ଓଡିଶା

କେନାଲରୁ ଅତଡ଼ା ଧସି ଝିଅ ମୃତ, ବାପ‌ା ଗୁରୁତର

ଦାନଗଦୀ: ଯାଜପୁର କଳିଙ୍ଗନଗର ଥାନା ଅନ୍ତର୍ଗତ ନଡ଼ିଆଭଙ୍ଗା ପଞ୍ଚାୟତରେ ନିର୍ମାଣାଧୀନ ରେଙ୍ଗାଳି କେନାଲରୁ ମାଟି ଅତଡ଼ା ଧସି ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ବାପା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତ ନାବାଳିକା ନଡ଼ିଆଭଙ୍ଗା ପଞ୍ଚାୟତ ବାଉଁଶନଳି ଗ୍ରାମର ଈଶ୍ୱର ମୁଣ୍ଡା (୪୩)ଙ୍କ ଝିଅ ଗୀତା (୮)।

ଈଶ୍ବରଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଓ ପରିବାର ଶୁକ୍ରବାର ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଡୁବରି-ଟମକା ରାସ୍ତା ଅବରୋଧ କରିଥିଲେ। ଫଳରେ ୫ ଘଣ୍ଟା ଧରି ଏହି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ସୁକିନ୍ଦା ତହସିଲଦାର, କଳିଙ୍ଗନଗର ଏଏସ୍ପି ଓ କଳିଙ୍ଗନଗର ଥାନା ଅଧିକାରୀ ପହଞ୍ଚି ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା।

ଆଜି ସକାଳେ ଈଶ୍ବର ଓ ତାଙ୍କ ଝିଅ ଗୀତା ଶୌଚ ପାଇଁ ଯାଉଥିବା ବେଳେ ନଡ଼ିଆଭଙ୍ଗା ପଞ୍ଚାୟତର ବାମପାର୍ଶ୍ବ କେନାଲର ମାଟି ଅତଡ଼ା ହଠାତ୍ ଧସି ଯାଇଥିଲା। ଫଳରେ ବାପଝିଅ ପୋତି ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମେ ଈଶ୍ବରଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ଝିଅ ଗୀତାଙ୍କୁ ଉଦ୍ଧାର କରିବାବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ। ଶ୍ରମିକ ନେତା ବାବୁଲି ହାଇବୁରୁ, ବିସ୍ଥାପନ ବିରୋଧୀ ଜନମଞ୍ଚ ନେତା ରବୀନ୍ଦ୍ର ଜାରିକା ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରି ପାଇଁ ଦାବି କରିଥିଲେ। ପ୍ରଶାସନ ସହିତ ଆଲୋଚନା ପରେ କ୍ଷତିପୂରଣ ବାବଦକୁ ମୃତକଙ୍କ ପରିବାରକୁ ଦେଢ଼ଲକ୍ଷ ଓ ରେଡକ୍ରସ୍ ପାଣ୍ଠିରୁ ଶବ ସଂସ୍କାର ପାଇଁ ଅର୍ଥ ପ୍ରଦାନ କରାଯାଇଥିଲା। ଆସନ୍ତା ୭ଦିନ ମଧ୍ୟରେ ରେଙ୍ଗାଳିର ଉପରିସ୍ଥ ଅଧିକାରୀ ଆସିବା ପରେ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ବାବଦରେ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଚିକିତ୍ସାଧୀନ ଈଶ୍ବରଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ କେନାଲ ନିର୍ମାଣ କରୁଥିବା କମ୍ପାନି ବହନ କରିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button