ଖେଳ ଖବର

ବିଶ୍ବ ବିଜେତା ହେବାକୁ ବହୁ ସଂଘର୍ଷ କରିଛି: ଅନୁଜ – bajravana

[ad_1]

ବିବାହ ପରେ ସଫଳତା, ମହିଳାଙ୍କ ଅଂଶଗ୍ରହଣକୁ ନାପସନ୍ଦ

ଭୁବନେଶ୍ବର: ଏବେ ଭୁ‌ବନେଶ୍ବର ଆସିଛନ୍ତି ବିଶ୍ବ ବିଜେତା ବଡି ବିଲ୍ଡର ଅନୁଜ ତଲିୟାଁ। ଦୁଇ ଥର ବିଶ୍ବ ବ‌ିଜେତା, ଥରେ ଏସିଆ ବିଜେତା ଏବଂ ୪ ଥର ମିଷ୍ଟର୍ ଇଣ୍ଡିଆ ମୁକୁଟ ବିଜେତା ଅନୁଜ ଭାରତୀୟ ଆର୍ମିର ‌ମାଡ୍ରାସ୍ ଇଂଜିନିୟର ଗ୍ରୁପ୍‌ରେ କାର୍ଯ୍ୟରତ। ଯୁବ ପିଢ଼ିର ବଡ଼ି ବିଲ୍ଡରଙ୍କ ପାଇଁ ଆଦର୍ଶ ପାଲଟିଥିବା ଅନୁଜଙ୍କ ସାଧାରଣ ଜୀବନ ଶୈଳୀ ଓ ନୀତି ନିଷ୍ଠ ଖେଳ ଜୀବନ ଅନେକଙ୍କୁ ପ୍ରଭାବିତ କରିଛି। ଭୁବନେଶ୍ବରରେ ଜେରାଇ ଫିଟ୍‌ନେସ୍‌ର ଏକ ସୋ’ରୁମ୍ ଉଦ୍‌ଘାଟନ ପାଇଁ ଆସିଥିଲେ ମଧ୍ୟ ଏହି ଅଣପାରମ୍ପରିକ ‌ଖେଳରେ ତାଙ୍କ ସଂଘର୍ଷ, ସଫଳତା ଓ ସ୍ଥିତି ସମ୍ପର୍କରେ ଅନୁଜ ବିସ୍ତୃତ ଭାବେ କହିଥିଲେ ‘ସମ୍ବାଦ’କୁ।

