ମନୋରଞ୍ଜନ

ଡକ୍ଟର୍ ଜି କେବଳ ପ୍ରାପ୍ତବୟସ୍କଙ୍କ ପାଇଁ

ଭିନ୍ନ ସ୍ବାଦର କାହାଣୀ ନେଇ ନିର୍ମିତ ଚଳଚ୍ଚିତ୍ର ‘ଡକ୍ଟର ଜି’ ଆରମ୍ଭରୁ ସଭିଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହି ଚଳଚ୍ଚିତ୍ରରେ ଜଣେ ପୁରୁଷ ସ୍ତ୍ରୀରୋଗ-ବିଶେଷଜ୍ଞଙ୍କ ସଂଘର୍ଷକୁ ସାହସିକ ଶୈଳୀରେ ଚିତ୍ରଣ କରାଯାଇଛି। ପ୍ରଚଳିତ ସାମାଜିକ ଧାରାର ବିପରୀତଧର୍ମୀ ଚରିତ୍ର ଓ କାହାଣୀରେ ଅଭିନୟ କରିଆସୁଥିବା ଅଭିନେତା ଆୟୁଷ୍ମାନ ଖୁରାନା ଏହାର ମୁଖ୍ୟ ଭୂମିକାରେ ଅଛନ୍ତି। ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି ରକୁଲ ପ୍ରୀତ ସିଂହ। ଏବେ ଏହି ଚଳଚ୍ଚିତ୍ରକୁ କେନ୍ଦ୍ରୀୟ ଫିଲ୍ମ ସାର୍ଟିଫିକେସନ୍ ବୋର୍ଡ ଠାରୁ ‘ଏ’ ସାର୍ଟିଫିକେଟ୍ ମିଳିଛି। ଏହି ସାର୍ଟିଫିକେଟ୍ ମିଳିଥିବା ଚଳଚ୍ଚିତ୍ର କେବଳ ୧୮ ବର୍ଷ ଓ ତଦୂର୍ଦ୍ଧ୍ବ ବୟସର ଦର୍ଶକମାନଙ୍କ ପାଇଁ ଉଦ୍ଦିଷ୍ଟ। ଉଲ୍ଲେଖନୀୟ ଯେ ଏହା ହେଉଛି ଆୟୁଷ୍ମାନଙ୍କର ପ୍ରଥମ ଫିଲ୍ମ ଯାହାକୁ ‘ଏ’ ସାର୍ଟିଫିକେଟ୍ ମିଳିଛି। ଏଥିରେ ଜଣେ ସ୍ତ୍ରୀରୋଗ-ବିଶେଷଜ୍ଞଙ୍କ ନାନା କାର୍ଯ୍ୟର ଦୃଶ୍ୟ ସାଙ୍ଗକୁ ଏଭଳି ଅନେକ ସଂଳାପ ଓ ବ୍ୟଙ୍ଗ ରହିଛି ଯାହା ପରିବାର ଏକାଠି ଦେଖିବା ପାଇଁ ଉପଯୁକ୍ତ ନୁହେଁ ବୋଲି ଫିଲ୍ମ ବୋର୍ଡର ବିଚାରକମାନେ ଅନୁଭବ କରିଥିଲେ।

ଅୟୁଷ୍ମାନଙ୍କ ଅନ୍ୟ ସବୁ ଚଳଚ୍ଚିତ୍ର ପରି ଏଥିରେ ମଧ୍ୟ ଏକ ଗୂଢ଼ ସାମାଜିକ ବାର୍ତ୍ତା ରହିଛି। ବିଭିନ୍ନ ସମସ୍ୟା ପାଇଁ ମହିଳାମାନଙ୍କୁ ସ୍ତ୍ରୀରୋଗ-ବିଶେଷଜ୍ଞଙ୍କ ପାଖକୁ ଯିବାକୁ ପଡ଼ିଥାଏ। ତେବେ ଡାକ୍ତର ପୁରୁଷ ହୋଇଥିଲେ ମହିଳାମାନେ ତାଙ୍କୁ ନିଜ ଯୌନ ସମସ୍ୟା କହିବାରେ ଲଜ୍ଜା ଓ କୁଣ୍ଠା ପ୍ରକାଶ କରନ୍ତି। ‘ଡକ୍ଟର ଜି’ର ଅଭିନେତ୍ରୀ ରକୁଲ ନିଜେ ଏକ ଅଙ୍ଗେନିଭା ଉଦାହରଣ ଦେଇଛନ୍ତି। ସେ ୧୩-୧୪ ବର୍ଷ ବୟରରେ ଜଣେ ସ୍ତ୍ରୀରୋଗ-ବିଶେଷଜ୍ଞଙ୍କ ପାଖକୁ ନିଜର ପରୀକ୍ଷା ପାଇଁ ଯାଇଥିଲେ। ଡାକ୍ତରଜଣକ ପୁରୁଷ ହୋଇଥିବାରୁ ସେ ଖୁବ୍ ସଙ୍କୋଚ କରିଥିଲେ। ତେବେ ବଡ଼ ହେଲା ପରେ ତାଙ୍କର ଦୃଷ୍ଟିଭଙ୍ଗୀ ବଦଳିଯାଇଥିଲା। ଆମ ଦେଶର କେତେକ ଶୀର୍ଷସ୍ଥାନୀୟ ସ୍ତ୍ରୀରୋଗ-ବିଶେଷଜ୍ଞ ହେଉଛନ୍ତି ପୁରୁଷ। ଯୌନ ସ୍ବାସ୍ଥ୍ୟ ମଣିଷ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଏବଂ ଡାକ୍ତର ହେଉଛନ୍ତି ଜଣେ ଡାକ୍ତର, ତାଙ୍କୁ ପୁରୁଷ ବା ମହିଳା ଭାବେ ଦେଖିବା ଅନୁଚିତ- ଏହା ହେଉଛି ଏହି ଚଳଚ୍ଚିତ୍ରର ମୂଳ ବାର୍ତ୍ତା। ‘ଡକ୍ଟର ଜି’ ଆସନ୍ତା ୧୪ ତାରିଖରେ ମୁକ୍ତିଲାଭ କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button