ସାହିତ୍ୟିକ ପାଣିପାଗ: ଧନ୍ ତେରସ୍ ବନାମ ଜ୍ଞାନ ତେରସ୍
ନିକଟରେ ବିତିଯାଇଛି ଆଉ ଗୋଟିଏ ଦୀପାବଳି। ଏଥରର ଦୀପାବଳିର ଗୋଟିଏ ବ୍ୟତିକ୍ରମ ହେଉଛି, ପଞ୍ଜିକାରମାନଙ୍କ ଗଣନାର ତାରତମ୍ୟ କାରଣରୁ ମଉଜ ଖୋଜୁଥିବା ଲୋକେ ଦୁଇଦିନ ବାଣ ଫୁଟାଇବାର ମଜା ନେଇଛନ୍ତି। ସ୍ବାଭାବିକ ଭାବରେ, ସେହି ତୁଳନାରେ ଦୀପ ଜଳିଛି କମ୍। ବିଦ୍ୟୁତ୍ ଆଲୋକସଜ୍ଜା ତୁଳନାରେ ଜଳୁଥିବା ଦୀପର ସଂଖ୍ୟା ଆହୁରି କମ୍ ହୋଇଯାଇଛି।
ଆତସବାଜିର ଆବାଜ୍ ଓ ବିଦ୍ୟୁତ୍ ଆଲୋକର ଉଦ୍ଭାସନ ଭିତରେ, ତାହା ଯେ କାଳୀପୂଜାର ପବିତ୍ର ପର୍ବ, ସେ କଥା ଆମେ ପ୍ରାୟ ଭୁଲିଯିବା ପରି ମନେ ହୋଇଛି।
ମା’ କାଳୀ କିଏ? ଶ୍ରୀଅରବିନ୍ଦ ତାଙ୍କ ମନ୍ତ୍ରମୟୀ ‘ମା’ ଗ୍ରନ୍ଥରେ ପରମାତ୍ମାଙ୍କର ଯେଉଁ ଅବ୍ୟକ୍ତ ପ୍ରକୃତିକୁ ଭାଗବତୀ ଚିତ୍ଶକ୍ତି ତଥା ଦିବ୍ୟଜନନୀ ରୂପେ ବର୍ଣ୍ଣନା କରିଛନ୍ତି, ତାହାର ମହାରୂପ ଚାରିଟି। ତାହା ହେଉଛି- ମହେଶ୍ବରୀ, ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ବତୀ। ସନାତନ ଧର୍ମରେ ପରମାତ୍ମାଙ୍କର ଏହି ମାୟାଶକ୍ତିର ତିନି ରୂପ ହେଉଛନ୍ତି- ମହାସରସ୍ବତୀ, ମହାଲକ୍ଷ୍ମୀ ଓ ମହାକାଳୀ। ସରସ୍ବତୀ ସୃଜନୀଶକ୍ତିର ଦେବୀ, ଲକ୍ଷ୍ମୀ ଜଗତର ପାଳୟିତ୍ରୀ ଦେବୀ ଏବଂ କାଳୀ ସଂହାରକାରିଣୀ ଦେବୀ। ଏହି ତିନି ଦେବୀ ଯଥାକ୍ରମେ- ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କର ଶକ୍ତି। ଆମର ଅନ୍ଧକାରପୂର୍ଣ୍ଣ, ମିଥ୍ୟା, ମୃତ୍ୟୁ ଓ ବେଦନାପୂର୍ଣ୍ଣ ଜଗତକୁ ଏହି ଭାଗବତୀ ଶକ୍ତି ପରମାତ୍ମାଙ୍କ ଠାରୁ ସତ୍ୟ, ଜ୍ୟୋତି ଓ ଦିବ୍ୟଜୀବନ ଅବତରଣ କରାଇ ଆଣନ୍ତି। କିନ୍ତୁ ଦୀପାବଳିର ଆତସବାଜି ଓ ଆଲୋକସଜ୍ଜାର ଉଲ୍ଲାସ ଭିତରେ ଆମେ ଏହି ଅବସରରେ ପୂଜିତା ମହାକାଳୀଙ୍କର ପ୍ରକୃତ ସ୍ବରୂପକୁ ସତେଯେପରି ଭୁଲିଯିବା ପରି ମନେ ହୋଇଛି।
