ଓଡିଶା

କୋଟି କୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଛି ଛତୁ ୟୁନିଟ ପ୍ଲାଣ୍ଟ, ହେଲେ ହୋଇପାରୁ ନାହିଁ ସଦୁପଯୋଗ

ନୟାଗଡ଼: ଶିଳ୍ପ ବିହୀନ ନୟାଗଡ ଜିଲ୍ଲା । ଜିଲ୍ଲାବାସୀ ଚାଷ ଉପରେ ନିର୍ଭର କରନ୍ତି । ମହିଳାମାନେ ଚାଷ କାର୍ଯ୍ୟ କରି କିଭଳି ସେଥିରୁ ଅର୍ଥ ରୋଜଗାର କରିବେ ଅର୍ଥାତ ସ୍ୱାବଲମ୍ବୀ ହେବେ ସେଥିପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ରାବେରାଠାରେ ଓଡିଶାର ଏକ ମାତ୍ର ଛତୁ ୟୁନିଟ ପ୍ଲାଣ୍ଟ ନିର୍ମାଣ ହୋଇଛି । ୨୦୨୧ ମସିହାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମବାୟ ବିଭାଗ ଦ୍ୱାରା ୩ କୋଟି ୫୦ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହୋଇଛି ଏହି ଛତୁ ୟୁନିଟ ପ୍ଲାଣ୍ଟ ।

୨୦୨୩ ମସିହାରେ ନୟାଗଡ ଜିଲ୍ଲା ପ୍ରଶାସନ ଏହାକୁ ORMS କୁ ହସ୍ତାନ୍ତର କରିଥିଲେ । କିଛି ମହିଳା ଛତୁ ଚାଷ କରିବା ସହ, ପାମ୍ପଡ, ବଡି ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଛତୁ ମଞ୍ଜି ପ୍ରସ୍ତୁତ କରି ବଜାରରେ ବିକ୍ରି କରାଯାଉଛି । ସ୍ଥାନୀୟ ଓଡଗାଁ ଓ ନୟାଗଡ ବଜାରରେ ବିକ୍ରି ହେବା ସହ ମହୋତ୍ସବ ଓ ଯାନିଯାତ୍ରାରେ ବିକ୍ରି ହେଉଛି । କୋଟି କୋଟି ଟଙ୍କା ବିନିମୟରେ ସମବାୟ ବିଭାଗ ନିର୍ମାଣ କରିଛି ଛତୁ ୟୁନିଟ ପ୍ଲାଣ୍ଟ । କିନ୍ତୁ ଏବେ ବି ବିଦ୍ୟୁତ ସେବା ଭଳି ଅନେକ କାମ ବାକି ରହିଛି ।

ଏହି ପ୍ଲାଣ୍ଟରେ ୫୦ ଜଣ ମହିଳା କାମ କରିବା ପାଇଁ ନିୟମ ଥିବା ସମୟରେ ମାତ୍ର ୫ ରୁ ୬ ଜଣ ମହିଳାରେ ଚାଲିଛି କାମ । ଜଣେ ମହିଳା ଛତୁ ଚାଷ ପାଇଁ ନଡା କାଟି ଛତୁ ମଞ୍ଜିରେ ଛତୁ ଚାଷ କରୁଛନ୍ତି । ୩ ଜଣ ମହିଳା ପାମ୍ପଡ ନିର୍ମାଣ କରୁଛନ୍ତି । ୨ ଜଣ ମହିଳା ପାମ୍ପଡ ପାଇଁ କଞ୍ଚା ମାଲ ପ୍ରସ୍ତୁତ କରୁଛନ୍ତି । ଏହି ପ୍ଲାଣ୍ଟରେ ବିଭିନ୍ନ ପ୍ରକାରର ସାମଗ୍ରୀ ଏବଂ ସରଞ୍ଜାମ ମଧ୍ୟ ଗଛିତ ଅଛି । କିନ୍ତୁ ଖୁବ କମ୍ ସଂଖ୍ୟାର ମହିଳା ଥିବାରୁ ତାହାର ସଦୁପଯୋଗ ହୋଇପାରୁନାହିଁ ।

ଜିଲ୍ଲାପ୍ରଶାସନର ଉଦାସୀନତା ଓ ନିରବ ଦ୍ରଷ୍ଟାରୁ ଜରାଜୀନ୍ନ ଅବସ୍ଥାକୁ ଗତି କରିବାକୁ ଯାଉଛି ରାବେରାରେ ନିର୍ମାଣ ହୋଇଥିବା ଓଡିଶାର ଏକମାତ୍ର ଛତୁ ୟୁନିଟ ପ୍ଲାଣ୍ଟ । ଜିଲ୍ଲା ପ୍ରଶାସନ ଓ ସରକାର ଏହା ଉପରେ ଦୃଷ୍ଟି ଦେଲେ ଚାଷୀ ଓ ମହିଳାଙ୍କ ମୁଁହରେ ହସ ପୁଟିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button