ଶଯ୍ୟାଶାୟୀ ବୃଦ୍ଧାଙ୍କୁ ହତ୍ୟା ଘଟଣା: ବୋହୂ ବୈଶାଖୀ ବର୍ତ୍ତିଲେ କେମିତି? – bajravana
[ad_1]
ଗୁମର ଖୋଲିବ ସିଡିଆର୍!
ଭୁବନେଶ୍ବର: ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରେ ଭରତପୁର ଥାନା ଖଣ୍ଡଗିରିବାରି ବସ୍ତିରେ ଶଯ୍ୟାଶାୟୀ ବୃଦ୍ଧା ମଦା ପଲେଇଙ୍କ ହତ୍ୟା ମାମଲାକୁ ଦୁଇ ଦିନ ବିତିଗଲାଣି। ଅଥଚ ପୁଲିସ ନା ହତ୍ୟାକାରୀକୁ ଠାବ କରିପାରିଛି ନା ହତ୍ୟାକାଣ୍ଡ ପଛର ରହସ୍ୟ ଭେଦ କରିପାରିଛି। ଏଣେ ହତ୍ୟାକାରୀ ହାତରୁ ବର୍ତ୍ତି ଯାଇଥିବା ମଦାଙ୍କ ବଡ଼ ବୋହୂ ବୈଶାଖୀ ଏବେ ବି ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ତେଣୁ ପୁଲିସ ତାଙ୍କୁ ପଚରାଉଚରା କରିପାରିନାହିଁ। ଶାଶୁ ମଦାଙ୍କୁ ଆକ୍ରମଣ ହେବା ବେଳେ ସେ ମଧ୍ୟ ଆହତ ହୋଇଛନ୍ତି। ସେ ହିଁ ଘଟଣାର ଜଣେ ମାତ୍ର ପ୍ରତ୍ୟକ୍ଷଦର୍ଶୀ। ତେଣୁ ସୁସ୍ଥ ହେବା ପରେ ବୋହୂ ବୈଶାଖୀ ହିଁ ସେହି ବୀଭତ୍ସ ହତ୍ୟାକାଣ୍ଡ ସମୟର କଥା କହିପାରିବେ ବୋଲି ପୁଲିସ ଅପେକ୍ଷା କରିବସିଛି। ସେ ସୁସ୍ଥ ଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ଏବଂ ଖୁବ ଶୀଘ୍ର ତାଙ୍କୁ ଡିସ୍ଚାର୍ଜ କରାଯିବ ବୋଲି ଜଣାପଡ଼ିଛି।
ଭରତପୁର ଥାନା ପୁଲିସ ସୂଚନାନୁସାରେ ବୈଶାଖୀଙ୍କ ସୁସ୍ଥ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲେ ବି ଭିନ୍ନ ରାସ୍ତାରେ ତଦନ୍ତ ଚାଲିଛି। ବିଶେଷକରି ଜୁଲାଇ ୧ ତାରିଖରେ ଗଞ୍ଜାମ ବେଲଗୁଣ୍ଠାରେ ମୃତା ମଦାଙ୍କ ଘରେ ହୋଇଥିବା ଲୁଟ୍ପାଟ ଘଟଣାକୁ ନେଇ ଛାନ୍ଭିନ ଚାଲିଛି। ବେଲଗୁଣ୍ଠା ଥାନା ପୁଲିସଠାରୁ ସେଦିନର କେସ୍ ହିଷ୍ଟ୍ରି ଅଣାଯାଇଛି। ବେଲଗୁଣ୍ଠା ଥାନା ପୁଲିସ ଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତର ବୟାନକୁ ସଂଗ୍ରହ କରାଯାଇଛି। ବଡ଼ କଥା ହେଉଛି, ସେଦିନ ଘଟଣାରେ କୌଣସି ଲୁଟେରା ଗ୍ୟାଙ୍ଗ୍ର