ଭିଏଚପି ପାଇଁ ବିପଦରେ ଗହୀରମଥାର ଅଲିଭରିଡେଲ କଇଁଛ, ନିରବ ଦ୍ରଷ୍ଟା ପାଲଟିଛନ୍ତି ବନ ବିଭାଗ
କେନ୍ଦ୍ରାପଡା: ହ୍ୟାଲୋ, ଆମ ଟିମ୍ ଏବେ ଗହୀରମାଥା ପେଟ୍ରୋଲିଙ୍ଗରେ ବାହାରିବ, ତୁମ ଲୋକଙ୍କୁ କହିଦିଅ, ଆମେ ଯିବା ପୂର୍ବରୁ ସେଠାରୁ ବାହାରିଯିବେ । ଆମକୁ ପାଖା ପାଖି ୪୫ ମିନିଟି ସମୟ ଲାଗିବ ଶୀଘ୍ର ସୂଚନା ଦେଇଦିଅ ରହୁଛି । ତା,ପରେ ବୋଟ ଡ୍ରାଇଭରଙ୍କ ପାଖକୁ ଘରୁ ଯାଉଛି ଫୋନ କଲ… ହେଇଟି ଶୁଣୁଛ ବନ ବିଭାଗର ପେଟ୍ରୋଲିଙ୍ଗ ବାହାରିଲା ତୁମେ ଜାଲ ଉଠାଇ ଶୀଘ୍ର ନିଷିଦ୍ଧାଞ୍ଚଳ ଛାଡ଼ି ଦିଅ । ଏଭଳି ଭିଏଚଏଫ ଲାଗିଥିବା ଘରୁ ଯାଉଛି ସମୁଦ୍ର ମଧ୍ୟକୁ ବେତାର କଲ । ବନ ବିଭାଗ ଗହୀରମଥା ନିଶିଧାଞ୍ଚଳରେ ପହଞ୍ଚିବା ପୂର୍ବରୁ ମାଛ ମାରି ଫେରାର ହୋଇଯାଉଛି ଟ୍ରଲର ।
ହାତ ଗଣତି ଗୋଟେ ଦିଟା ଟ୍ରଲରକୁ କାବୁ କରୁଛି ବିଭାଗ ନହେଲେ ସବୁବେଳେ ଫେରୁଛି ଖାଲି ହାତରେ । ନିଶିଧାଞ୍ଚଳରେ ବେଆଇନ ଭାବେ ବଡ଼ ବଡ଼ ଟ୍ରଲର ପ୍ରବେଶ କରି ମାଛ ମାରିବା ଦ୍ୱାରା ଅଲିଭରିଡଲେ କଇଁଛ ମୃତ୍ୟୁ ମୁଖରେ ପଡୁଛନ୍ତି ଯାହାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଗହୀର ମଥା ରେଞ୍ଜ ଅଧିନ ଶାସନୀପେଚା କାର୍ଯ୍ୟାଳୟ ନିକଟ ଆଖପାଖ ଗାଁ ଗୁଡିକରେ ଅନେକ ମତ୍ସ୍ୟଜୀବିଙ୍କ ଛାତରେ ଲାଗିଛି ଭିଏଚଏଫ ଅର୍ଥାତ ଭେରୀ ହାଇ ଫିକ୍ୟୁଏନସି ଟାଓ୍ବାର । ଗୋଟିଏ କି ଦୁଇଟି ନୁହେଁ, ୩୦ ରୁ ଉର୍ଦ୍ଧ ଭିଏଚଏଫ ଲଗାଇ ଗୁପ୍ତରେ ଚାଲିଛି ବାର୍ତ୍ତାଳପ ।
ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ତନ୍ତୀଆପାଳ ସାମୁଦ୍ରିକ ଥାନା ଅଧୀନ ରଟପଙ୍ଗ ତନ୍ତୀଆପାଳ ସୁନିତୀ ଆଦି ଗାଁ ଗୁଡିକର । କାହିଁକି ଲାଗିଛି ଏ ବେତାର ଯନ୍ତ୍ର, କିଏ ଦେଇଛି ଅନୁମତି ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚା ଜୋର ଧରିଛି । କାହିଁକି ସାମୁଦ୍ରିକ ଥାନା ଓ ବନ ବିଭାଗ ନିରବ ଦ୍ରଷ୍ଟା ପାଲଟିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ବିଦେଶାଗତ ଅତିଥି ଅଲିଭ ରିଡଲେ କଇଁଛ ସାମୁହିକ ଅଣ୍ଡାଦାନ ପାଇଁ ଆସନ୍ତି ।
ଏହି କଇଁଛଙ୍କ ସୁରକ୍ଷା ପାଇଁ ତଟରକ୍ଷୀ ବାହିନୀ, ବନବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭଗ ସୁରକ୍ଷା ଦେବା ସହ ସଚେତନତା କରାଇଥନ୍ତି । ମାତ୍ର ତ୍ରିସ୍ତରୀୟ ସୁରକ୍ଷାକୁ ଭେଦ କରି ବଡ଼ ବଡ଼ ଟ୍ରଲର ନିଶିଧାଞ୍ଚଳରେ ପ୍ରବେଶ କରି ମାଛ ମାରୁଛନ୍ତି । ମାଛ ଧରିବା ପାଇଁ ବ୍ୟବହାର କରୁଥିବା ଗାଞ୍ଜ ଜାଲରେ ପଡ଼ି ଅକାଳରେ ଅଲିଭରିଡଲେଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଯାହାଫଳରେ ଅଲିଭରିଡଲେଙ୍କ ଜୀବନ ଭିଏଚଏଫ ଟାଓ୍ବାର ପାଇଁ ବିପଦ ସୃଷ୍ଟି କରିଛି ବୋଲି ଅଭିଯୋଗ ହୋଇଛି । ଯେଉଁ ବେତାର ଯନ୍ତ୍ର ତଟରକ୍ଷୀ ବାହିନୀ ଓ ବନବିଭାଗଙ୍କ ପାଖରେ ରହିବା କଥା ତାହା ଏବେ ମତ୍ସ୍ୟଜୀବିଙ୍କ ଘରେ ଲାଗିଛି ।
ବୋଟ ଡ୍ରାଇଭରଙ୍କୁ ଟ୍ରଲର ମାଲିକମାନେ ବହୁ ମୂଲ୍ୟର ଉଚ୍ଚ କ୍ଷମତା ସମ୍ପନ୍ନ ବେତାର ଯନ୍ତ୍ର ଯୋଗାଈ ଦେଉଛନ୍ତି । ଯାହା ଫଳରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଛ ମାରି ଅତି ଚତୁରତାର ସହ ଖସି ଆସୁଛନ୍ତି ମତ୍ସଜୀବି । ତେଣୁ ସାମୁଦ୍ରିକ ଥାନା ଓ ବନବିଭାଗ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏ ନେଇ ବନବିଭାଗକୁ ପଚାରିବାରୁ ଆଇନର ଆଶ୍ରୟ ନେଇ ବେଆଇନ ଭିଏଚଏଫ ଟାଓ୍ବାରକୁ ଉଛେଦ କରାଯିବ ବୋଲି ସେମାନେ କହିଛନ୍ତି । କେବେ ଏଭଳି ବେଆଇନ ଭାବେ ମାଛ ଧରା ବନ୍ଦ ହେବ ଏବଂ ବିଦେଶାଗତ ଅତିଥି ଅଲିଭରିଡ଼ଲେ କଇଁଛଙ୍କୁ ସୁରକ୍ଷା ମିଳିବ ତାହା ଦେଖିବା ବାକି ରହିଲା ।