ବଡି ବିଲ୍ଡିଂରେ ସଫଳତା ଅନ୍ୟ ଖେଳର ସଫଳତାଠାରୁ ଭିନ୍ନ ନୁହେଁ। ଅତି ତଳ ସ୍ତରରୁ ମୁଁ ଉପରକୁ ଆସିଛି। ଏହି ଯାତ୍ରା ବହୁ କଷ୍ଟକର ପଥ ଦେଇ ଗତି କରିଛି। ଉତ୍ତରପ୍ରଦେଶରେ ରାଜ୍ୟ ଭିତରେ ବିଜେତା ହେବା ପାଇଁ ଢେର୍‌ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିଥାଏ। ଏହା ପରେ ଜାତୀୟସ୍ତରରେ ୩୦ ୟୁନିଟ୍‌ରୁ ଆସିଥିବା ପ୍ରତିଯୋଗୀଙ୍କୁ ପଛରେ ପକାଇବା ମଧ୍ୟ ବଡ଼ ଆହ୍ବାନ ଆଣିଥିଲା। ସମସ୍ତ ଆହ୍ବାନକୁ ପ୍ରତିହତ କରି ମୁଁ ମିଷ୍ଟର ଇଣ୍ଡିଆ, ମିଷ୍ଟର୍ ଏସିଆ ଏବଂ ମିଷ୍ଟର୍ ୱାର୍ଲଡ୍‌ ହୋଇପାରିଛି। ଜୀବନରେ କିଛି ଗୋଟେ କରି ଶୀର୍ଷରେ ପହଞ୍ଚିବାର ଜିଦ୍ ମୋତେ ଆଜି ସଫଳତା ଦେଇଛି। ଭାରତ କେଶରୀ ବା ହିନ୍ଦ୍ କେଶରୀ ହେବାକୁ ଆଶା ରଖିଥିଲି। ବାସ୍ତବରେ ମୁଁ ଖେଳ ଜୀବନର ପ୍ରାରମ୍ଭରେ ଭାରତର ଶୀର୍ଷ କୁସ୍ତିଯୋଦ୍ଧା ହେବାକୁ ସ୍ବପ୍ନ ଦେଖିଥିଲି। ଅଲିମ୍ପିକ୍ ଖେଳିବାର ଆଶା ରଖିଥିଲି। ‌ରାଜୀବ ତୋମାରଙ୍କୁ ଦେଖି ‌ବେଶ ପ୍ରଭାବିତ ହୋଇଥିଲି। କିନ୍ତୁ କୁସ୍ତିରେ ଆଗକୁ ବଢ଼ିବାକୁ ମୋତେ ଆବଶ୍ୟକୀୟ ଭିତ୍ତିଭୂମି ଓ ତାଲିମ ମିଳିପାରିନଥିଲା। ତେଣୁ ମୁଁ ରୁଟ୍ ବଦଳାଇ ଦେଇଥିଲି। ମୋର ଜଣେ ଭାଇ ବଡି ବିଲ୍ଡର ଥିବାରୁ ଏହା ସମ୍ଭବ ହୋଇଥିଲା। କୁସ୍ତିରେ ଆହତ ହେବାର ଆଶଙ୍କା ଅଧିକ ଥିଲା। ତେଣୁ ଈଶ୍ବରଙ୍କ ଆଶୀର୍ବାଦରୁ ମୁଁ ବଡି ବିଲ୍ଡିଂକୁ ଆସି ଏସିଆ ଓ ବିଶ୍ବ ବିଜେତା ହୋଇପାରିଥିବାରୁ ଖୁସି ହୋଇଛି। କିଏ ଜାଣିଛି କୁସ୍ତି କରିଥିଲେ ମୁଁ ଆହତ ହୋଇ ଆଗକୁ ବଢ଼ି ପାରିଥାନ୍ତି କି ନା। ବଡି ବିଲ୍‌ଡିଂ କରିନଥିଲେ ଆଉ କ’ଣ କରିଥାନ୍ତେ ବୋଲି ପ୍ରଶ୍ନ ହେବାରୁ ଅନୁଜ କହିଥିଲେ ‘ଜୀବନର ଗୋଟିଏ ଲକ୍ଷ୍ୟ ଥିଲା କିଛି ସୁନାମ ଅର୍ଜନ। କେବଳ ଝିଅ ପିଲାଙ୍କ ପଛରେ ନପଡ଼ି ‌ଅନ୍ୟ କୌଣସିରେ ବି ସୁନାମ ଅର୍ଜନ ପାଇଁ ଚେଷ୍ଟା କରିଥିଲି।’’

ବିବାହ ପରେ ସଫଳତା
ସାଧାରଣତଃ କୁହାଯାଏ ବିବାହ ପରେ ବଡି ବିଲ୍‌ଡିଂରେ ଖେଳାଳିଙ୍କୁ ସଫଳତା ମିଳିନଥାଏ। ଏହା ବିଲକୁଲ୍ ନୁହେଁ। ମୁଁ କିନ୍ତୁ ୨୦୧୬ରେ ବିବାହ କରିବା ପୂର୍ବରୁ କେବଳ ଜାତୀୟସ୍ତରରୁ ଗୋଟିଏ କାଂସ୍ୟ ପଦକ ଜିତିଥିଲି। ଅନ୍ୟ ସବୁ ସଫଳତା (ମିଷ୍ଟର୍‌ ଇଣ୍ଡିଆ, ମିଷ୍ଟର୍ ଏସିଆ, ମିଷ୍ଟର୍ ୱାର୍ଲଡ୍‌) ମୁଁ ବିବାହ ପରେ ପାଇଛି। ଖାଇବା ଓ ଅଭ୍ୟାସ କରିବା ସହ ସରଳ ଜୀବନ ଯାପନ କରିବାରୁ ଏହା ସମ୍ଭବ ହୋଇଛି। ଶରୀର ଉପରେ ଖଟଣି କାରଣରୁ ‌ଯଥେଷ୍ଟ ବିଶ୍ରାମ ନେବାର ଆବଶ୍ୟକତା ମଧ୍ୟ ରହିଥାଏ। ଅବସର ସମୟକୁ ମୁଁ ପତ୍ନୀ ଓ ପିଲାଙ୍କ ଗହଣରେ କାଟି ଦିଏ। ଭ୍ରମଣ କରିବାକୁ ମୁଁ ଏତେ ଭଲ ପାଏ ନାହିଁ। ତଥାପି ଭୁବନେଶ୍ବର ଆସିଛି ମାନେ ମନ୍ଦିର ଯିବି ଏବଂ କୋଣାର୍କ ଗସ୍ତ କରିବାର ଯୋଜନା ରହିଛି।

