ରାଜନୀତି

କୋରାପୁଟରେ ପହଞ୍ଚିଲା ସହିଦ ଯବାନ ଈଶ୍ୱର ତଳିଆଙ୍କ ପାର୍ଥିବ ଶରୀର, ଈଶ୍ୱରଙ୍କୁ ଝୁରୁଛି ପୁରା ଗାଁ

ଜୟପୁର: ଭାରତ ମାତା କି ଜୟ, ସହିଦ ଈଶ୍ୱର ଅମର ରହେ ଅମର ରହେ ସ୍ୱରରେ ରାସ୍ଥାରୁ ଆରମ୍ଭ କରି ଗାଁ ଶ୍ମଶାନ ପର୍ଯ୍ୟନ୍ତ କମ୍ପି ଉଠିଥିଲା ସମଗ୍ର ଅଞ୍ଚଳ । ଛୁଆଠୁ ଆରମ୍ଭ କରି ବୟସ୍କ ବୃଦ୍ଧ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା । ସେପଟେ ଏକମାତ୍ର ରୋଜଗାରିଆ ଭେଣ୍ଡିଆ ଯବାନ ପୁଅକୁ ହରାଇ ପରିବାର ଯେତିକି ଭାଙ୍ଗି ପଡ଼ିଛି ସେତିକି ଗର୍ବ କରିଛନ୍ତି ସମ୍ପର୍କୀୟ । ବିରାଟ ଶୋଭାଯାତ୍ରାରେ ଶୋକାକୁଳ ପରିବେଶ ଭିତରେ କୋରାପୁଟରେ ପହଞ୍ଚିଥିଲା ସହିଦ ଯବାନଙ୍କ ପାର୍ଥିବ ଶରୀର ।

ତେବେ ଆମେ କହୁଛୁ ଟ୍ୟାଙ୍କ ଫାଇରିଙ୍ଗରେ ସହିଦ ହୋଇଯାଇଥିବା ସହିଦ ଯବାନ ଈଶ୍ୱର ତଲିଆଙ୍କ ବିଷୟରେ । ଗାଁରେ ଯବାନଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଲାମୀ ଦେଇ ମାଟିର ପୁଅକୁ ବିଦାୟ ଦେଇଥିଲେ ସମସ୍ତେ । ଏପଟେ ବାପକୁ ହରେଇ ଥିବା ଦୁଇ ଛୁଆଙ୍କୁ ଅନାଥ ଦେଖି ସ୍ତ୍ରୀ ଆଖିରୁ ଶୁଖୁନି ଲୁହ କିନ୍ତୁ ଶହୀଦ ସ୍ୱାମୀଙ୍କ ସନ୍ତକ ଜାତୀୟ ପତକାକୁ ଗ୍ରହଣ କରି ଲୁହଭିଜା ସଲାମୀ ଦେଇଛନ୍ତି ଇଶ୍ଵରଙ୍କ ସ୍ତ୍ରୀ । କୁନି କୁନି ଛୁଆ ଦିଟା ବାପାଙ୍କୁ ଶେଷ ଥର ଦେଖି ବି ପାରିଲେନି କି ଆଉ ବାପା ବୋଲି ଡାକିପାରିବେନି ।

ମୁଖାଗ୍ନି କ’ଣ ଜାଣିନଥିବା କୁନି ପୁଅଟି ନିଜ ବାପାକୁ ମୁଖାଗ୍ନୀ ଦେବା ବେଳେ ସମସ୍ତଙ୍କ ଆଖିରେ ଥିଲା ଲୁହ । ପୁରା ଗାଁରେ ଲୋକଙ୍କ ପ୍ରବଳ ଭିଡ଼ ସହ ମାଟିର ସହିଦ ପୁଅର ଶେଷ ଯାତ୍ରା ଦେଖିବାକୁ ସ୍ମଶାନ ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଜମିଥିଲା । ବରିଷ୍ଠ ପଦାଧିକାରୀ ଉପସ୍ଥିତ ରହି ଶହୀଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ନିଜ ମାଟିର ପୁଅକୁ ହରାଇ ଗୁମୁରି କାନ୍ଧୁଚି ବଡାଗୁଡା ଗାଁ । ହେଲେ ଏଇ ଗାଁ ମାଟିର ବଡ଼କଥା ହେଲା ଏଇ ଗାଁରୁ ଚାରି ଚାରି ଜଣ ଯବାନ ଦେଶ ସେବାରେ ନିୟୋଜିତ ।

ଜିଲ୍ଲାପାଳ କହିଛନ୍ତି ସହିଦଙ୍କ ପରିବାର ପ୍ରତି ସମ୍ମାନ ଓ ସହଯୋଗ ସବୁବେଳେ ରହିବ । ସେପଟେ ବିଧାୟକ କହିଛନ୍ତି ମୁଁ ଜଣେ ଯବାନ ଭାବେ ଗର୍ବିତ ଆଉ ପୁରା ଓଡିଶା ଓ ପୁରା ଦେଶ ସହିଦଙ୍କୁ ନେଇ ଗର୍ବ କରେ । ଅନ୍ୟପଟେ ସମ୍ପର୍କିୟ କହିଛନ୍ତି ଦୁଃଖ ଲାଗିଲେ ବି ଆମ ପୁଅର ଦେଶ ସେବାରେ ଜୀବନ ଯାଇଛି ତେଣୁ ସେ ଆମ ଗର୍ବ ଏବଂ ଗୌରବ । ଜାମୁକାଶ୍ମୀରରୁ ଯାଇ ରାଜସ୍ଥାନରେ ଟ୍ୟାଙ୍କ ଫାଇରିଙ୍ଗ ଅଭ୍ୟାସ ବେଳେ ଟ୍ୟାଙ୍କରୁ ବୋମା ବିସ୍ଫୋରଣ ହୋଇଥିଲା ଏବଂ ଏହି ବିସ୍ଫୋରଣରେ ଅନ୍ୟ ଦୁଇ ଜଣଙ୍କ ସମେତ ଓଡ଼ିଆ ଯବାନ ଈଶ୍ୱର ତଲିଆ ସହିଦ୍ ହୋଇଥିଲେ ।

ଈଶ୍ଵର ୨୦୧୧ରେ ଆର୍ମୀରେ ଯୋଗଦେଇଥିବା ବେଳେ ସେ ଜମ୍ମୁରେ ୪୬ ଆର୍ମୀ ଆରମୋଡ୍ ରେଜିମେଣ୍ଟରେ ଏଲ.ଡି ପଦବୀରେ କାର୍ଯ୍ୟରତ ଥିଲେ । ସେହି ଅଘଟଣରେ ଉତ୍ତରପ୍ରଦେଶର ଏସ୍.ଡି.ଏମ୍. ଆଶୁତୋଷ ମିଶ୍ର ଏବଂ ରାଜସ୍ଥାନର ଏଲ.ଡି. ଜିତେନ୍ଦ୍ର କୁମାର ମଧ୍ୟ ସହିଦ ହୋଇଥିଲେ । ଦେଶମାତୃକାର ସେବା କରିବାକୁ ଯାଇ ଆଜି ମାଟିର ପୁଅ ସହିଦ ହୋଇଥିବା ବେଳେ ପୁରା ଗାଁ ଝୁରୁଛି ଈଶ୍ୱରଙ୍କୁ ।

Related Articles

Leave a Reply

Your email address will not be published. Required fields are marked *

Back to top button