ଦେଶ ବିଦେଶ

କାହିଁକି ପୃଥିବୀରେ ଅଛି ଜୀବଜଗତ? କେମିତି ହୋଇଥିଲା ଜୀବନ ସଂଚାର..

ନୂଆଦିଲ୍ଲୀ: ଆମେ ସମସ୍ତେ ଜାଣିଛେ ପୃଥିବୀ ହେଉଛି ଏକମାତ୍ର ଗ୍ରହ ଯେଉଁଥିରେ ଜୀବଜଗତ ତିଷ୍ଠି ରହିବା ପାଇଁ ସମସ୍ତ ଉପାଦାନ ରହିଛି । ତେବେ ଏମିତି କାହିଁକି? କାହିଁକି ଅନ୍ୟ କୌଣସି ଗ୍ରହରେ ପ୍ରାଣୀ କିମ୍ବା ଉଦ୍ଭିଦ ଦେଖାଯାଆନ୍ତି ନାହିଁ । ପୃଥିବୀରେ କ’ଣ ପ୍ରଥମରୁ ହିଁ ଜୀବଜଗତ ଥିଲେ ? କେବେଠୁ ଏଥିରେ ଜୀବନ ସଂଚାର ହେଲା ?

ଏହି ନିକଟରେ ଏକ ଅଧ୍ୟୟନ ଏମିତି ଆମ ମନରେ ଅନେକ ଥର ଆସିଥିବା ପ୍ରଶ୍ନର ଉତ୍ତର ଖୋଜି ବାହାର କରିଛି ।

ଅଧ୍ୟୟନ କହୁଛି, ପ୍ରାୟ ୩୦୦ କୋଟି ବର୍ଷ ତଳେ ଏଭରେଷ୍ଟ ଶୃଙ୍ଗ ଆକାରର ୪ଟି ବିଶାଳକାୟ ଗ୍ରହାଣୁ ପୃଥିବୀରେ ମାଡ ହୋଇଥିଲା । ଯାହାର ପ୍ରଭାବରେ ପୃଥିବୀରେ ଜୀବଜଗତ ସୃଷ୍ଟି ହେବାର ପ୍ରାରମ୍ଭିକ ବିକାଶ ଆରମ୍ଭ ହୋଇଥିଲା । ଏହି ଗ୍ରହଣୁମାନଙ୍କର ଭୂମିକା ସେତେବେଳେ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ଅଧ୍ୟୟନରୁ ଜଣାପଡିଛି । ଯାହାର ସମସ୍ତ ତଥ୍ୟ ପ୍ରୋସିଡିଙ୍ଗସ ଅଫ ଦ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସେସରେ ପ୍ରକାଶ ପାଇଛି ।

ତେବେ ସାଧାରଣତଃ ଭାବେ ଯେତେବେଳେ ପୃଥିବୀ ସହ କିଛି ମାଡ ହୁଏ ସେତେବେଳେ ପୃଥିବୀ ଉପରେ ବିଧ୍ବଂସକାରୀ ପ୍ରଭାବ ପଡିଥାଏ । ଏଥିରେ ଅନେକ କିଛି ବିନାଶକାରୀ ହୋଇଥିବା ବେଳେ କିଛି କିଛି ପରିବର୍ତ୍ତନ ଆରମ୍ଭ ହୋଇଥାଏ । ଯେମିତି ୬.୬ କୋଟି ବର୍ଷ ତଳର ଗ୍ରହାଣୁ ମାଡ, ଯାହା ମେକ୍ସିକୋରେ ମାଡ ହୋଇଥିଲା । କୁହାଯାଏ ଏହାର ପ୍ରଭାବରେ ଡାଇନୋସର ବଂଶ ପୁରା ଲୋପ ପାଇଗଲେ ।