ମହିଳାଙ୍କ ଅଂଶଗ୍ରହଣକୁ ନାପସନ୍ଦ
ବଡି ବିଲ୍‌ଡିଂରେ ମହିଳାଙ୍କ ଅଂଶଗ୍ରହଣ ଏହି ଖେଳକୁ ଅଧିକ ଗ୍ଲାମର ଓ ଆଦୃତ କରିବାର ବାଟ ଦେଖାଇଛି। ଅନୁଜ କିନ୍ତୁ ମହିଳାଙ୍କ ଅଂଶଗ୍ରହଣ ସପକ୍ଷରେ ନାହାନ୍ତି। ବ୍ୟକ୍ତିଗତ ଭାବେ ମୁଁ ଏହାକୁ ପସନ୍ଦ କରେନାହିଁ। କାରଣ ମହିଳାଙ୍କୁ ସେମାନଙ୍କ ଚେହେରା ପାଇଁ ଲୋକମାନେ ଚାହିଁଥାନ୍ତି ଏବଂ ଆକର୍ଷିତ ହୋଇଥାନ୍ତି। ବଡି ବିଲ୍‌ଡିଂ ଏହାକୁ ହରଣ କରିଦେବ। ତଥାପି ମହିଳାଙ୍କ ଇଚ୍ଛା ଓ ବ୍ୟକ୍ତିଗତ ପସନ୍ଦକୁ ଅଣ ଦେଖା କରାଯାଇ ପାରିବ ନାହିଁ। ଏହ‌ା ମଧ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ। ପୁରୁଷ ଓ ମହିଳା ନିର୍ବିଶେଷରେ ଶକ୍ତିବର୍ଦ୍ଧକ ଔଷଧ ସେବନ ବିନା ବଡି ବିଲଡିଂ କରିବାକୁ ଅନୁଜ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

ଜଗନ୍ନାଥ ଓ ସଂଜୟ ଉଠୁଛନ୍ତି
ଓଡ଼ିଶା ମୁଁ ଦ୍ବିତୀୟ ଥର ଆସିଛି। ଓଡ଼ିଶାରୁ ଅନେକ ବଡି ବିଲ୍ଡର ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସଫଳତା ପାଇ ସାରିଛନ୍ତି। ଜଗନ୍ନାଥ ଓ ସଂଜୟ ସାହୁ ସେମାନଙ୍କ ମଧ୍ୟରୁ ଉପରକୁ ଉଠିଛନ୍ତି। ଭବିଷ୍ୟତରେ ମଧ୍ୟ ସେମାନେ ଭଲ କରିବେ ବୋଲି ଆଶା ରହିଛି। ଭୁବନେଶ୍ବର ସହର ମୋତେ ଭାରି ଭଲ ଲାଗେ। ସବୁଜମୟ ସୁନ୍ଦର ପରିବେଶ ଓ ଜଳସ୍ରୋତ ମୋତେ ବିଶେଷ ଭାବେ ପ୍ରଭାବିତ କରିଛି।

ବଡି ବିଲ୍‌ଡିଂ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଖେଳ ନୁହେଁ, ଅତି ଲୋକପ୍ରିୟ
ବଡି ବିଲ୍‌ଡିଂ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଖେଳ ହୋଇନଥିବାରୁ ଏହା ଏସୀୟ କ୍ରୀଡ଼ା କି ଅଲିମ୍ପିକ୍ସ ପହଞ୍ଚିପାରିନାହିଁ। ତଥାପି ଆମେ ଆଶାବାଦୀ ଅଛୁ, ଭବିଷ୍ୟତରେ ସାମିଲ ହେବ ଏବଂ ଆମେ ଅଲିମ୍ପିକ୍ସରେ ପହଞ୍ଚି ଦେଶର ସୁନାମ ଅର୍ଜନ କରିବୁ। ଏହା ଅନ୍ତର୍ଜାତୀୟସ୍ତରରେ ବେଶ ଲୋକପ୍ରିୟ ଏବଂ ଭାରତରେ ମଧ୍ୟ କ୍ରମେ ଲୋକପ୍ରିୟତା ଅର୍ଜନ କରିଛି। ଫିଟନେସ୍ ପାଇଁ ଅଧିକ ପରିଚିତ ଥିଲେ ବଡି ବିଲ୍‌ଡିଂ କ୍ରମେ ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଛି। ଭାରତୀୟ ପ୍ରତିଯୋଗୀମାନେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସଫଳତା ପାଇଁ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button