ବସରେ ମାତିଛନ୍ତି ଲେଡି ଲୁଟେରା : ୩ ମହିଳା ଗିରଫ, ୨୨,୫୦୦ ଟଙ୍କା ଜବତ
ମୋ’ ବସରେ ମାତିଛନ୍ତି ଲେଡି ଲୁଟେରା । ଛତିଶଗଡ଼ୀ ଲେଡି ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି କମିସନରେଟ ପୋଲିସ । ବହୁଦିନଧରି ରାଜଧାନୀରେ ସକ୍ରୀୟ ରହିଥିଲେ ଏହି ଗ୍ୟାଙ୍ଗ । ମୋ ବସରେ ଯାତ୍ରୀଙ୍କୁ ଲୁଟୁଥିବା ଏହି ଗ୍ୟାଙ୍ଗର ୩ ଜଣ ମହିଳାଙ୍କୁ ଗିରଫ କରାଯାଇଛି । ଅନ୍ୟ ମହିଳା ମଧ୍ୟ ଏଥିରେ ସମ୍ପୃକ୍ତ ଅଛନ୍ତି ।
ଏହାସହ ଏମାନଙ୍କର ଜଣେ ମାଷ୍ଟରମାଇଣ୍ଡ ଥିବା ସୂଚନା ରହିଛି । ସେମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି । ଏହାସହ ମହିଳାଙ୍କ ଠାରୁ ମିଳିଥିବା ତଥ୍ୟ ଠିକ କି ନୁହେଁ ଜାଣିବା ପାଇଁ କମିସନରେଟ ପୋଲିସ ଛତିଶଗଡ଼ ପୋଲିସକୁ ଚିଠି କରିଛି । ଗତ ସପ୍ତାହ ମଧ୍ୟରେ ଏହି ଗ୍ୟାଙ୍ଗ ୫୦ହଜାର ଟଙ୍କା ଓ ୧୦ଟି ମୋବାଇଲ ଲୁଟିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଗତ ୨୭ ତା ରିଖରେ ନିଜ ମା’ଙ୍କ ସହିତ କଣ୍ଟିଲୋରୁ ଭୁବନେଶ୍ବରକୁ ବସ ଯୋଗେ ଫେରୁଥିବା ଜଣେ ମହିଳାଙ୍କ ଠାରୁ ଭିଡର ଫାଇଦା ଉଠାଇ ତିନି ଅଭିଯୁକ୍ତ ଭ୍ୟାନିଟ୍ ବ୍ୟାଗଟିକୁ କୌଶଳକ୍ରମେ ଚୋରାଇ ନେଇଥିଲେ । ବ୍ୟାଗଟିରେ ୨୫,୦୦୦ ଟଙ୍କା ଏବଂ ଟଙ୍କା ପ୍ରମାଣପତ୍ର ରହିଥିଲା । ଏନେଇ ଅଭିଯୋଗ ହେବ ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା ।
ଏକ ବିଶେଷ ସୂତ୍ରରୁ ଖବର ପାଇ ଆଜି ୩ ଅଭିଯୁକ୍ତଙ୍କୁ ନାବାର୍ଡ ଛକ ନିକଟରୁ କାବୁ କରିଛି ପୋଲିସ । ସେମାନଙ୍କ ନିକଟରୁ ଚୋରୀ ଯାଇଥିବା ପ୍ରମାଣପତ୍ର ଏବଂ ୨୨,୫୦୦ ଟଙ୍କା ଜବତ କରିଛି । ପଚରାଉଚରା ବେଳେ ଅଭିଯୁକ୍ତମାନେ ନିଜ ଦୋଷ ସ୍ଵୀକାର କରିଥିଲେ ।