ସୁଜ୍ଞାନ ଦେଓଙ୍କ ପରଲୋକ: ଅପ୍ରତିଦ୍ବନ୍ଦ୍ବୀ ନେତ୍ରୀ, ୧୦ ଥର ବିଧାୟିକା – bajravana
[ad_1]
ବ୍ରହ୍ମପୁର/ଖଲ୍ଲିକୋଟ/କବିସୂର୍ଯ୍ୟନଗର: ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଶୁକ୍ରବାର ରାତି ପ୍ରାୟ ୧୨ଟା ୪୪ ମିନିଟ୍ରେ ଦେହାନ୍ତ ହୋଇଯାଇଛି। ତାଙ୍କୁ ୮୭ବର୍ଷ ହୋଇଥିଲା। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସଂଧ୍ୟାରେ ହଠାତ୍ ରାଣୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଖବର ପାଇ ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ପ୍ରମୁଖ ଚେନ୍ନାଇ ଯାଇ ପରିବାରବର୍ଗଙ୍କ ସହିତ କଥା ହୋଇ ଆଶୁ ଆରୋଗ୍ୟ କାମନା କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁଶଯ୍ୟା ନିକଟରେ ପୁତୁରା ଡ. ସାକେତ ରାମାରାଓ, ଝିଆରୀ, ଭାଇ-ଭଉଣୀଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଗଞ୍ଜାମ ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ନେତ୍ରୀ ଥିଲେ ଖଲ୍ଲିକୋଟ ରାଣୀ ସାହେବା ଭି ସୁଜ୍ଞାନ କୁମାରୀ ଦେଓ। ୧୯୩୭ ଅଗଷ୍ଟ ୫ରେ ଜନ୍ମଗ୍ରହଣ କରିଥିବା ଶ୍ରୀମତୀ ଦେଓ ଲଗାତାର ୧୦ଥର ବିଧାୟିକା ହୋଇଥିଲେ। ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଧର୍ମପତ୍ନୀ ରାଣୀ ସାହେବା ଶ୍ରୀମତୀ ଦେଓ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଅତ୍ୟନ୍ତ ନିକଟତର ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିକୁ ଆସିବା ଠାରୁ ଶ୍ରୀମତୀ ଦେଓ ଜିଲ୍ଲାର ରାଜନୀତିକୁ ନିୟନ୍ତ୍ରଣ କରୁଥିଲେ। ୧୯୬୩ରେ ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ଖଲ୍ଲିକୋଟ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜୟୀ ହୋଇ ସେ ପ୍ରଥମ ଥର ବିଧାୟିକା ହୋଇଥିଲେ। ଏହାପରେ ସେ ଏହି ଆସନରୁ ୧୯୭୪ରେ ଉତ୍କଳ କଂଗ୍ରେସ, ୧୯୭୭ ଓ ୧୯୮୫ରେ ଜନତା ପାର୍ଟି, ୧୯୯୦ ଓ ୧୯୯୫ରେ ଜନତା ଦଳ, ୨୦୦୦ ଓ ୨୦୦୪ରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ଖଲ୍ଲିକୋଟ ବିଧାନସଭା ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହେବା ପରେ ରାଣୀ ସାହେବା କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୦୯ ଓ ୨୦୧୪ରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରୁ ବିଧାୟିକା ହୋଇଥିଲେ।
୨୦୦୦ରୁ ୨୦୧୩ ମଧ୍ୟରେ ସେ ବିଧାନସଭା ହାଉସ୍ କମିଟି, ଲାଇବ୍ରେରି କମିଟି, ଏଥିକ୍ସ କମିଟି, ଷ୍ଟାଣ୍ଡିଂ କମିଟି ଭଳି ବିଭିନ୍ନ କମିଟିର ସଦସ୍ୟ ଥିଲେ। ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସିନେଟ୍ ସଭ୍ୟ ରହିଥିବା ବେଳେ ଖଲ୍ଲିକୋଟ ଆଞ୍ଚଳିକ ସମବାୟ ବଜାର ସମିତିର ସଭାପତି ପଦରେ ମଧ୍ୟ ରହିଥିଲେ। ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ସକ୍ରିୟ ରାଜନୀତି ଠାରୁ ଦୂରେଇ ଯାଇଥିଲେ। ସେ ୨୦୧୯ ପରଠାରୁ ଚେନ୍ନାଇସ୍ଥିତ ବାପା ସ୍ବର୍ଗତ ରାଜା ଆର୍.ଭି.ଏମ୍. ନୀଳାନ୍ଦ୍ରି ରାଓଙ୍କ ଘରେ ରହି ଆସୁଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ବର୍ଗର ଲୋକ ଶୋକ ବ୍ୟକ୍ତ କରିଛନ୍ତି। ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
[ad_2]