ଇସ୍ପାତ ମାନବ ଜେ ଜେ ଇରାନୀଙ୍କ ପରଲୋକ
ଜାମସେଦପୁର, ୧/୧୧: ଭାରତର ଇସ୍ପାତ ମାନବ ଭାବେ ପରିଚିତ ଜାମସେଦ ଜୀ ଇରାନୀଙ୍କର ସୋମବାର ରାତି ୧୦ଟା ସମୟରେ ୮୬ ବର୍ଷ ବୟସରେ ଜାମସେଦପୁରସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ପରଲୋକ ଘଟିଛି। ଟାଟା ଷ୍ଟିଲ୍ ପାଇଁ ଦୀର୍ଘ ୪୩ ବର୍ଷ କାମ କରିବା ପରେ ୨୦୧୧ ଜୁନରେ ସେ ଅବସର ନେଇଥିଲେ। ୧୯୩୬ ମସିହା ଜୁନ୍ ୨ରେ ମହାରାଷ୍ଟ୍ରର ନାଗପୁରଠାରେ ତାଙ୍କର ଜନ୍ମ ହୋଇଥିଲା। ନାଗପୁର ସାଇନ୍ସ କଲେଜରୁ ୧୯୫୬ରେ ବିଏସ୍ସି ପାସ୍ କରିବା ପରେ ସେ ନାଗପୁର ବିଶ୍ବବିଦ୍ୟାଳୟରୁ ୧୯୫୮ରେ ଭୂତତ୍ତ୍ବ ବିଜ୍ଞାନରେ ଏମ୍ଏସ୍ସି ପାସ୍ କରିଥିଲେ। ଏହାପରେ ସେ ଜଣେ ଜେଏନ୍ ଟାଟା ସ୍କଲାର ଭାବେ ଇଂଲଣ୍ଡର ସିଫିଲ୍ଡ ୟୁନିଭର୍ସିଟିରୁ ୧୯୬୦ରେ ଧାତୁ ବିଜ୍ଞାନ (ମେଟାଲର୍ଜି)ରେ ସ୍ନାତକୋତ୍ତର ଏବଂ ୧୯୬୩ରେ ପିଏଚ୍ଡି ଡିଗ୍ରି ଅର୍ଜନ କରିଥିଲେ।
ଡାଇରେକ୍ଟରଙ୍କ ସହକାରୀରୁ କାମ ଆରମ୍ଭ କରି ୧୯୭୮ରେ ସେ ଟାଟା ଷ୍ଟିଲ୍ର ଜେନେରାଲ ସୁପରିଣ୍ଟେଣ୍ଡେଣ୍ଟ, ୧୯୭୯ରେ ଜେନେରାଲ ମ୍ୟାନେଜର ଏବଂ ୧୯୮୫ରେ ସଭାପତି ହୋଇଥିଲେ। ୧୯୮୮ରେ ସେ ଟାଟା ଷ୍ଟିଲ୍ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଏବଂ ୧୯୯୨ରେ ପରିଚାଳନା ନିର୍ଦ୍ଦେଶକ ହେଲେ। ୨୦୦୧ରେ ଅବସର ନେବା ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ। ୧୯୮୧ରେ ସେ ଟାଟା ଷ୍ଟିଲ ବୋର୍ଡରେ ଯୋଗ ଦେଇଥିବା ବେଳେ ୨୦୦୧ରୁ ଏକ ଦଶନ୍ଧି କାଳ ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରହିଥିଲେ। ଭାରତୀୟ ଶିଳ୍ପ ଜଗତ ପ୍ରତି ଅତୁଳନୀୟ ଅବଦାନ ପାଇଁ ୨୦୦୭ରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ଡ. ଇରାନୀଙ୍କର ପତ୍ନୀ ଡାଇସି ଇରାନୀ, ପୁଅ ଜୁବିନ ଜେ ଇରାନୀ ଏବଂ ଝିଅ ନିଲୋଫର ଜେ ଇରାନୀ ଓ ତନାଜ ଜେ ଇରାନୀ ଅଛନ୍ତି।