ଦେଶ ବିଦେଶ

ନିଶାସକ୍ତ ଗ୍ରାହକମାନଙ୍କ ଦୁର୍ଘଟଣା ରୋକିବା ପାଇଁ କ୍ୟାବ୍‌ ବ୍ୟବସ୍ଥା କରିବେ ଗୋଆ ବାର୍‌

ପାନାଜୀ: ଉପକୂଳବର୍ତ୍ତୀ ରାଜ୍ୟ ଗୋଆରେ ମଦ୍ୟପାନଜନିତ ସଡ଼କ ଦୁର୍ଘଟଣା ରୋକିବା ଲାଗି ରାଜ୍ୟ ସରକାର ଗୋଟାଏ ନୂଆ ନିୟମ ଲାଗୁ କରିବେ। ଏହି ନିୟମ ଅନୁସାରେ, ମାତାଲ ଗ୍ରାହକମାନଙ୍କୁ ସେମାନଙ୍କ ଘରେ ଛାଡ଼ି ଦେବା ପାଇଁ ବାର୍‌ ଓ ରେସ୍ତୋରାଁ ମାଲିକମାନେ କ୍ୟାବ୍‌ ବ୍ୟବସ୍ଥା କରିବେ। ଯଦି ନିଶାସକ୍ତ ଗ୍ରାହକ ପର୍ଯ୍ୟଟକ ହୋଇଥାଆନ୍ତି, ସେମାନଙ୍କୁ କ୍ୟାବ୍‌ରେ ନେଇ ହୋଟେଲ୍‌ରେ ଛଡ଼ାଯିବ।

ସୋମବାର ଦିନ ‘ସଡ଼କ ସୁରକ୍ଷା ସପ୍ତାହ’ ପାଳନ ଅବସରରେ ଦେଇଥିବା ଭାଷଣରେ ପରିବହନ ମନ୍ତ୍ରୀ ମୌୱିନ୍‌ ଗୋଦିନ୍‌ହୋ କହିଛନ୍ତି ଯେ, ଏଇଟା ହେଉଛି ଏବକା ପାଇଁ ନୂଆ ନିୟମ। ଗତବର୍ଷ ଗୋଦିନ୍‌ହୋ ଏକଥା ଘୋଷଣା କରିଥିଲେ ବି, ତାହା ସାକାର ହୋଇ ନ ଥିଲା। କିନ୍ତୁ, ଏବେ ରାତିରେ ଯାଞ୍ଚ ତୀବ୍ରତର କରି ପୁଲିସ ମାତାଲ ଅବସ୍ଥାରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଜରିମାନା କରୁଛି।

ଗୋଦିନ୍‌ହୋ କହିଛନ୍ତି, ଯଦି ଲୋକେ ନିଶାସକ୍ତ ହୋଇଥିବେ, ତା’ହେଲେ ବାର୍‌ ମାଲିକମାନେ ସେମାନଙ୍କୁ ନିଜ ନିଜ ଗାଡ଼ି ଚଳାଇ ଯିବାକୁ ଅନୁମତି ଦେବେ ନାହିଁ। ବରଂ ସେମାନଙ୍କୁ ଘରେ ଅଥବା ହୋଟେଲ୍‌ରେ ପହଞ୍ଚାଇବାକୁ କ୍ୟାବ୍‌ ବ୍ୟବସ୍ଥା କରିବେ। ତହିଁ ଆର ଦିନ ଉକ୍ତ ଗ୍ରାହକମାନେ ଆସି ବାର୍‌ କି, ରେସ୍ତୋରାଁରେ ଛାଡ଼ି ଯାଇଥିବା ଗାଡ଼ି ନେଇଯାଇ ପାରିବେ। ଜନସାଧାରଣ ସୁରକ୍ଷା ପାଇଁ ଗୋଆରେ ଏଇଟା ହେଉଛି ନୂଆ ନିୟମ। ଏହାକୁ କଡ଼ାକଡ଼ି ଲାଗୁ କରାଯିବ। ବିଦେଶରେ ପାଳନ କଲା ଭଳି ଏଠାରେ ମଧ୍ୟ ଏହି ନିୟମକୁ ସମସ୍ତେ ପାଳନ କରିବା ଉଚିତ।

ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବାଜନିତ ଦୁର୍ଘଟଣା ପାଇଁ ମୁଁ ସତରେ ଚିନ୍ତିତ। ଏହି ଧରଣର ୨୦% ଦୁର୍ଘଟଣା ମାମଲା ଗୋଆ ମେଡିକାଲ୍‌ କଲେଜକୁ ଆସୁଛି। ଆପଣ ସବୁ ନିୟମ ମାନି ରାସ୍ତାରେ ଧୀରେ ଧୀରେ ଗାଡ଼ି ଚଳାଉଥିବା ବେଳେ କେହି ଜଣେ ମାତାଲ ଅବସ୍ଥାରେ ଗାଡ଼ି ଚଳାଇ ଆସି ଆପଣଙ୍କୁ ଧକ୍କା ଦେବ। ଏଭଳି ହେବା ଅନୁଚିତ।

Related Articles

Leave a Reply

Your email address will not be published. Required fields are marked *

Back to top button