ହଠାତ୍ ଖରାପ ହେଲା କାର୍ : ମରୁଭୂମିରୁ ମହିଳାଙ୍କୁ ଉଦ୍ଧାର କଲା ଉବେର ଆପ୍
ଦୁବାଇ : କୌଣସି ଗନ୍ତବ୍ୟସ୍ଥଳକୁ ଯିବାକୁ ଇଚ୍ଛୁକ ବ୍ୟକ୍ତି ବର୍ତ୍ତମାନ ଓଲା ଓ ଉବେର ଆପ୍ ଜରିଆରେ ଟ୍ୟାକ୍ସି କିମ୍ବା ଅଟୋ ଅର୍ଡର କରିବାର ସୁଯୋଗ ପାଉଛନ୍ତି। ତେବେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇସ୍ଥିତ ଏକ ମରୁଭୂମିରେ ଫସି ଯାଇଥିବା ଜଣେ ମହିଳା ଅନନ୍ୟୋପାୟ ହୋଇ ଶେଷରେ ଉବେର ଆପ୍ର ସହାୟତା ଲୋଡିଥିଲେ। କିଛି ସମୟ ମଧ୍ୟରେ ଉବେର କମ୍ପାନୀ ପକ୍ଷରୁ ଏକ ଓଟ ଘଟଣାସ୍ଥଳରେ ପହଞ୍ଚିଥିଲା।
ମହିଳା ଜଣକ ସୁରକ୍ଷିତଭାବେ ଉଦ୍ଧାର ପାଇଥିବାରୁ ଉବେର କମ୍ପାନୀକୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭିଡିଓ ଅନୁଯାୟୀ ସଂପୃକ୍ତ ମହିଳା ଦୁବାଇ-ହାଟ୍ଟା ରୋଡ୍ରେ ଅବସ୍ଥିତ ଅଲ୍ ବାଦାୟର ମରୁଭୂମି ବୁଲିବାକୁ ଯାଇଥିଲେ। କୌଣସି କାରଣରୁ ତାଙ୍କ କାର୍ ଖରାପ ହେବାରୁ ସେଠାରୁ ଆସିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇପଡିଥିଲା। ତେଣୁ ସେ ଉବେର ଆପ୍ ଜରିଆରେ ଏଟିଭି (ଅଲ୍ ଟେରେନ ଭେହିକିଲ ଅର୍ଥାତ୍ ସବୁ ସ୍ଥାନକୁ ଯାଇପାରୁଥିବା ଯାନ) କିମ୍ବା ଓଟ ପଠାଇବାକୁ ନିଜର ମୋବାଇଲରେ ଅନୁରୋଧ କରିଥିଲେ। ଜଣେ ବ୍ୟକ୍ତି ଓଟ ଧରି ସେଠାରେ ପହଞ୍ଚିବା ପରେ ମହିଳା ଜଣକ ବିସ୍ମିତ ହୋଇପଡିଥିଲେ। ଏତେ କମ ସମୟ ମଧ୍ୟରେ କମ୍ପାନୀ ତରଫରୁ ଏଭଳି ସୁବିଧା ଯୋଗାଇ ଦିଆଯାଇଥିବାରୁ ସାମାଜିକ ଗଣମାଧ୍ୟମରେ ଉବେର କମ୍ପାନୀର ସେବାକୁ ପ୍ରଶଂସା କରାଯାଇଛି।