ହରିୟାଣା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ହେଲେ ଅମିତ୍ ଶାହା, ବାଛିବେ ବିଧାୟକ ଦଳ ନେତା
ଅମିତ୍ ଶାହାଙ୍କ ଉପରେ ଗୁରୁଦାୟିତ୍ଵ ଦେଲା ଦଳ। ବାଛିବେ ବିଧାୟକ ଦଳ ନେତା । ହରିୟାଣା ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବିଜେପି ସଂସଦୀୟ ବୋର୍ଡ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି । ୧୬ରେ ହେବ ବିଧାୟକଦଳ ବୈଠକ ବସିବ ।
ନିକଟରେ ଶେଷ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇଛି ।
୯୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୪୮ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୩୭ଟି ଆସନରେ ବିଜୟୀ ହୋଇଛି । ହରିୟାଣାରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନାୟାବ ସିଂ ସୈନି ପୁଣି ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । ତେବେ ବରିଷ୍ଠ ନେତା ଅନୀଲ ଭିଜ୍ ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ନେଇ ଆଶାୟୀ ଅଛନ୍ତି ।
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗଙ୍କୁ ସଂସଦୀୟ ବୋର୍ଡ ଜମ୍ମୁ-କଶ୍ମୀରରେ ବିଧାୟକ ଦଳର ନେତା ଚୟନ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି । ହରିୟାଣାରେ ଜମ୍ମୁ-କଶ୍ମୀର ସହ ଏକାସାଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜମ୍ମୁ-କଶ୍ମୀରରେ ନ୍ୟାସନାଲ କନଫରେନ୍ସ ମେଣ୍ଟ ୪୨ଟି ଆସନରେ ବିଜୟୀ ହୋଇ ଏକକ ବୃହତ୍ତମ ଦଳ ଭାବେ ଉଭା ହୋଇଛି । ଜମ୍ମୁ-କଶ୍ମୀରରେ ବିଜେପି ୨୯ଟି ଆସନରେ ବିଜୟୀ ହୋଇଛି ।