ତେବେ ଏହାକୁ ନେଇ ଏହି ଅଧ୍ୟୟନର ମୁଖ୍ୟ ତଥା ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ଆର୍ଥ ଆଣ୍ଡ ପ୍ଲାନେଟୋରୀ ସାଇନ୍ସର ଆସିଷ୍ଟାଣ୍ଟ ପ୍ରଫେସର ନାଦଜା ଡ୍ରାବୋନ୍ କୁହନ୍ତି, ୩୨୬ କୋଟି ଜଳେ ପୃଥିବୀ ସହ ମାଡ ହୋଇଥିବା ଏସ୍-୨ ଗ୍ରହାଣୁ ଡାଇନୋସର ବଂଶ ବିନାଶକାରୀ ଗ୍ରହାଣୁ ତୁଳନାରେ ୫୦ରୁ ୨୦୦ ଗୁଣ ବିଶାଳ ଥିଲା । ସେତେବେଳେ ପୃଥିବୀ ତାର ପ୍ରାଥମିକ ସମୟରେ ଥିଲା । ପ୍ରଥମେ ପ୍ରଥମେ କୌଣସି ଜଟିଳ ଜୀବର ବିକାଶ ହୋଇନଥିଲା । ଖାଲି ଯାହା ବ୍ୟାକ୍ଟେରିଆ ଆଉ ଆର୍କିଆ ଭଳି ଏକକୋଷୀ ଜୀବ ସୃଷ୍ଟି ହୋଇଥିଲେ । ଅବଶ୍ୟ ମହାସାଗରରେ କିଛି କିଛି ଜୀବ ଥିଲେ, ମାତ୍ର ଏବେ ଯେମିତି ଅଛନ୍ତି, ସେମିତି ନଥିଲେ । କାରଣ ସେତେବେଳେ ପୋଷକତତ୍ତ୍ବର ଅଭାବ ମଧ୍ୟ ରହିଥିଲା । ତେବେ ସେହି ସମରେ କେହି କେହି ଆର୍କିଆନ୍ ମହାସାଗରଗୁଡିକୁ ଜୈବ ମରୁଭୂମି ବୋଲି ମଧ୍ୟ କହୁଥିଲେ । ଏହା କିଛି ଦ୍ବୀପଯୁକ୍ତ ଜଳଜଗତ ଥିଲା । ଯାହା ବାସ୍ତବରେ ବିଚିତ୍ର ଦୃଶ୍ୟ ହୋଇଥିବ, କାରଣ ଳୌହ-ସମୃଦ୍ଧ ଗଭୀର ଜଳ ଯୋଗୁ ମହାସାଗରଗୁଡିକର ରଙ୍ଗ ସମ୍ଭବତଃ ସବୁଜ ରଙ୍ଗ ଥିଲା ବୋଲି ଡ୍ରାବୋନ୍ କହିଛନ୍ତି ।

ତେବେ ପରେ ଏସ୍-୨ ଗ୍ରହାଣୁ ମାଡ ହେବା ପରେ ଏଥିରେ କିଛି ଏମିତି ଉପାଦାନ ମିଶିଲା, ଯାହା ବୋଧହୁଏ ବ୍ୟାକ୍ଟେରିଆ ଜୀବନକୁ ବଞ୍ଚିବା ପାଇଁ ପୋଷକ ଯୋଗାଇଥିଲା । ଯାହା ତାଙ୍କୁ ବଂଶବିସ୍ତାର କରିବାରେ ସମୃଦ୍ଧ କରିଥିଲା । ହେଲେ ପ୍ରଥମ ମହାଦେଶ ଗଠନ ପୂର୍ବରୁ ପୃଥିବୀ କିପରି ଥିଲା, ତାହାର ଦୃଶ୍ୟ କିପରିଥିଲା ସେନେଇ ଡ୍ରାବୋନଙ୍କ ଟିମ୍ ଅଧିକ ଅଧ୍ୟୟନ କରୁଛି । ହେଲେ ଏବେ ପର୍ଯ୍ୟନ୍ତ କିଛି ଠୋସ୍ ମିଳିନାହିଁ । କାରଣ ଏ ପୃଥିବୀ ପରିବର୍ତ୍ତନଶୀଳ ।ଏଥିରେ ଆଗ୍ନେୟଗିରି ଗତିବିଧି ଓ ଟେକ୍ଟୋନିକ୍ ପ୍ଲେଟର ଗତବିଧି ଦ୍ବାରା ବଡ ବଡ ଗର୍ତ୍ତ ଆବୃତ୍ତ ହୋଇଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button