ଆମ ଘରର ହାଲଚାଲ: ଜନ୍ମଦିନର ଅନୁଚିନ୍ତା – bajravana
[ad_1]
ସତୁରି ପରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆଜି ଅନେକ କଥା ମନକୁ ଆସୁଛି। ସର୍ବପ୍ରଥମେ ମୁଁ ଈଶ୍ବରଙ୍କୁ ସ୍ମରଣ କରି କୃତଜ୍ଞତା ଜଣାଉଛି। ଈଶ୍ବରଙ୍କ ମନୋନୀତ ପ୍ରତିନିଧି ମୋ ପିତାମାତାଙ୍କୁ ମଧ୍ୟ ସ୍ମରଣ କରୁଛି। ସେମାନଙ୍କ ମାଧ୍ୟମରେ ଈଶ୍ବର ମତେ ଏ ଦୁନିଆକୁ ପଠାଇ ଯେଉଁ ଅନୁଭବର ଅଧିକାରୀ କରିଛନ୍ତି ତାହା ମୁଁ କେବେ ଭୁଲିପାରିବି ନାହିଁ। ମୋର ହେତୁ ହେଲାଦିନୁ ଈଶ୍ବରଙ୍କ ନିକଟରେ ମୁଁ ନିଜକୁ ସମର୍ପଣ କରିଛି ସତ କିନ୍ତୁ କେବେ କିଛି ମାଗି ପାରିନାହିଁ। ସବୁବେଳେ ମତେ ସଦ୍ବୁଦ୍ଧି ଦିଅନ୍ତୁ ବୋଲି କେବଳ ପ୍ରାର୍ଥନା କରିଛି। ଆଜି ୭୧ ବର୍ଷ ପରେ ସେ ବିଷୟରେ ଚିନ୍ତା କଲାବେଳେ ମୁଁ ଅନୁଭବ କରୁଛି ଈଶ୍ବର ତାଙ୍କ ତରଫରୁ ମୋ ପାଇଁ କୌଣସି କଥାରେ ଊଣା କରିନାହାନ୍ତି। ମଧ୍ୟବିତ୍ତ ଯୌଥ ପରିବାରର ସମସ୍ତ ସ୍ନେହଶ୍ରଦ୍ଧା ଦିଆଇଛନ୍ତି। ଆମ ପ୍ରଦେଶ, ଦେଶ ଓ ବିଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ଶିକ୍ଷାଲାଭ କରିବାର ସୁଯୋଗ ଦେଇଛନ୍ତି। ବୃତ୍ତିଗତ ଜୀବନରେ ଯେଉଁ କଥା ଯେତେବେଳେ କରିବାକୁ ଚାହିଁଲି, ତାହା ମଧ୍ୟ କରିବା ପାଇଁ କେବଳ ସୁଯୋଗ ଦେଲେନାହିଁ, ଅନେକ ସଫଳତାର ଅଧିକାରୀ ମଧ୍ୟ କଲେ। ପରବର୍ତ୍ତୀ ସମୟରେ ରାଜନୀତିରେ ପ୍ରବେଶ କରିବା ପାଇଁ ସୁଯୋଗ ଦେଇ ଏହାର ବିବିଧତା ସହିତ ପରିଚିତ ମଧ୍ୟ କରାଇଲେ। ମୋ ଭଳି ଗୋଟିଏ ଜୀବନ କିନ୍ତୁ ଅନେକ ଜୀବିକାକୁ ନେଇ ଜିଇଁବାର ଅଭିନବ ଅନୁଭବର ଅଧିକାରୀ ବହୁତ କମ୍ ଲୋକ ହୋଇଥିବେ। ବିଭିନ୍ନ ଭୂମିକାରେ ରହି ଦାୟିତ୍ବ ନିର୍ବାହ କରିବା ବେଳେ ଅନେକ ସମୟରେ ଦ୍ବନ୍ଦ୍ବର ସମ୍ମୁଖୀନ ହେବାକୁ ପଡ଼େ। ଆଜି ଶୁଭେଚ୍ଛୁ ବନ୍ଧୁ, ସାଥୀ ସହଯୋଗୀ ଓ ସହକର୍ମୀମାନଙ୍କର ଜନ୍ମଦିନର ଶୁଭେଚ୍ଛା ମୋତେ ଯେତିକି ଆନନ୍ଦିତ ଓ ଉତ୍ସାହିତ କରୁଛି, ଭିନ୍ନ ଏକ କଥା ତା’ଠାରୁ ଅଧିକ ଆନ୍ଦୋଳିତ କରୁଛି। ଆଜିକାଲି ଜନ୍ମଦିନ ଉତ୍ସବରେ ଉପହାରଟିଏ ନେଇ ଆସିଥିବା ବ୍ୟକ୍ତିଙ୍କୁ ଫେରିଲା ବେଳେ ଏକ ବଦଳ ଉପହାର ମିଳିବା ଏକରକମ ପରମ୍ପରା ହୋଇଗଲାଣି। ଗୁରୁଜନଙ୍କର ଆଶୀର୍ବାଦ ଏବ˚ ବନ୍ଧୁମାନଙ୍କର ଶୁଭେଚ୍ଛା ଉତ୍ତରରେ ମୁଁ କି ବଦଳ ଉପହାର ଦେବି ତାହା ହିଁ ମୋତେ ଆଜି ଦ୍ବନ୍ଦ୍ବରେ ପକାଉଛି।