କାର୍ତ୍ତିକ ଅମାବାସ୍ୟାର ଦୀପାବଳି ପୂର୍ବରୁ ଆଶ୍ବିନ ପୂର୍ଣ୍ଣିମାରେ ଅନୁଷ୍ଠିତ ହୁଏ ସମୃଦ୍ଧିର ଦେବୀ ଗଜଲକ୍ଷ୍ମୀଙ୍କର ପୂଜା। ପୁଣି କାର୍ତ୍ତିକ ମାସ ପରର ମାର୍ଗଶିର ହେଉଛି ଦେବୀ ଲକ୍ଷ୍ମୀଙ୍କର ଆଉ ଏକ ପୂଜାର ମାସ। ତାହା ଶସ୍ୟଲକ୍ଷ୍ମୀଙ୍କର ଉପାସନା। କିନ୍ତୁ ଦୀପାବଳି ଅମାବାସ୍ୟା ପୂର୍ବର ତ୍ରୟୋଦଶୀରେ ଆମେ ଧନଲକ୍ଷ୍ମୀଙ୍କ ପଛରେ ହିଁ ବେଶୀ ଧାଇଁବା ଦେଖାଯାଇଛି। ସମ୍ବାଦପତ୍ରର ବିବରଣୀ ଅନୁସାରେ, ଏବର୍ଷ ଏହି ଧନତ୍ରୟୋଦଶୀ ବା ‘ଧନ୍ ତେରସ୍’ରେ ଗୋଟିଏ ଦିନରେ ବିକ୍ରି ହୋଇଛି ୧୮୫ କୋଟି ଟଙ୍କାର ସୁନା ଅଳଙ୍କାର। ଏହି ସୁନାର ପରିମାଣ ପ୍ରାୟ ଅଢ଼େଇ କୁଇଣ୍ଟାଲ। ଖାଲି ସୁନା ଅଳଙ୍କାର ନୁହେଁ, ହୀରା ଗହଣା ବିକ୍ରିରେ ମଧ୍ୟ ଏ ବର୍ଷ ୪୦ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷ ତୁଳନାରେ ୧୦ ଗ୍ରାମ ସୁନାର ମୂଲ୍ୟ ଏ ବର୍ଷ ୧୭,୭୫୦ ଟଙ୍କା ବୃଦ୍ଧି ପାଇ ୭୩,୭୫୦ ଟଙ୍କାରେ ପହଞ୍ଚିଥିଲେ ମଧ୍ୟ, ସୁନା ଦୋକାନଗୁଡ଼ିକରେ ଗହଳି ଊଣା ହୋଇନାହିଁ। ବରଂ ଧନ ତ୍ରୟୋଦଶୀର ପୂର୍ବଦିନ ଠାରୁ ଆରମ୍ଭ କରି ଦୁଇଦିନିଆ ଦୀପାବଳିର ପରଦିନ ପର୍ଯ୍ୟନ୍ତ ମଧ୍ୟ ଏହି ଗହଳି ପରିଲକ୍ଷିତ ହୋଇଛି।
କିନ୍ତୁ ଏହି କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀର ନାମ କ’ଣ ‘ଧନ୍ ତେରସ୍’ ବା ‘ଧନ ତ୍ରୟୋଦଶୀ’? ଏହି ତ୍ରୟୋଦଶୀ ପ୍ରକୃତପକ୍ଷେ ହେଉଛି ଧନ୍ବନ୍ତରିଙ୍କର ଆବିର୍ଭାବ ଦିବସ। ଆମ ଦେଶର ଶାସ୍ତ୍ର, ପୁରାଣ ପରମ୍ପରାରେ ଧନ୍ବନ୍ତରି ହେଉଛନ୍ତି ବୈଦିକ ଦେବତା ଏବଂ ସେ ମଧ୍ୟ ଦେବବୈଦ୍ୟ। ଏହି ନାଆଁର ‘ଧନ୍ବ’ ସହିତ ଆମେ ଏବେ ବୁଝୁଥିବା ‘ଧନ’ର କୌଣସି ସଂପର୍କ ନାହିଁ। ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ‘ଶବ୍ଦତତ୍ତ୍ବବୋଧ ଅଭିଧାନ’ରେ ‘ଧନ୍ବ’ର ଅର୍ଥ ମରୁଭୂମି ବୋଲି କହିଛନ୍ତି। ସେଥିରେ ସେ, ‘ଧନ୍ବ-ଅନ୍ତ-ଋ-ଇ’ରୁ ‘ଧନ୍ବନ୍ତରି’ ଶବ୍ଦ ନିଷ୍ପନ୍ନ ବୋଲି ନିର୍ଣ୍ଣୟ ଦେଇଛନ୍ତି। ଏହା ସୂଚାଏ, ଯେ ମରୁଭୂମିର ଅନ୍ତେ, ଅର୍ଥାତ୍ ସମୁଦ୍ରରୁ ଉତ୍ଥିତ ହୋଇଥିବାରୁ ତାଙ୍କର ନାମ ‘ଧନ୍ବନ୍ତରି’। ଏଇଥିପାଇଁ ସମୁଦ୍ରମନ୍ଥନରୁ ଉଦ୍ଭୂତ ହେବା ପରେ ଭଗବାନ ବିଷ୍ଣୁ ତାଙ୍କୁ ‘ଅବ୍ଜଦେବ’ ବୋଲି ସମ୍ବୋଧନ କରିଥିଲେ। ‘ଧନ’ ସହିତ ତାହାର ଲେଶମାତ୍ର ସଂପର୍କ ନାହିଁ।
ବିଭିନ୍ନ ଶାସ୍ତ୍ର, ପୁରାଣରେ ଧନ୍ବନ୍ତରୀଙ୍କ ସଂପର୍କରେ ଯେଉଁସବୁ ବର୍ଣ୍ଣନା ଅଛି, ସେଥିରୁ ଗୋଟିଏ ହେଉଛି- ସମୁଦ୍ରରୁ ଉତ୍ଥିତ ହେବା ପରେ ବିଷ୍ଣୁ ତାଙ୍କୁ କହିଥିଲେ- ଏ ଜନ୍ମରେ ତୁମେ ଦେବତା ହୋଇ ଜନ୍ମିଛ। କିନ୍ତୁ ପର ଜନ୍ମରେ ତୁମେ ଲୋକସମାଜରେ ଖ୍ୟାତିଲାଭ କରିବ। ସେହି ଶରୀରରେ ତୁମେ ଦେବତ୍ବଲାଭ କରିବା ସହିତ ଆୟୁର୍ବେଦକୁ ଆଠଭାଗରେ ବିଭକ୍ତ କରିବ। ଏହା ଫଳରେ ଧନ୍ବନ୍ତରି ଦ୍ବାପର ଯୁଗରେ କାଶୀରାଜଙ୍କ ଗୃହରେ ଜନ୍ମଗ୍ରହଣ କରି ମହର୍ଷି ଭରଦ୍ବାଜଙ୍କ ଠାରୁ ଆୟୁର୍ବେଦ ଶିକ୍ଷା କରିଥିଲେ। ପ୍ରାଣୀଙ୍କ ହିତପାଇଁ ସେ ‘ଧନ୍ବନ୍ତରି ସଂହିତା’ ପ୍ରଣୟନ କରିବା ସହିତ ଆୟୁର୍ବେଦକୁ ଆଠଭାଗରେ ବିଭକ୍ତ କରିଥିଲେ।
କଥିତ ଅଛି ଯେ ଆୟୁର୍ବେଦ ଅାନୁମାନିକ ଖ୍ରୀଷ୍ଟପୂର୍ବ ୧୦୦୦ରେ ରଚିତ ହୋଇଥିଲା ଏବଂ ତାହା ତିନି ଲକ୍ଷ ଶ୍ଳୋକବିଶିଷ୍ଟ ଥିଲା। ‘ଆୟୁର୍ବେଦ ସଂହିତା’ ‘ଅଥର୍ବ ବେଦ’ରୁ ଗୃହୀତ ଏବଂ ଏକ ଲକ୍ଷ େଶ୍ଳାକ ବିଶିଷ୍ଟ। ପରେ ଏହା ଆଠଭାଗରେ ବିଭକ୍ତ ହୋଇଥିଲା। ଏହି ଆଠଟି ଭାଗ ହେଉଛି- ୧. କାୟତନ୍ତ୍ର (ଶରୀର ଚିକିତ୍ସା), ୨. ଶଲ୍ୟତନ୍ତ୍ର (ଶଲ୍ୟ ବା ଧାତ୍ରୀବିଦ୍ୟା), ୩. ଶାଲାକ୍ୟତନ୍ତ୍ର (କାନ୍ଧର ଊର୍ଦ୍ଧ୍ବାଂଶ, ଯଥା- କର୍ଣ୍ଣ, ନାସା, ଗଳା ଓ ମୁଖ ଚିକିତ୍ସା), ୪. ଭୂତବିଦ୍ୟା (ଭୂତଘଟିତ ଅର୍ଥାତ୍ ମନୋବିକାର ଓ ବାତୁଳତା ଆଦିର ଚିକିତ୍ସା), ୫. ରସାୟନତନ୍ତ୍ର (ବାର୍ଦ୍ଧକ୍ୟରେ ସ୍ବାସ୍ଥ୍ୟରକ୍ଷା), ୬. କୌମାରକୃତ୍ୟ (ଶିଶୁରୋଗର ଚିକିତ୍ସା), ୭. ବାଜିକର ତନ୍ତ୍ର (ଯୌବନଶକ୍ତି ବୃଦ୍ଧି) ଓ ୮. ଅଗଦତନ୍ତ୍ର (ବିଷ ଚିକିତ୍ସା)। ପୁରାଣ ପ୍ରସଙ୍ଗ ଅନୁସାରେ ଏହି ବିଭାଗୀକରଣର କର୍ତ୍ତା ହେଉଛନ୍ତି ଧନ୍ବନ୍ତରି।
ଏହା ସୂଚାଏ, ଯେ ଧନ୍ବନ୍ତରିଙ୍କର ଧରାବତରଣ ଯେଉଁ ଧନର ସୁରକ୍ଷା ନିମନ୍ତେ ହୋଇଥିଲା, ତାହା ହେଉଛି ଆମର ସ୍ବାସ୍ଥ୍ୟ ରୂପକ ଧନ। ତାହା ସୁନା, ହୀରା ଆଦି ଧନ ନୁହେଁ। ଏହି ସ୍ବାସ୍ଥ୍ୟକୁ ହିଁ ‘ମହାଧନ’ କୁହାଯାଇଥାଏ। ଅଥଚ ବିଡ଼ମ୍ବନା ଏହି ଯେ ତାଙ୍କରି ଆବିର୍ଭାବ ତିଥି ‘ଧନ୍ବନ୍ତରି ତ୍ରୟୋଦଶୀ’କୁ ଆମେ ଏବେ ପାଳୁଛୁ ‘ଧନ ତ୍ରୟୋଦଶୀ’ ଭାବରେ।
ଏହି ଅବସରରେ କିନ୍ତୁ ଦିଲ୍ଲୀର ଗୋଟିଏ ପୁରାତନ ପୁସ୍ତକ ପ୍ରକାଶନ ସଂସ୍ଥା ଆବିର୍ଭୂତ ହୋଇଛି ଏହାକୁ ନେଇ ଏକ ନୂଆ ଯୋଜନାରେ। ଏହି ଯୋଜନାର ନାଆଁ ‘କିତାବ୍ ତେରସ୍’। କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ଓ ଦୀପାବଳି ଅମାବାସ୍ୟା ଅବସରରେ ଏହା “ଘର୍ ଘର୍ ଦୀପକ, ହର୍ ଘର୍ କିତାବ୍”ର ନାରା ଦେଇଛି। ଅକ୍ଟୋବର ୧୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଦଶଦିନବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାର ତାତ୍ପର୍ଯ୍ୟ ହେଉଛି, ଦୀପାବଳିରେ ଘରେ ଘରେ ଦୀପ ଜଳୁ। ଘରେ ଘରେ ମଧ୍ୟ ପହଞ୍ଚୁ ବହିର ଉପହାର। ତାହା ମାଧ୍ୟମରେ ଘରେ ଘରେ ଜଳୁ ଜ୍ଞାନର ଦୀପ। ତେଣୁ ସେହି ଅବସରରେ ବହି କିଣାରେ ୩୫ରୁ ଆରମ୍ଭ କରି, ଅଧିକ ମୂଲ୍ୟର ବହି