ଡ୍ରଗ୍ସ କାରବାର ପଛରେ ତାମିଲ ଚଳଚ୍ଚିତ୍ର ନିର୍ମାତା: ୪ ଦେଶ, ୩ ହଜାର କୋଟି – bajravana
[ad_1]
ନୂଆଦିଲ୍ଲୀ: ପ୍ରାୟ ୩ ହଜାର କୋଟି ଟଙ୍କାର ନିଷିଦ୍ଧ ଡ୍ରଗ୍ସର କାରବାର। ଭାରତ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ମାଲେସିଆ ଆଦି ୪ ଦେଶରେ କାରବାରର ନେଟ୍ୱର୍କ। ଅନେକ ବର୍ଷ ଧରି ଏହି କାରବାର ଚାଲିଥିଲା। ଛତୁଆ ଗୁଣ୍ଡ, ନଡ଼ିଆ ଗୁଣ୍ଡ ଭିତରେ ଡ୍ରଗ୍ସ ରଖାଯାଇ ପଠାଯାଉଥିଲା। ଏଭଳି ଏକ ବିରାଟ ଡ୍ରଗ୍ସ କାରବାରର କିଙ୍ଗ୍ପିନ୍ ତାମିଲ ଚଳଚ୍ଚିତ୍ରର ଜଣେ ଜଣାଶୁଣା ନିର୍ମାତା। ବର୍ତ୍ତମାନ ସେ ଫେରାର୍। ଏଭଳି ଏକ ଚାଞ୍ଚଲ୍ୟକର ମାମଲା ଉପରୁ ଦିଲ୍ଲୀ ପୁଲିସ ଓ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍ସିବି)ର ଯୁଗ୍ମ ଟିମ୍ ପରଦା ଉଠାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏନ୍ସିବିର ଡେପୁଟି ଡାଇରେକ୍ଟର ଜେନେରାଲ୍ ଜ୍ଞାନେଶ୍ବର ସିଂହ କହିଛନ୍ତି ଯେ ୪ ମାସ ପୂର୍ବେ ଅଷ୍ଟ୍ରେଲିଆ ଓ ମାଲେସିଆ ପୁଲିସ ପକ୍ଷରୁ ନିଷିଦ୍ଧ ସୁଡୋଏଫିଡ୍ରାଇନ୍ କାରବାର ନେଇ ସୂଚନା ମିଳିଥିଲା। ଏନେଇ ଗୁଇନ୍ଦା ବିଭାଗ, ଏନ୍ସିବି ଓ ଦିଲ୍ଲୀ ପୁଲିସର ମିଳିତ ପ୍ରଚେଷ୍ଟାରେ ଅନେକ ସ୍ଥାନରେ ତୀକ୍ଷଣ ଦୃଷ୍ଟି ରଖାଯାଇଥିଲା। ଶେଷରେ ଫେବ୍ରୁଆରୀ ୧୫ ତାରିଖରେ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ପଶ୍ଚିମ ଦିଲ୍ଳୀର ବସାଇ ଦାରାପୁର ଠାରେ ଥିବା ଏକ ଗୋଦାମରେ ଚଢ଼ଉ କରିଥିଲା। ମଲ୍ଟିଗ୍ରେନ୍ (ଏକାଧିକ ଶସ୍ୟ) ଚୁନାରେ ସୁଡୋଏଫିଡ୍ରାଇନ୍ (ଏକ ପ୍ରକାର ନିଷିଦ୍ଧ ଡ୍ରଗ୍ସ) ଭର୍ତି କରାଯାଉଥିବା ବେଳେ ପୁଲିସ ଧରିଥିଲା। ଏହି ସମୟରେ ୫୦ କିଲୋଗ୍ରାମ ଡ୍ରଗ୍ସ ସହ ୩ଜଣ ତାମିଲ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ପରେ ସେମାନଙ୍କୁ ପଚରାଉଚୁରା ବେଳେ ଅନେକ ଚାଞ୍ଚଲ୍ୟକର କଥା ପଦାରେ ପଡ଼ିଥିଲା। ଗତ ତିନି ବର୍ଷ ମଧ୍ୟରେ ୩୫୦୦ କିଲୋଗ୍ରାମ ଓଜନର ୪୫ଟି କନ୍ସାଇନ୍ମେଣ୍ଟ ଅଷ୍ଟ୍ରେଲିଆ, ମାଲେସିଆ, ନ୍ୟୁଜିଲ୍ୟାଣ୍ଡ ଆଦି ଦେଶକୁ ପଠାଯାଇଛି।
ପଠାଯାଇଥିବା ସୁଡୋଏଫିଡ୍ରାଇନ୍ର ଆନୁମାନିକ ମୂଲ୍ୟ ୨ହଜାର କୋଟି ଟଙ୍କା ହେବ। ଭାରତରେ ଏହି ଡ୍ରଗ୍ସର ନିୟନ୍ତ୍ରିତ ବ୍ୟବହାର ରହିଛି। ବିନା ଅନୁମତିରେ ଏହାର କାରବାର କଲେ ୧୦ ବର୍ଷ ଜେଲ୍ ଓ ଜୋରିମାନା ଦଣ୍ଡ ପ୍ରାବଧାନ ରହିଛି। ଅଷ୍ଟ୍ରେଲିଆ ଆଦି ଦେଶରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ଦେଢ଼ କୋଟି ଟଙ୍କା ରହିଛି। ଏହି ସମସ୍ତ କାରବାର ପଛରେ ତାମିଲ୍ ଫିଲ୍ମ ନିର୍ମାତା ଜଣକ ବର୍ତ୍ତମାନ ଫେରାର୍ ଅଛନ୍ତି। ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଏନ୍ସିବି ଡିଡିଜି ଶ୍ରୀ ସିଂହ କହିଛନ୍ତି।
[ad_2]