ଅତୀତରେ ଏ ସମ୍ପର୍କରେ ଉଲ୍ଲେଖ କରି ଏହି ସ୍ତମ୍ଭରେ ‘ବୃତ୍ତି, ପାର୍ଟି ଓ ମାଟି’ର ଶୀର୍ଷକରେ ଏକ ଆଲୋଚନା ରଖିଥିଲି। ଆଜି ତାହା ମୋତେ ଅଧିକ ପ୍ରାସଙ୍ଗିକ ମନେ ହେଉଛି। ଗଣମାଧ୍ୟମର ବ୍ୟକ୍ତି ହିସାବରେ ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନର ପକ୍ଷଧର ହୋଇ ନିରପେକ୍ଷତାକୁ ତ୍ୟାଗ କରିଥିବା କଥା କହୁଛୁ। କିନ୍ତୁ ଅନେକ ସମୟରେ ବ୍ୟକ୍ତିଗତ ବ୍ୟାବସାୟିକ ସ୍ବାର୍ଥ ଆଗରେ ମୁଣ୍ତ ନୁଆଁଇବାକୁ ମଧ୍ୟ ବାଧ୍ୟ ହେଉଛୁ। ରାଜନୈତିକ ଦଳରେ ଥାଇ ଦଳର ସ୍ବାର୍ଥକୁ ଆଖିରେ ରଖି ଅନେକ ପ୍ରସଙ୍ଗରେ ନିରବ ରହିବାକୁ ଉଚିତ ମଣୁଛୁ। ସେହିପରି ଅନେକ ସମୟରେ ମାଟିର କଥାକୁ ଅଣଦେଖା କରି ବୃତ୍ତି ଓ ଦଳର ସ୍ବାର୍ଥକୁ ଅଗ୍ରାଧିକାର ଦେବାର ନଜିର ମଧ୍ୟ ରହୁଛି।
ଓଡ଼ିଶାର ସା˚ପ୍ରତିକ ପରିସ୍ଥିତିରେ ଏସବୁକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲେ ମଧ୍ୟ ତାହାର ଠିକ୍ ଉତ୍ତର ଦେବା ପାଇଁ ଆମର ସାହସ କୁଳଉନାହିଁ। କିଛି ମାସ ତଳେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦେଖାଦେଇଥିବା ରୂପାନ୍ତରୀକରଣକୁ ନେଇ ଗୋଟିଏ ମୌଳିକ ପ୍ରଶ୍ନ ଉଠାଇଥିଲୁ, ‘ଆମ ବ୍ୟବସ୍ଥାରେ ମନ୍ତ୍ରୀ ବଡ଼ କି ସଚିବ ବଡ଼’। ଏହାର ଯେଉଁ ଉତ୍ତର ବା ପ୍ରତିକ୍ରିୟା ଆମେ ପାଇଲୁ ତାହା ଆମ ଦ୍ବନ୍ଦ୍ବକୁ ଆହୁରି ଅଧିକ ବଢ଼ାଇ ଦେଇଛି। ଫାଇଭ୍-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏହାର ଉତ୍ତର ଦେବାକୁ ଯାଇ ତାଙ୍କର ଏକ ଅଡିଓ ବାର୍ତ୍ତା ତାଙ୍କ ମୋବାଇଲ୍ରୁ ମାଇକ୍ ଲଗାଇ ଆମ ସମସ୍ତଙ୍କୁ ଶୁଣାଇଲେ। ଏହା ପ୍ରଶ୍ନର ଉତ୍ତର ଅପେକ୍ଷା ଆମକୁ ଅଧିକ ଆମୋଦିତ କଲା। ମୋର ମନେହେଲା ସତେ ଯେପରି ମା’ ମାଟି ମାତୃଭାଷା, ମୋବାଇଲ ଓ ମଦମୁକ୍ତ ଓଡ଼ିଶାର ପାଞ୍ଚଟି ‘ମ’ କଥାକୁ ସଚିବ ମହୋଦୟ ଅତ୍ୟନ୍ତ ଗୁରୁତ୍ବ ସହକାରେ ଗ୍ରହଣ କରିନେଇଛନ୍ତି। ଅଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କାଳେ କହୁଛନ୍ତି ଯେ ସେ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ଆମର ସୁଖଦୁଃଖ ବୁଝିବା ପାଇଁ ପଠାଇଛନ୍ତି। ଭଲ କଥା। ଶାସନ ମୁଖ୍ୟଙ୍କର ସାଧାରଣ ଜନତାଙ୍କର ସୁଖଦୁଃଖ ବୁଝିବାର ଏହି ଅଭିନବ ଉପାୟ ପାଇଁ କାହାକୁ ଧନ୍ୟବାଦ ଦେବା? ଏହା ଆହୁରି ଅନେକଗୁଡ଼ିଏ ମୌଳିକ ପ୍ରଶ୍ନ ଉଠାଉଛି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ସାରା ଓଡ଼ିଶାକୁ ହେଲିକପ୍ଟରରେ ବୁଲି ସାଧାରଣ ଜନତାଙ୍କ ସହିତ ସାକ୍ଷାତ କରୁଛନ୍ତି ଏବ˚ ସେମାନଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରୁଛନ୍ତି।
ଏହି ପ୍ରାୟୋଜିତ କାର୍ଯ୍ୟକ୍ରମରେ କେତେ ପଇସା ଖର୍ଚ୍ଚ ହେଉଛି ତାହାର ହିସାବ କାହା ପାଖରେ ନାହିଁ। ସଚିବଙ୍କର ଓଡ଼ିଶା ଗସ୍ତ ସମ୍ପୂର୍ଣ୍ଣ ହେଲାବେଳକୁ ପ୍ରାୟ ୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବ ବୋଲି ଆନୁମାନିକ ଆକଳନରୁ ଜଣାପଡ଼ିଛି। ଆମ ବ୍ୟବସ୍ଥାରେ ସାଧାରଣ ନାଗରିକଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିବା ପାଇଁ ଜିଲ୍ଲାପାଳମାନଙ୍କ ସ୍ତରରେ ସୁଯୋଗ ରହିଛି। ସେଥିପାଇଁ ଅଧିକ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି କାହା ପାଇଁ? ଏ ପ୍ରକ୍ରିୟାରେ ବିଜୁ ଜନତା ଦଳର ଭୂମିକାକୁ ନେଇ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉଠୁଛି। ‘ମନ୍ତ୍ରୀ ବଡ଼ ନା ସଚିବ ବଡ଼’ ପ୍ରସଙ୍ଗରେ ବିଜୁ ଜନତା ଦଳର ଅନେକ ବରିଷ୍ଠ ନେତା ଆମର ଏପ୍ରକାର ପ୍ରଶ୍ନ ପଚାରିବା କଥାକୁ ନାପସନ୍ଦ କରିଥିଲେ। ଏହା ଏବେ ସବୁଆଡ଼େ ହେଲାଣି ବୋଲି କହି ଚଳେଇନେବାକୁ ଚେଷ୍ଟା କରିଥିଲେ। ମୋତେ ସେତେବେଳେ ଏହା କିଛି ପରିମାଣରେ ବ୍ୟଥିତ କରିଥିଲା। ପରବର୍ତ୍ତୀ ସମୟରେ ମୁଁ ଯେତେବେଳେ ଦେଖିଲି ଯେ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କର ଏହି ଗସ୍ତ ସମୂହର ପ୍ରସ୍ତୁତି ଓ ବ୍ୟବସ୍ଥା ପାଇଁ ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀମାନେ ଦିନରାତିକୁ କେବଳ ଏକ୍ କରି ଦେଉନାହାନ୍ତି, ବର୍ଷାରେ ଛତାଧରି ସାହେବଙ୍କ ଗସ୍ତକୁ ସଫଳ କରିବା ପାଇଁ ତମ୍ବୁ ପକାଇବାକୁ ଗାତ ଖୋଳୁଛନ୍ତି; ମୋର ବ୍ୟଥା ସମ୍ପୂର୍ଣ୍ଣ ଉପଶମ ହୋଇଗଲା। ବରିଷ୍ଠ ବିଜେଡି ନେତାମାନଙ୍କର ବକ୍ତବ୍ୟ ଆଉ ଗୋଟିଏ ସମସ୍ୟା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛି। ବିଜୁ ଜନତା ଦଳର ସର୍ବଶ୍ରେଷ୍ଠ ସମ୍ପତ୍ତି ହେଲେ ନବୀନ ପଟ୍ଟନାୟକ। ସେ ଯାଇପାରୁ ନାହାନ୍ତି ବୋଲି ତାଙ୍କର ଭିଡିଓ ବାର୍ତ୍ତା ମାଧ୍ୟମରେ ତାଙ୍କର ବ୍ୟକ୍ତିଗତ ସଚିବଙ୍କ ଦ୍ବାରା ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଏଭଳି ପ୍ରଚାରର ଉଦ୍ଦେଶ୍ୟ କଣ? ଅତୀତରେ ରାଜା ମହାରାଜାମାନେ ଲୋକଙ୍କର ସୁଖଦୁଃଖ ବୁଝିବା ପାଇଁ ଅନ୍ଧାରୀ ବିଜେ କରୁଥିଲେ। କିନ୍ତୁ ଏବେ ସମ୍ପୂର୍ଣ୍ଣ ଦିବାଲୋକରେ ଆଡ଼ମ୍ବରପୂର୍ଣ୍ଣ ବ୍ୟବସ୍ଥାରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବିଜ୍ଞପିତ କରିବା ପଛରେ କଣ ଉଦ୍ଦେଶ୍ୟ ଥାଇପାରେ? ବିଜୁ ଜନତା ଦଳରେ ଯୋଗ ଦେଲାବେଳେ ମୋତେ ଗୋଟିଏ ବାକ୍ୟ ଗଭୀର ଭାବେ ପ୍ରଭାବିତ କରିଥିଲା, ‘ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ବଳ’। ତେବେ ବର୍ତ୍ତମାନ ବିଜୁ ଜନତା ଦଳ କ’ଣ ଏତେ ଦୁର୍ବଳ ହେଲାଣି ଯେ, ତାର ମୂଲ୍ୟବାନ ସମ୍ପତ୍ତିକୁ ଏଭଳି କାର୍ଯ୍ୟକ୍ରମରେ ବାଜି ଲଗାଇବା ପାଇଁ ବାଧ୍ୟ େହଉଛି। ନବୀନଙ୍କ ବ୍ୟକ୍ତିତ୍ବ ଏବଂ ମହିଳାଙ୍କ ପ୍ରତି ସମ୍ମାନ ଆଜି ତାଙ୍କୁ ସାରା ଭାରତରେ ଏକ ଅନନ୍ୟ ନେତା ହିସାବରେ ଗ୍ରହଣୀୟ କରିଥିବା ବେଳେ ମଣିପୁର ପ୍ରସଙ୍ଗରେ ଆମେ ଗୋଟିଏ ବି ପଦ କହିପାରିଲେ ନାହିଁ। ଅନ୍ୟସବୁ ଜାତୀୟ ପ୍ରସଙ୍ଗରେ ସମଦୂରତ୍ବ ବଦଳରେ ନିରବତାକୁ ଅଧିକ ପସନ୍ଦ କଲୁ।
ଶେଷରେ ମାଟିର କଥା। ‘ମନ୍ତ୍ରୀ ବଡ଼ କି ସଚିବ ବଡ଼’ ପ୍ରଶ୍ନର ଉତ୍ତର ଯାହା ହେଇଥାଉନା କାହିଁକି ‘ପାର୍ଟି ବଡ଼ କି ମାଟି ବଡ଼’ ନିଶ୍ଚିତ ଭାବରେ ଅଧିକ ପ୍ରାସଙ୍ଗିକ। ଏହାର ଉତ୍ତର ମୋର ସାଥୀ ବିଜେଡିର ବନ୍ଧୁମାନେ କିପରି ଦେବେ ମୁଁ ଜାଣେନାହିଁ। ଅନେକଙ୍କ ମତରେ ପାର୍ଟି ରହିଲେ ସିନା