ସମ୍ପୃକ୍ତି ନଥିଲା, କେବଳ ଗିରଫ ହୋଇଥିବା ଅଭିଯୁକ୍ତ ହିଁ ଥିଲା। ଏବେ ସେ ଜେଲ୍ରେ ଅଛି। ତେଣୁ ସେ ମଦାଙ୍କ ହତ୍ୟାକାରୀ ନୁହେଁ, ଏହା ନିଶ୍ଚିତ। ହୁଏତ ସେ କୌଣସି ସହଯୋଗୀ ଜରିଆରେ ମଦାଙ୍କୁ ହତ୍ୟା କରିଥିବା କଥାକୁ ଏଡ଼ାଇ ଦିଆଯାଇନପାରେ। ତେବେ ସବୁଠି ଏବେ ଗୋଟିଏ ସନ୍ଦେହ ବୋହୂ ବୈଶାଖୀ ବର୍ତ୍ତିଲେ କେମିତି। ହତ୍ୟାକାରୀ କେବଳ ବୃଦ୍ଧା ମଦାଙ୍କୁ ଟାର୍ଗେଟ୍ କଲା କାହିଁକି? ବୃଦ୍ଧା ମଦା ଏମିତି କି ଗୁମର ଜାଣିଥିଲେ ଯେ ତାଙ୍କୁ ବେଲଗୁଣ୍ଠାରୁ ଗୋଡ଼ାଇ ଗୋଡ଼ାଇ ଭୁବନେଶ୍ବରରେ ହତ୍ୟା କଲା? ପୁଣି ହତ୍ୟାକାରୀ କେମିତି ଜାଣିଲା ଯେ ମଦାଙ୍କ ସାନ ପୁଅ ମଣ୍ଟୁ ଠିକ୍ ସେତିକିବେଳେ ଘରେ ନଥିଲା? ଏସବୁ ରହସ୍ୟକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।
ତେଣୁ ଜୁଲାଇ ୧ ତାରିଖ ପରଠୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ପୁଲିସ ବୈଶାଖୀଙ୍କ ସିଡିଆର୍ ରିପୋର୍ଟ ଯାଞ୍ଚ କରୁଛି। ପୁଲିସ କେତେକ ନମ୍ବରକୁ ସନ୍ଦେହ କରି ତଦନ୍ତ ଆଗକୁ ନେଉଛି। ଏହାଛଡ଼ା ବୈଶାଖୀଙ୍କ ହ୍ବାଟସ୍ଆପ୍ରୁ ମଧ୍ୟ ପୁଲିସ ଅନେକ ତଥ୍ୟ ହାତେଇଛି। ଏହା ଭିତରେ ପୁଲିସ ମଧ୍ୟ ବସ୍ତିର କିଛି ପଡ଼ୋଶୀ, ମଦାଙ୍କ ସାନ ପୁଅ ମଣ୍ଟୁର ବୟାନ ରେକର୍ଡ କରିଛି। ଖୁବ ଶୀଘ୍ର ହତ୍ୟା ପଛର ଗୁମର ଖୋଲିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ୧୫ ତାରିଖ ରାତି ପାଖାପାଖି ସାଢ଼େ ୭ଟା ସମୟରେ ବୃଦ୍ଧା ମଦା ଓ ତାଙ୍କ ବୋହୂ ବୈଶାଖୀଙ୍କୁ କେହି ଦୁର୍ବୃତ୍ତ ଆକ୍ରମଣ କରିଥିଲା। ସପ୍ତାହକ ପୂର୍ବରୁ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ଶଯ୍ୟାଶାୟୀ ଥିବା ବୃଦ୍ଧା ମଦାଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିବା ସହ ବୋହୂ ବୈଶାଖୀଙ୍କ ତଣ୍ଟିକୁ ଓଢ଼ଣିରେ ଚିପି ସଂଜ୍ଞାହୀନ କରିଥିଲା।
[ad_2]