ମା’-ଝିଅ ଜୀବନ୍ତ ଦଗ୍ଧ ଘଟଣା: ହତ୍ୟା ମାମଲା ରୁଜୁ, ୪ଜଣଙ୍କୁ ପଚରାଉଚରା ଜାରି
ସମ୍ବଲପୁର: ସଦର ଥାନା ଅଧୀନ ମାନେଶ୍ଵରର ହାଟପଦାରେ ମା’ ଓ ଝିଅ ଜୀବନ୍ତ ଦଗ୍ଧ ମାମଲାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ଏହି ମାମଲାରେ ପୁଲିସ ୪ ଜଣଙ୍କୁ ପଚରାଉଚରା ଆରମ୍ଭ କରିଛି। ପାରିପାର୍ଶ୍ବିକ ସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ୍ ତଦନ୍ତ ଜାରି ରଖିଛି।
ହାଟପଦାର ଏକ ଘରୁ ଆଜି ସକାଳୁ ମା’-ଝିଅଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।
ମୃତାମାନେ ହେଲେ ସ୍ନେହଲତା ଦୀକ୍ଷିତ (୯୦) ଓ ଝିଅ ସୈରିନ୍ଦ୍ରୀ ଦୀକ୍ଷିତ। (୬୨)। ଏମାନେ ମଙ୍ଗଳବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଜୀବନ୍ତ ଦଗ୍ଧ ହୋଇଛନ୍ତି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।
ତେବେ ଏହି ମାମଲା ନେଇ ସ୍ନେହଲତା ଦୀକ୍ଷିତଙ୍କ ସାନ ଝିଅ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସମ୍ପତ୍ତି ପାଇଁ ଭାଇ ବା ପୁତୁରା ଉଭୟଙ୍କୁ ହତ୍ୟା କରିଛନ୍ତି। ମା’ଙ୍କ ପାଖରେ କୋଟିକୋଟି ଟଙ୍କାର ସଂପତ୍ତି ଥିବା ହେତୁ ଭାଇ ବା ପୁତୁରା ହତ୍ୟା କରିଛନ୍ତି। ଏହି ଅଭିଯୋଗ ଆସିବା ପରେ ଏସଡିପିଓ ମଧ୍ୟ ଉକ୍ତ ଅଭିଯୋଗ ଉପରେ ତଦନ୍ତ କରାଯିବ ବୋଲି କହିଛନ୍ତି। ଏସଡିପିଓ କହିଛନ୍ତି ଯେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ସରିବା ପରେ ପ୍ରକୃତ ଘଟଣା ଜଣାଯିବ।
ମୃତ ଝିଅ ଅର୍ଦ୍ଧ ଦଗ୍ଧ ହୋଇଥିବା ବେଳେ ମା’ ଶୋଇଥିବା ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୁଇ ମହଲା ଘରର ଉପର ରୁମରେ ଘଟଣା ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ସକାଳେ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହା ହତ୍ୟା ନା ଆଉ କଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ।