ରାଜୀବ ଗାନ୍ଧୀଙ୍କ ୭୯ତମ ଜୟନ୍ତୀ: ରାଜୀବଙ୍କ ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହୁଅନ୍ତୁ – bajravana
[ad_1]
ଭୁବନେଶ୍ୱର: ରାଜୀବ ଗାନ୍ଧୀଙ୍କ ପରି ଦୂରଦୃଷ୍ଟି ସମ୍ପନ୍ନ ନେତା ଦେଶ ପାଇଁ ବହୁ ବହୁ ଅଭିନବ ପଦକ୍ଷେପ ନେଇଥିଲେ। ତାଙ୍କରି ସମୟରେ ମତଦାନର ବୟସ ୧୮ ବର୍ଷ ହୋଇଥିଲା। ଦେଶରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ତାଙ୍କର ଅବଦାନକୁ କେହି ଭୁଲିପାରିବେ ନାହିଁ। ଦେଶରେ ଦାରିଦ୍ର୍ୟ ଓ ନିରକ୍ଷରତାକୁ ସମୂଳେ ନଷ୍ଟ କରାଯାଇପାରିଲେ ଏକ ନୂଆ ଭାରତ ଗଢ଼ାଯାଇପାରିବ ବୋଲି ସେ କହୁଥିଲେ। ତାଙ୍କର ନୀତି ଓ ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହୋଇ ଏକ ସୁନ୍ଦର ଦେଶ ଗଠନରେ ବ୍ରତୀ ହେବାକୁ ବିଶିଷ୍ଟ ବ୍ୟକ୍ତିମାନେ ଆହ୍ବାନ ଦେଇଛନ୍ତି।
ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ୍ ଓ ରାଜୀବ ଗାନ୍ଧୀ ଷ୍ଟଡି ସର୍କଲ ପକ୍ଷରୁ ଆଜି ପୂର୍ବାହ୍ନରେ ଜୟଦେବ ଭବନରେ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୭୯ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ରାଜୀବ ଗାନ୍ଧୀ ଶିକ୍ଷା ଓ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପିସିସି ସଭାପତି ଶରତ ପଟ୍ଟନାୟକ ଯୋଗ ଦେଇ ଦେଶ ପ୍ରତି ରାଜୀବ ଗାନ୍ଧୀଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଯୁବପିଢ଼ିଙ୍କ ପାଇଁ ସେ ବାସ୍ତବରେ ଜଣେ ଆଦର୍ଶ ରାଜନେତା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ମୁଖ୍ୟବକ୍ତା ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ ଯୋଗ ଦେଇ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ବର୍ଷକୁ ଆଗେଇ ନେବା ପାଇଁ ରାଜୀବ ଗାନ୍ଧୀଙ୍କ ଉଦ୍ୟମକୁ ଆଜି ଯୁବପିଢ଼ି କାର୍ଯ୍ୟରେ ପରିଣତ କରିପାରିଲେ ତାହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି କହିଥିଲେ। ଅତିଥି ଭାବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଯୁବକମାନେ ଚାହିଁଲେ ଭାରତ ବର୍ଷ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ଏବଂ ଏହା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ସାକାର କରିବାରେ ସହାୟକ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ଦୈନିକ ଖବରକାଗଜର ପର୍ଯ୍ୟବେକ୍ଷକର ସମ୍ପାଦକ ପବିତ୍ର ମୋହନ ସାମନ୍ତରାୟ, ପୂର୍ବତନ ପ୍ରଶାସକ ସୁରେଶ ମନ୍ତ୍ରୀ ଯୋଗ ଦେଇ ରାଜୀବଙ୍କ ସ୍ମୃତିଚାରଣ କରିଥିଲେ। ଫୋରମର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦ୍ମାକର ଗୁରୁ ସ୍ୱାଗତ ଭାଷଣ ଦେଇଥିବାବେଳେ ସଭା ଶେଷରେ ଉପସଭାପତି କୃଷ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତି ପରୀକ୍ଷାର୍ଥୀଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର, କ୍ୟାପିଟାଲ ରକ୍ତଭଣ୍ଡାରର ନିର୍ଦ୍ଦେଶକ ଦେବାଶିଷ ମିଶ୍ର, ଅରୁଣ କୁମାର ସ୍ୱର୍ଣ୍ଣକାର, ସଞ୍ଜୟ ସାହୁଙ୍କୁ ରାଜୀବ ଗାନ୍ଧୀ ସେବା ସମ୍ମାନ, ଶିକ୍ଷାବିତ୍ ସୀମର କୁମାର ପାଣିଗ୍ରାହୀଙ୍କୁ ଶିକ୍ଷା ସମ୍ମାନ, ଏନସିସି(ଏଏନ୍ଓ), ସ୍କାଉଟ୍, ଗାଇଡ଼, ଏନ୍ଏସ୍ଏସ୍ ପ୍ରୋଗ୍ରାମ କୋଅର୍ଡିନେଟର, ୟୁଥ୍ ରେଡ଼କ୍ରସ ଓ କାଉନସିଲର୍ମାନଙ୍କୁ ଚଳିତ ବର୍ଷର ରାଜୀବ ଗାନ୍ଧୀ ଶିକ୍ଷା ସମ୍ମାନ- ୨୦୨୩ ପ୍ରଦାନ କରାଯାଇଥିଲା। ଫୋରମ୍ର କର୍ମକର୍ତ୍ତା ପ୍ରିୟବ୍ରତ ନାୟକ, ଭବାନୀ ଶଙ୍କର ଜେନା, ସାଗର ରଞ୍ଜନ ପରିଡ଼ା, ମିର୍ ଅବୁବେକର ସିଦ୍ଦିକ୍, ପ୍ରକାଶ ଚନ୍ଦ୍ର ନାୟକ, ବାଦଲ ପ୍ରଦାନ, ଅନୀଲ ଛୁଆଳସିଂ, ଅନୀଲ ମହାନ୍ତି, ପ୍ରଦୀପ ସାହୁ ଓ ଦେବେନ୍ଦ୍ର ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ।
[ad_2]