ଖେଳ ଖବର

ଆଇପିଏଲ 2025 ଅକ୍ସନ ତାଲିକାରେ ୧୫୭୪ ଖେଳାଳି, ୨ କୋଟି କ୍ଲବରେ ୨୩ ଭାରତୀୟ

୨୦୨୫ ଆଇପିଏଲ୍‌ ମେଗା ନିଲାମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଘୋଷଣା କରି କହିଛି ଯେ ନଭେମ୍ବର ୨୪ ଓ ୨୫ ଦୁଇ ଦିନ ମେଗା ନିଲାମ ପ୍ରକ୍ରିୟା ଜାରି ରହିବ। ସାଉଦି ଆରବର ଜେଦ୍ଦାରେ ଅନୁଷ୍ଠିତ ହେବ ମେଗା ନିଲାମି ପ୍ରକ୍ରିୟା।

ଏଥର ନିଲାମ ପ୍ରକ୍ରିୟାରେ ୧୫୭୪ ଜଣ ଖେଳାଳି ନିଜ ନାମ ପଞ୍ଜିକରଣ କରିଛନ୍ତି।

ସେ ମଧ୍ୟରେ ୧୧୬୫ ଜଣ ଭାରତୀୟ ଖେଳାଳି ଥିବାବେଳେ ୪୦୯ ଜଣ ବିଦେଶୀ ଖେଳାଳି ଅଛନ୍ତି।

ସମ୍ପୂର୍ଣ୍ଣ ତାଲିକାରେ ୩୨୦ ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା କ୍ୟାପ୍‌ଡ ଖେଳାଳି, ୧୨୨୪ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିନଥିବା ଅନକ୍ୟାପ୍‌ଡ ଖେଳାଳି ଓ ୩୦ଜଣ ଆସୋସିଏଟ୍‌ ଦେଶର ଖେଳାଳି ରହିଛନ୍ତି। ତାଲିକାଭୁକ୍ତ ୩୨୦ଜଣ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ୪୮ଜଣ ଭାରତୀୟ ଓ ୨୭୨ ଜଣ ବିଦେଶୀ ଖେଳାଳି ରହିଛନ୍ତି।

ତାଲିକାରେ ଦକ୍ଷିଣ ଆଫ୍ରିକାରୁ ସର୍ବାଧିକ ୯୧ଜଣ ଖେଳାଳି ନାମ ଦାଖଲ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆରୁ ୭୬, ଇଂଲଣ୍ଡରୁ ୫୨, ନ୍ୟୁଜିଲାଣ୍ଡରୁ ୩୯, ୱେଷ୍ଟ ଇଣ୍ଡିଜ୍‌ରୁ ୩୩, ଶ୍ରୀଲଙ୍କାରୁ ୨୯, ଆଫଗାନିସ୍ତାନରୁ ୨୯, ବାଂଲାଦେଶରୁ ୧୩, କାନାଡ଼ାରୁ ୪, ଆୟର୍ଲାଣ୍ଡରୁ ୯, ଇଟାଲୀରୁ ୧, ନେଦରଲାଣ୍ଡ୍‌ସରୁ ୧୨, ସ୍କଟଲାଣ୍ଡରୁ ୨, ୟୁଏଇରୁ ୧, ୟୁଏସଏରୁ ୧୦ ଓ ଜିମ୍ବାୱେରୁ ୮ଜଣ ଖେଳାଳି ନାମ ଦାଖଲ କରିଛନ୍ତି।

୨ କୋଟି ଦରରେ ଭାରୀତୟ ଖେଳାଳି:

ମେଗା ନିଲାମ ପାଇଁ ଏଭଳି ଭାରତୀୟ ଖେଳାଳି ଅଛନ୍ତି, ଯାହାଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ରହିଛି। ସେହି ତାଲିକାରେ ଆଗରେ ଅଛନ୍ତି ଋଷଭ ପନ୍ତ। ସେହିପରି କେଏଲ ରାହୁଲ, ଶ୍ରେୟସ୍‌ ଆୟର, ରବିଚନ୍ଦ୍ରନ ଅଶ୍ବିନ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି, ଖଲୀଲ ଅହମ୍ମଦ, ଦୀପକ ଚାହର, ଭେଙ୍କଟେଶ ଆୟର, ଆଭେଶ ଖାନ, ଇଶାନ କିଷନ, ମୁକେଶ କୁମାର, ଭୁବନେଶ୍ବର କୁମାର, ପ୍ରସିଦ୍ଧ କ୍ରିଷ୍ଣା, ଟି ନଟରାଜନ, ଦେବଦତ୍ତ ପାଡ଼ିକଲ, କୃଣାଳ ପାଣ୍ଡ୍ୟା, ହର୍ଷଲ ପଟେଲ, ଅର୍ଶଦୀପ ସିଂହ, ଓ୍ବାଂଶିଟନ୍‌ ସୁନ୍ଦର, ସାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ ଓ ଉମେଶ ଯାଦବ ୨ କୋଟି ତାଲିକାରେ ନାମ ପଞ୍ଜିକରଣ କରିଛନ୍ତି।

ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ସମସ୍ତ ଫ୍ରାଞ୍ଚାଇଜ୍‌ ରିଟେନ ତାଲିକା ଘୋଷଣା କରିଥିଲେ। ୧୦ଟି ଯାକ ଫ୍ରାଞ୍ଚାଇଜ୍‌ ୪୬ଜଣ ଖେଳାଳିଙ୍କୁ ରିଟେନ କରିଛନ୍ତି ଓ ଏହି ବାବଦରେ ୫୫୮.୫କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ରିଟେନ୍‌ ଖେଳାଳିଙ୍କ ମଧ୍ୟରେ ୩୬ଜଣ ଭାରତୀୟ ରହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button