍ତି। ମଞ୍ଚରେ କେବଳ ୫-ଟି ସଚିବଙ୍କୁ ଦେଖିବାକୁ ମିଳୁଛି। ଏହା ଭିନ୍ନ ଏକ ମାନସିକତାର ସୂଚନା ଦେଉଛି। ଅପରାଧୀ ନିଜର ଛାଇକୁ ଦେଖି ଡରିଲା ଭଳି ସେ ଅନ୍ୟ କାହାର ଉପସ୍ଥିତିକୁ ଆଦୌ ବରଦାସ୍ତ କରିପାରୁ ନାହାନ୍ତି। ଏସବୁ ସଭାଗୁଡ଼ିକ କେବଳ ୫-ଟି ସଚିବଙ୍କ ଭାବମୂର୍ତ୍ତି ନିର୍ମାଣ କରିବା ପାଇଁ ଉର୍ଦ୍ଦିଷ୍ଟ ଥିଲା ପରି ମନେହେଉଛି। ଗତକାଲି ଗଞ୍ଜାମରେ ଯେଉଁ ଘଟଣାଟି ଘଟିଲା ତାହା ଆମ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଯାହା ଘଟିଲା, ତାହା ଆଦୌ ଆଖିକୁ ସୁନ୍ଦର ଦେଖାଯାଉନାହିଁ। ଇଂରାଜୀରେ ଏହାକୁ ବ୍ୟାଡ୍ ଅପ୍ଟିକ୍ସ କୁହାଯାଏ। ପୁଣି ସେ ଯେଉଁ ଅଭିଯୋଗଟି ଆଣିଛନ୍ତି, ତାହା ଆମ ବିଚାରରେ ଅତ୍ୟନ୍ତ ଗମ୍ଭୀର। ସେ ମୁଖ୍ୟମନ୍ତ୍ରୀଙ୍କର ଅତି ପାଖଲୋକ ଥିବାବେଳେ ଗୋଟିଏ ଘଟଣାର ଉଦାହରଣ ଦେଇ ୫-ଟି ସଚିବ ମିଛ କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଅଦାଲତର ନିର୍ଦ୍ଦେଶ ଫଳରେ ସ୍ବର୍ଗଦ୍ବାରରେ ଥିବା ବିଜୁ ପଟ୍ଟନାୟକଙ୍କର ସମାଧିକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ୫-ଟି ସଚିବ କାଳେ ସର୍ବସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କର ଭାବମୂର୍ତ୍ତିକୁ ଉଜ୍ଜ୍ବଳ କରିବା ପାଇଁ ଏ ସମ୍ପର୍କରେ ମିଛ କଥା କହିଛନ୍ତି। ଏଠି କିଏ ସତ, କିଏ ମିଛ କହୁଛନ୍ତି ଆମେ ଜାଣୁନା। କିନ୍ତୁ ପ୍ରଦୀପ ପାଣିଗ୍ରାହୀ ଯେ ମିଛ କହୁଛନ୍ତି ୫-ଟି ସଚିବ ଏ କଥାକୁ ପ୍ରମାଣ କରନ୍ତୁ, ନହେଲେ ତାଙ୍କ ଭାବମୂର୍ତ୍ତି ନିର୍ମାଣ କରିବା ପାଇଁ ଖର୍ଚ୍ଚ ହୋଇଥିବା କୋଟିକୋଟି ଟଙ୍କା ପାଣିରେ ପଡ଼ିବ।
[ad_2]