କିଣିବା ଉପରେ ୪୦ରୁ ୪୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯିବାର ଯୋଜନା ବି ଘୋଷିତ ହୋଇଛି। କିନ୍ତୁ ‘ଧନ୍ ତେରସ୍’ରେ ସୁନା, ହୀରା ଆଦି ଧନକୁ ନିଜର କରିନେବାର ତୀବ୍ର ପ୍ରତିଯୋଗିତା ଭିତରେ, ଏହି ଜ୍ଞାନଦୀପ ଯୋଜନା କେତେମାତ୍ରାରେ ସଫଳତା ପାଇଛି, ତାହା ଜଣାଯାଇ ନାହିଁ।
ଜାତୀୟ ସ୍ତରର ସେହି ପ୍ରାଚୀନ ପ୍ରକାଶନ ସଂସ୍ଥାର ଏହି ଯୋଜନା ସହିତ ଆମେ ଓଡ଼ିଶାର କୌଣସି ପ୍ରକାଶନ ସଂସ୍ଥାର ତୁଳନା କରିବା ନାହିଁ। କିନ୍ତୁ ପୂର୍ବର ଓ ଏବର େଗାଟିଏ ଦୁଇଟି ଦୃଷ୍ଟାନ୍ତ ଦେଲେ ଆମ ଓଡ଼ିଶାରେ ପାଠକୀୟତାର ସ୍ଥିତିର ସଂକେତ ଆମେ ପାଇପାରିବା।
ଭୁବନେଶ୍ବର ମାର୍କେଟ ବିଲ୍ଡିଙ୍ଗ୍ର ‘ଗ୍ରନ୍ଥାଳୟ’ ଏକଦା ଥିଲା ରାଜଧାନୀ ସହରରେ ସମ୍ବାଦପତ୍ର ଓ ପୁସ୍ତକ ବିକ୍ରିର ଏକ ପ୍ରଖ୍ୟାତ ପେଣ୍ଠ। ୧୯୬୧-୬୨ ବେଳକୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଦୀର୍ଘ ପ୍ରାୟ ୬୦ ବର୍ଷ ପରେ ୨୦୧୨-୧୩ ବେଳକୁ ବନ୍ଦ ହୋଇଗଲା। ତା’ ଜାଗାରେ ଗଢ଼ି ଉଠିଲା ଶାଢ଼ି ଓ ମହିଳା ପରିଧାନର ଏକ ବିପଣି। ଆଜିର ଶତାୟୁ ସଂଗ୍ରାମୀ ଓ ସ୍ତମ୍ଭକାର ପଦ୍ମଚରଣ ନାୟକ ସେଦିନ ତାହାକୁ ନେଇ ଉଦ୍ବେଗ ପ୍ରକାଶ କରି ସମ୍ବାଦପତ୍ରରେ ଲେଖିଥିଲେ ଗୋଟିଏ ଲେଖା। ଏବେ ପ୍ରତିଷ୍ଠାର ପ୍ରାୟ ୫୪ ବର୍ଷ ପରେ ଭୁବନେଶ୍ବରର ଆଉ ଗୋଟିଏ ଖ୍ୟାତନାମା ବହି ଦୋକାନ ‘ମଡର୍ଣ୍ଣ ବୁକ୍ ଡିପୋର୍ଟ’ ମଧ୍ୟ ବନ୍ଦ ହୋଇଯାଇଛି। ଅନେକେ ଅବଶ୍ୟ ଏଥିପାଇଁ ବହିର ‘ଅନ୍ଲାଇନ୍’ ବିକାକିଣାକୁ କାରଣ ବୋଲି ଦର୍ଶାଉଛନ୍ତି; ମାତ୍ର ‘ଅନ୍ଲାଇନ୍’ ବିକାକିଣାର ପ୍ରାବଲ୍ୟ ସମୟରେ ବି ଅନ୍ୟ ଖାଉଟି ସାମଗ୍ରୀର ବିପଣି ବୃଦ୍ଧି ପାଉଥିବାବେଳେ, ବହି ଦୋକାନ ପାଇଁ ଏହାକୁ ହିଁ କାରଣ ବୋଲି କାହିଁକି କୁହାଯିବ?