ମାଟି ରହିବ! କିନ୍ତୁ ମୋ ବିଚାରରେ ମାଟି ଓ ପାର୍ଟିର ଦ୍ବନ୍ଦ୍ବ ହେଲେ ମାଟି ହିଁ ସବୁବେଳେ ଜିତିବ। ଆଜି ଆମେ କିନ୍ତୁ ନିର୍ବାଚନ ସର୍ବସ୍ବ ରାଜନୈତିକ ବ୍ୟବସ୍ଥାରେ ଆଗାମୀ ନିର୍ବାଚନକୁ ଏକମାତ୍ର ଲକ୍ଷ୍ୟ ଭାବେ ଗ୍ରହଣ କରି ମାଟିର ସ୍ବାର୍ଥକୁ ଅଣଦେଖା କରୁଛୁ। ଓଡ଼ିଶାର ଜଳ, ଜମି, ଜଙ୍ଗଲ ଓ ଶକ୍ତି, ଶିକ୍ଷା, ସ୍ବାସ୍ଥ୍ୟ କଥା ବିଚାର କଲେ ସବୁ କ୍ଷେତ୍ରରେ ଆମର ଉତ୍କଳ ଜନନୀ ଆଜି ଅବହେଳିତ ଓ ଲୁଣ୍ଠିତ ହେଲାଭଳି ମନେ ହେଉଛନ୍ତି। ଏ ବିଷୟରେ ଆଲୋଚନା କରିବାକୁ କେହି ପ୍ରସ୍ତୁତ ନୁହନ୍ତି। ବର୍ତ୍ତମାନର ଅନୁକୂଳ ଆର୍ଥିକ ପରିସ୍ଥିତିକୁ ଦେଖି ଆମେ ଆହ୍ଲାଦିତ ହେଉଛୁ ଏବ˚ ଭାବୁଛୁ ଏ ଅବସ୍ଥା ସବୁକାଳ ପାଇଁ ରହିବ।
ଓଡ଼ିଶାର ଜନସାଧାରଣ ଆମକୁ ଏକ ପ୍ରମୁଖ ଗଣମାଧ୍ୟମ ଅନୁଷ୍ଠାନ ଭାବରେ ବହୁ ବର୍ଷରୁ ସ୍ବୀକୃତି ଦେଇଛନ୍ତି। ଏବେ ମଧ୍ୟ ତାହା ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଅତୁଟ ରହିଛି। ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କର ଏକ ଭରସାର ଦଳ ଏକଥା ଆମର ବିରୋଧୀମାନେ ସୁଦ୍ଧା ସ୍ବୀକାର କରୁଛନ୍ତି। ଆଜିର ଜନ୍ମଦିନ ଅବସରରେ ଯେଉଁ ବଦଳ ଉପହାର କଥା କହୁଥିଲି ମାଟିର ସ୍ବାର୍ଥକୁ ଅଗ୍ରାଧିକାର ଦେଇ ବୃତ୍ତିର କୌଳୀନ୍ୟକୁ ସଙ୍କୁଚିତ ନ କରି ବିଜୁ ଜନତା ଦଳର ଶକ୍ତି ଏବ˚ ସାମର୍ଥ୍ୟ କିପରି ବଢ଼ିପାରିବ ତାହା ହିଁ ଆମ ସମସ୍ତଙ୍କର କାମ୍ୟ ହେବା ଉଚିତ। ଏହାର ସମନ୍ବୟ ନ ହୋଇପାରିଲେ ପ୍ରତ୍ୟେକ ମାଟିମନସ୍କ ବ୍ୟକ୍ତିକୁ କିଛି ନା କିଛି ତ୍ୟାଗ କରିବା ପାଇଁ ପ୍ରସ୍ତୁତ ହେବା ଦରକାର। ‘ପାର୍ଟି ବଡ଼ ନା ମାଟି ବଡ଼’ ଏକ ପ୍ରଶ୍ନ ନୁହେଁ। ବର˚ ‘ପାର୍ଟି ବଡ଼ ନୁହେଁ ମାଟି ବଡ଼’ ଆମ ପାଇଁ ଏକ ଆପ୍ତବାକ୍ୟ ହେବା ଉଚିତ। ମାଟିର ଟେକ ରଖିବା ପାଇଁ ପାର୍ଟି ସବୁବେଳେ ପ୍ରସ୍ତୁତ ରହିବା ଆବଶ୍ୟକ। ସେଥିପାଇଁ ଯେତେ ମୂଲ୍ୟ ଦେବାକୁ ପଡ଼ିଲେ ମଧ୍ୟ ସଙ୍କୋଚ କରିବା ଉଚିତ ନୁହେଁ। ବିଜୁ ଜନତା ଦଳ ଏତେ ଦୁର୍ବଳ ନୁହେଁ ଯେ ସେ ତାର ସବୁଠାରୁ ମୂଲ୍ୟବାନ ସମ୍ପତ୍ତିକୁ ସୁନା ଓ କ˚ସା ବିକିଲା ଭଳି ବାଜିରେ ଲଗାଇବ।
[ad_2]