ଗାଁ ମୁଖିଆଙ୍କୁ ହଟାଇବାକୁ କେନ୍ଦ୍ର କରି ଛକାପଞ୍ଝା: ଗ୍ରାମସଭାରେ ଛୁରାମାଡ଼, ଜଣେ ଗିରଫ
ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଅଧୀନ ସୁନାପୁର ଗ୍ରାମ ପୁଣି ଅଶାନ୍ତ ହୋଇଉଠିଛି। ମନମୁଖି ଚଳାଇଥିବା ଗାଁ ମୁଖିଆଙ୍କୁ ବଦଳାଇବାକୁ କେନ୍ଦ୍ର କରି ଦୁଇ ପ୍ରମୁଖ ରାଜନୈତିକ ଦଳ ସମର୍ଥିତ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା ଉଗ୍ର ରୂପ ନେଇଛି। ଗତକାଲି ରାତିରେ ଗାଁ ମୁଖିଆ ମିତ୍ରା ବେହେରାଙ୍କ ତିନିପୁଅଙ୍କ ସମେତ ୭ ଜଣ ମିଶି ପ୍ରତିପକ୍ଷ ଗୋଷ୍ଠୀର ମୁଖ୍ୟ ମାଧବ ବେହେରାଙ୍କୁ ଗ୍ରାମସଭା ସ୍ଥଳରେ ମାରପିଟ୍ କରିବା ସହ ଛୁରୀରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଏନେଇ ସୁନାପୁର ସାମୁଦ୍ରିକ ଥାନାରେ କେସ୍ ନମ୍ବର ୪୪/୨୪ରେ ଏକ ମାମଲା ରୁଜୁ ସହ ଆଜି ଅଭିଯୁକ୍ତ ଅନ୍ତର୍ଯ୍ୟାମୀ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।
ମାଧବ ଏତଲା ଦର୍ଶାଇଛନ୍ତି, ମିତ୍ରା ଦୀର୍ଘ ତିନି ଦଶନ୍ଧି ଧରି ମୁଖିଆ ଦାୟିତ୍ବ ତୁଲାଇ ଆସୁଛନ୍ତି। ତାଙ୍କର ଅରାଜକ କାର୍ଯ୍ୟକଳାପ ଓ ମନମୁଖି ନୀତିରେ ଜନସାଧାରଣ ଅତିଷ୍ଠ ହୋଇଛନ୍ତି। ଏପରିକି ଅନେକ ଦୁର୍ନୀତିରେ ସେ ଲିପ୍ତ ରହିଛନ୍ତି। ତାଙ୍କୁ ମୁଖିଆ ପଦବିରୁ ହଟାଇବା ଓ ନୂଆ ଗ୍ରାମ୍ୟ କମିଟି ଗଠନ ଲାଗି ଦୀର୍ଘଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ଶୀତଳଯୁଦ୍ଧ ଲାଗି ରହିଛି। ଏପରିକି ପରିସ୍ଥିତି ଅଶାନ୍ତ ହେବା ଆଶଙ୍କାରେ କିଛିଦିନ ତଳେ ଚିକିଟି ଏସ୍ଡିପିଓ ଗ୍ରାମକୁ ଆସି ଉଭୟ ପକ୍ଷକୁ ଡାକି ବୁଝାସୁଝା କରିଥିଲେ।
ଏଭଳି ପରିସ୍ଥିତିରେ ଗତକାଲି ରାତିରେ ପୁଣି ଗ୍ରାମସଭା ଡକାଯାଇଥିଲା। ଉଭୟ ଗୋଷ୍ଠୀର ସମର୍ଥକ ଉପସ୍ଥିତ ଥିଲେ। ତେବେ ନୂଆ ମୁଖିଆ ନିଯୁକ୍ତି ପାଇଁ ଆଲୋଚନା ଚାଲିଥିବା ବେଳେ ହଠାତ୍ ବଚସା ହୋଇ ତାହା ଉଗ୍ର ରୂପ ନେଇଥିଲା। ଅଧିକ ତଦନ୍ତ ଜାରି ରହିଥିବା ସୁନାପୁର ସାମୁଦ୍ରିକ ଥାନାଧିକାରୀ ଅତିଥିଚରଣ ନାୟକ କହିଛନ୍ତି। ସେହିପରି ମିତ୍ରା ବେହେରାଙ୍କ ଗୋଷ୍ଠୀ ପକ୍ଷରୁ ଅନ୍ତର୍ଯ୍ୟାମୀ ବେହେରା ଏକ ପାଲଟା ଏତଲା ଦେଇଥିବା ବେଳେ ଏହାର ଆଧାରରେ କେସ୍ ନମ୍ବର ୪୫/୨୪ରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।