୫ ବର୍ଷ ହେଲା ୬୦ ପରିବାର ବାସନ୍ଦ: ୧୫ ମାମଲା ରୁଜୁ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ – bajravana
[ad_1]
ଗୋଳନ୍ଥରା: ୫ ବର୍ଷ ହେଲା ଗୋଳନ୍ଥରା ଥାନା ଅଧୀନ ଭାଲିଆଗଡ଼ ଗ୍ରାମର ୬୦ଟି ପରିବାର ଉପରୁ କୁଳ ସମାଜର ବାସନ୍ଦ ଆଦେଶ ଉଠୁନାହିଁ। ଏନେଇ ବାସନ୍ଦ ପରିବାର ଥାନାର ଦ୍ବାରସ୍ଥ ହୋଇଥିବା ସହ ୧୫ଟି ମାମଲା ରୁଜୁ ହୋଇଯାଇସାରିଥିଲେ ହେଁ, କୌଣସି ସୁଫଳ ମିଳୁନି। ଏଣୁ ପୁଲିସ ବିଭାଗ ଓ ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବିବାଦର ସମାଧାନ ଏବଂ ନ୍ୟାୟ ପ୍ରଦାନ ପାଇଁ ବାସନ୍ଦ ପରିବାର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିବେଦନ କରାଯାଇଛି। ନଚେତ୍ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
ଈଶାଣେଶ୍ବର ମନ୍ଦିର ପରିସରରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବାସନ୍ଦ ପରିବାରର ସଦସ୍ୟମାନେ କହିଛନ୍ତି, ୨୦୧୮ ମସିହାରେ ସାମାନ୍ୟ କଥାକୁ ନେଇ କୁଳ ସମାଜ ପକ୍ଷରୁ ଗାଁରେ ବୈଠକ ଡକାଯାଇଥିଲା। ଏମ୍.ମୋହନ ରାଓ ଓ ୱାଇ.ଗଣପତିଙ୍କ ଉପରେ ଜରିମାନା ହେବା ସହ ଏହାକୁ ପୈଠ କରିବାକୁ ତାଗିଦ୍ କରାଯାଇଥିଲା। କିନ୍ତୁ ଏଥିରେ ସେମାନେ ରାଜି ନ ହେବାରୁ ସେମାନଙ୍କୁ ଗାଁରୁ ବାସନ୍ଦ କରାଯାଇଥିଲା। କାଳକ୍ରମେ ବିଭିନ୍ନ ଆଳ ଦେଖାଇ ଗାଁର ପ୍ରାୟ ୬୦ ପରିବାର ସହ ଅନ୍ୟ ଅଞ୍ଚଳର ୧୬ ଖଣ୍ଡ ଗାଁରେ ବସବାସ କରୁଥିବା ପ୍ରାୟ ୪୦ ପରିବାରକୁ ମଧ୍ୟ ବାସନ୍ଦ କରାଯାଇଛି। ଫଳରେ ବିଭିନ୍ନ ସାମାଜିକ କ୍ଷେତ୍ରରେ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବାସନ୍ଦ ଆଦେଶ ହଟାଇବାକୁ ପୁଲିସ ବିଭାଗ ଓ ପ୍ରଶାସନର ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି ସେମାନଙ୍କୁ ନ୍ୟାୟ ମିଳୁନି। ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ବାସନ୍ଦ ପରିବାର ସଦସ୍ୟ ୱାଇ.ଗଣପତି, ଏ.ପାପାରାଓ, ଡି.ହେମ କୁମାର, ବି.ଦାମୋଦର, ଏ.ଲୋକନାଥ, ଏ.ବାଇରୀ, ଏମ୍.ବଲ୍ଲଭ ରାଓ, ଏମ୍.ଚଳପତି, ଏସ୍.ଦଣ୍ଡାସି, ଏମ୍.ବାବାରାଓ, ପି.ସୀମାଦ୍ରି, ଏମ୍.ବୁଦ୍ଧ, ଏ.ଇନ୍ଦିରା, ବି.ରବୀନ୍ଦ୍ର ଓ ଏମ୍. ମୋହନ ରାଓ ପ୍ରମୁଖ ନିବେଦନ କରିଛନ୍ତି। ବିବାଦର ସମାଧାନ ପାଇଁ ଆନ୍ତରିକତା ପ୍ରକାଶ ନ ପାଇଲେ ବାସନ୍ଦ ପରିବାର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
[ad_2]