‘ଶ୍ରୀମଦ୍ଭଗବଦ୍ଗୀତା’ର ‘ବିଭୂତିଯୋଗ’ରେ ଭଗବାନ ଶ୍ରେଷ୍ଠ ନାରୀମାନଙ୍କ ମଧ୍ୟରେ ନିଜକୁ କୀର୍ତ୍ତି, ସ୍ମୃତି, ଧୃତି ଓ କ୍ଷମା ସହିତ, ଲକ୍ଷ୍ମୀ ଓ ସରସ୍ବତୀ ବୋଲି ମଧ୍ୟ କହିଛନ୍ତି। ଅର୍ଥାତ୍ ଲକ୍ଷ୍ମୀ ଓ ସରସ୍ବତୀ ଉଭୟେ ଶ୍ରେଷ୍ଠ। କିନ୍ତୁ ଦେଖାଯାଉଛି ଯେ ଆଜିର ଦୌଡ଼ରେ ଧନଲକ୍ଷ୍ମୀ ବହୁ ଆଗରେ ରହିଥିବାବେଳେ ଜ୍ଞାନ ଓ ସୃଜନ ସରସ୍ବତୀ ଅନେକ ପଛରେ ପଡ଼ିଯାଉଛନ୍ତି।
ସେହି ‘ବିଭୂତିଯୋଗ’ରେ ଶ୍ରୀକୃଷ୍ଣ ଏହା ମଧ୍ୟ କହିଛନ୍ତି, ଯେ “ଭକ୍ତମାନଙ୍କ ପ୍ରତି ଅନୁଗ୍ରହ କରି ସେମାନଙ୍କ ହୃଦୟରେ ମୁଁ ଅବସ୍ଥାନ କରେ ଏବଂ ଜ୍ଞାନଦୀପ ପ୍ରଜ୍ବଳିତ କରି ସେମାନଙ୍କ ଭିତରୁ ଅଜ୍ଞାନ ଅନ୍ଧକାରକୁ ନାଶ କରେ।” କିନ୍ତୁ ବହିର ଭୂମିକା ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ପରି। କାରଣ, ବହି ମଧ୍ୟ ଆମ ଭିତରୁ ଅଜ୍ଞାନତାର ଅନ୍ଧକାର ନାଶ କରି ଜ୍ଞାନର ଦୀପ ଜଳାଏ।
କିନ୍ତୁ ଦିଲ୍ଲୀର ସେହି ପ୍ରକାଶନ ସଂସ୍ଥାର ‘କିତାବ୍ ତେରସ୍’ ଯୋଜନା ଏବଂ ଦୀପାବଳି ପୂର୍ବର ‘ଧନ ତେରସ୍’ ସୁନାକିଣାର ଏକ ଆନୁମାନିକ ତୁଳନାରୁ ଆମର ଆକଳନ ଯେ ‘ଧନ୍ ତେରସ୍’ର ସୁନାକିଣା ଆଗ୍ରହରୁ କାଣିଚାଏ ବି ଆଜି ‘କିତାବ୍ ତେରସ୍’ର ବହିକିଣାରେ ନାହିଁ। ସେଥିପାଇଁ ଘରେ ଘରେ ଆତସବାଜି ଓ ଆଲୋକସଜ୍ଜା ଭିତରେ ଦୀପ ଯେମିତି କମୁଛି, ସେମିତି ଜ୍ଞାନଦୀପ ଜଳାଉଥିବା ବହି ବି କମି କମି ଚାଲିଛି। ଏହା ଆମକୁ ନେଇ ଅଚିରେ ଏକ ଅଜ୍ଞାନତାର ଅମାବାସ୍ୟାରେ ଯେ ପହଞ୍ଚାଇବ, ଏ ଆଶଙ୍କା ତେଣୁ ଏବେ ଘନ ହେବାପରି ହିଁ ମନେ ହେଉଛି।