ଓଡିଶା

ସରକାରୀ ଚାକିରିରୁ ମୁହଁ ମୋଡ଼ୁଛନ୍ତି ଡାକ୍ତର: ମାସକରେ ଖାରଜ ହେଲାଣି ୩୨ ଭିଆରଏସ୍‌ ଆବେଦନ – bajravana

[ad_1]

ଚାକିରି ବୟସ ୬୫ବର୍ଷକୁ ବୃଦ୍ଧି ହେବା ପ୍ରମୁଖ କାରଣ: ଓମ୍‌ସା

ଭୁବନେଶ୍ବର: ଡାକ୍ତରଙ୍କ ଅଭାବ ନେଇ ସଂଘର୍ଷ କରୁଛି ଓଡ଼ିଶା। ତୃଣମୂଳସ୍ତରରେ ଡାକ୍ତରଙ୍କ ଅଭାବ କଥା ନ କହିବା ଭଲ। ବର୍ଷ ବର୍ଷ ଧରି ଡାକ୍ତରଙ୍କ ଅଭାବ ଦୂର ହୋଇପାରୁନାହିଁ। ସ୍ଥିତି ଏପରି ଯେ ଅଧିକାଂଶ କ୍ଷେତ୍ରରେ ରୋଗୀମାନଙ୍କୁ ଭୁବନେଶ୍ବର କିମ୍ବା କଟକ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏଭଳି ଏକ ଜଟିଳ ପରିସ୍ଥିତିରେ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରଙ୍କ ସ୍ବେଚ୍ଛାକୃତ ଅବସର ଆବେଦନ(ଭିଆରଏସ୍‌) ଏହି ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ଡାକ୍ତରମାନଙ୍କ ରହିଥିବା ବିଭିନ୍ନ ଦାବି ପୂରଣ କରାଯିବା ସତ୍ତ୍ବେ ଭିଆରଏସ୍‌ ଆବେଦନ ଥମୁ ନାହିଁ। ଗତମାସରେ ଦୁଇଟି ଦଫାରେ ରାଜ୍ୟ ସରକାର ୩୨ଜଣ ଡାକ୍ତରଙ୍କ ଭିଆରଏସ୍‌କୁ ଖାରଜ କରିଦେଇଛନ୍ତି। ଖାରଜ କରିବା ପଛରେ ସରକାର ଡାକ୍ତରଙ୍କ ଅଭାବକୁ ଦର୍ଶାଇଛନ୍ତି। ହେଲେ ଲଗାତାର ଭାବେ ସରକାରୀ ଡାକ୍ତର ସରକାରୀ ବ୍ୟବସ୍ଥାଠାରୁ ଦୂରେଇବା ଲାଗି ଚାହିଁବା ପଛର କାରଣ କ’ଣ?

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ଓଡ଼ିଶାରେ ୧୦ହଜାର ୭୭୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବି ରହିଛି। ତହିଁରେ ୯ହଜାର ୩୨୦ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ଏବେ ୧୪୫୪ ଡାକ୍ତର ପଦବି ଖାଲି ପଡ଼ିଛି। ଏହାଭିତରେ ରାଜ୍ୟ ସରକାର ଆଉ ୫ହଜାର ନୂଆ କନିଷ୍ଠ ଡାକ୍ତର ପଦବି ପ୍ରଥମ ଶ୍ରେଣୀ ପାହ୍ୟାରେ ସୃଷ୍ଟି କରିଛନ୍ତି। ଫଳରେ ମୋଟ ମଞ୍ଜୁରୀପ୍ରାପ୍ତ ପଦବି ସଂଖ୍ୟା ୧୫ହଜାର ୭୭୪କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ ଡାକ୍ତରଙ୍କ ଅବସର ବୟସ ସୀମାକୁ ସରକାର ୬୫ବର୍ଷକୁ ବୃଦ୍ଧି କରିଛନ୍ତି। ଡାକ୍ତରଙ୍କ କ୍ଷେତ୍ରରେ ଏବେ ୬ବର୍ଷ, ୧୨, ୧୮ ଓ ୨୪ବର୍ଷରେ ଡିଏସିପି ଲାଗୁ ହୋଇଛି। ୬ବର୍ଷରେ ବରିଷ୍ଠ ପ୍ରଥମ ଶ୍ରେଣୀ, ୧୨ବର୍ଷରେ ଯୁଗ୍ମ ନିର୍ଦ୍ଦେଶକ, ୧୮ରେ ଅତିରିକ୍ତ ନିର୍ଦ୍ଦେଶକ ଓ ୨୪ବର୍ଷରେ ନିର୍ଦ୍ଦେଶକ ପାହ୍ୟାର ସମତୁଲ ଦରମା ପାଇବା ପାଇଁ ଯୋଗ୍ୟ ହେଉଛନ୍ତି। ପୂର୍ବରୁ ନିର୍ଦ୍ଦେଶକ ପାହ୍ୟାର ସମତୁଲ ଦରମା ପାଇବାକୁ ହେଲେ ଜଣେ ଡାକ୍ତରଙ୍କୁ ୩୦ବର୍ଷରୁ ଅଧିକ ବର୍ଷ ଚାକିରି କରିବାକୁ ପଡ଼ୁଥିଲା। ଏହାସହ ଡିଏନ୍‌ବି ଓ ସୁପର ସ୍ପେଶାଲିଷ୍ଟ ଡାକ୍ତରମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପ୍ରୋତ୍ସାହନ ଭତ୍ତା ପ୍ରଦାନ କରାଯାଉଛି। ତଥାପି ଡାକ୍ତରମାନେ ସରକାରୀ କ୍ଷେତ୍ରରେ ରହିବାକୁ ରାଜି ନାହାନ୍ତି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତମାସ ୧୯ ତାରିଖରେ ୧୦ଜଣ ଓ ୨୦ ତାରିଖରେ ୨୨ଜଣ ଡାକ୍ତରଙ୍କ ଭିଆରଏସ୍‌ ଆବେଦନକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖାରଜ କରାଯାଇଛି। ପୂର୍ବରୁ ଡାକ୍ତରମାନେ ନିୟମିତ ଭାବେ ଏଭଳି ଆବେଦନ କରୁଥିଲେ ଓ ଅନେକ ସମୟରେ ସରକାର ଡାକ୍ତରମାନଙ୍କୁ ଭିଆରଏସ୍‌ ପ୍ରଦାନ ମଧ୍ୟ କରିଛନ୍ତି। ମାତ୍ର ଏବେ ଭିଆରଏସ୍‌ ଆବେଦନ ସଂଖ୍ୟା ବଢ଼ିଛି। ମାତ୍ର ସରକାର ଆବେଦନ ଖାରଜ କରୁଛନ୍ତି। ନିର୍ବାଚନ ପରିପ୍ରେକ୍ଷୀରେ ଭିଆରଏସ୍‌ ଆବେଦନକୁ ଖାରଜ କରାଯାଉଥିବା କୁହାଯାଉଛି। ଜୁନ୍ ମାସ ପରେ ପୂର୍ବଭଳି ଭିଆରଏସ୍‌ ଆବେଦନକୁ ସରକାର ଅନୁମୋଦନ ଦେଇପାରନ୍ତି ବୋଲି ଅନେକ ଡାକ୍ତର ଅନୁଭବ କରୁଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ଅବସରପ୍ରାପ୍ତ ନିର୍ଦ୍ଦେଶକଙ୍କ କହିବା କଥା ଡାକ୍ତରମାନେ ସରକାରୀ ବ୍ୟବସ୍ଥାରେ ନ ରହିବା ପଛର ଏକାଧିକ କାରଣ ରହିଛି। ଅନେକ ଘରୋଇ କ୍ଷେତ୍ରରେ ରୋଗୀ ସେବା କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏହାସହ ଡିଏସିପିକୁ କିଛି ମାତ୍ରାରେ ଦାୟୀ କରାଯାଇପାରେ। ସରକାରୀ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଉପଯୁକ୍ତ ପରିବେଶ ନ ଥିବା ଡାକ୍ତରମାନେ ଅନୁଭବ କରୁଛନ୍ତି। ରୋଗୀର ମୃତ୍ୟୁ ହେଲେ ବିନା କାରଣରେ ଲୋକମାନେ ଦିନକୁ ଦିନ ଡାକ୍ତରଙ୍କ ପ୍ରତି ହିଂସ୍ର ଆଚରଣ କରୁଛନ୍ତି। ଡାକ୍ତରଙ୍କ କାର୍ଯ୍ୟରେ ଅଯଥା ପ୍ରଶାସନିକ, ରାଜନୈତିକ ଓ ଅସମାଜିକ ବ୍ୟକ୍ତିମାନଙ୍କ ହସ୍ତକ୍ଷେପ ବଢ଼ୁଛି। ସହରଠାରୁ ଦୂରରେ ବିଶେଷକରି କେବିକେ ଓ କେବିକେ ପ୍ଲସ୍‌ ଅଞ୍ଚଳରେ ଡାକ୍ତରମାନେ କାର୍ଯ୍ୟ କରିବା ଲାଗି ଅନିଚ୍ଛା ପ୍ରକାଶ କରୁଛନ୍ତି। ଏହାସହ ବଦଳିରେ ଅନିୟମିତତା ଓ ପ୍ରିୟାପ୍ରୀତି ତୋଷର ମଧ୍ୟ ଅନ୍ୟ ଏକ କାରଣ ବୋଲି ସଂପୃକ୍ତ ନିର୍ଦ୍ଦେଶକ କହିଛନ୍ତି।

ଅପରପକ୍ଷରେ ରାଜ୍ୟ ମେଡିକାଲ ସେବା ସଂଘ(ଓମ୍‌ସା)ର ସଭାପତି ଡା.ନାରାୟଣ ରାଉତ କହିଛନ୍ତି, ଡାକ୍ତରଙ୍କ ଅବସର ବୟସ ୬୨ବର୍ଷରୁ ୬୫କୁ ବୃଦ୍ଧି କରାଯିବାକୁ ନେଇ ସଂଘ ସବୁବେଳେ ବିରୋଧ କରି ଆସିଛି। ଡାକ୍ତର ମଧ୍ୟ ବୟସାଧିକ ପାଇଁ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ତେଣୁ ସେମାନେ ଭିଆରଏସ୍‌ ଆବେଦନ କରିବା ସ୍ବାଭାବିକ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିୟମ ଅନୁସାରେ ୬୨ବର୍ଷ ପରେ କୌଣସି ଡାକ୍ତରଙ୍କୁ ପ୍ରଶାସନିକ କ୍ଷେତ୍ରରେ ନିୟୋଜିତ କରାଯିବା କଥା ନୁହେଁ। ମାତ୍ର ଓଡ଼ିଶାରେ ଏଭଳି ନିୟମ ନ ଥିବା ଡା.ରାଉତ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button